ଶିରିପୁର ଛକରେ ପଲସର୍‌ ଆତଙ୍କ

ବ୍ଲେଡ୍‌ ମାରି ମହିଳାଙ୍କ ବେକରୁ ଚେନ୍‌ ଲୁଟ୍‌

ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଧୀନ ଶିରିପୁର ମଙ୍ଗଳା ମଣ୍ଡପ ଛକ ନିକଟରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ମହିଳା ଓ ତାଙ୍କ ସ୍ୱାମୀ ଜଣେ ସଂପର୍କୀୟଙ୍କ ଘରୁ ଫେରୁଥିବା ସମୟରେ ଦୁଇ ଜଣ ଯୁବକ ଏକ ନାଲି ରଙ୍ଗର ପଲ୍‌ସରରେ ଆସି ବ୍ଲେଡ୍‌ରେ ଆକ୍ରମଣ କରି ତାଙ୍କଠାରୁ ସୁନା ଚେନ୍‌ ଝାମ୍ପି ନେଇଥିଲେ। ମିଳିଥିବା ସୂଚନାନୁଯାୟୀ ଇନ୍ଦିରା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ପ୍ରଶାନ୍ତ ମହାନ୍ତି ସୂର୍ଯ୍ୟନଗରରେ ରହୁନ୍ତି। ଉଭୟ ଆଜି ସନ୍ଧ୍ୟାରେ ଜଣେ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ସେମାନେ ବାଇକରେ ଫେରୁଥିବା ସମୟରେ ଶିରିପୁର ମଙ୍ଗଳା ମଣ୍ଡପ ଛକ ନିକଟରେ ଦୁଇ ଜଣ ଯୁବକ ଏକ ନାଲି ରଙ୍ଗର ପଲସର୍‌ରେ ଆସି ପଛରେ ବସିଥିବା ଇନ୍ଦିରାଙ୍କୁ ବ୍ଲେଡ୍‌ରେ ଆକ୍ରମଣ କରିଥିଲେ। ପ୍ରଶାନ୍ତ ଗାଡ଼ିର ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଏଥିରେ ଉଭୟ ଆହତ ହୋଇଥିଲେ। ଏହାର ସୁଯୋଗରେ ଯୁବକ ଦ୍ୱୟ ଇନ୍ଦିରା ପିନ୍ଧିଥିବା ସୁନା ଚେନ୍‌ଟିକୁ ଝାମ୍ପି ନେଇଥିଲେ। ସ୍ୱାମୀ ଓ ସ୍ତ୍ରୀଙ୍କ ଚିତ୍କାର ଶୁଣି କିଛି ସ୍ଥାନୀୟ ଲୋକ ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ଏନେଇ ଇନ୍ଦିରାଙ୍କ ପୁତୁରା ବାରମ୍ବାର ଖଣ୍ଡଗିରି ଥାନାକୁ ଫୋନ କରିଥିଲେ ମଧ୍ୟ କେହି ଫୋନ୍‌ ଉଠାଇ ନଥିଲେ। ସେ ବାଧ୍ୟ ହୋଇ ଥାନା ଆଇଆଇସିଙ୍କୁ ଫୋନ କରିଥିଲେ କିନ୍ତୁ ସେଠାରେ ବି ତାଙ୍କୁ ସମାନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ପରେ ଗୁରୁତର ଅବସ୍ଥାରେ ଥିବା ଇନ୍ଦିରା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର