୨୧ କୋଟି ଟଙ୍କାର ଋଣ ଆପ୍‌ ଦୁର୍ନୀତି‌ କରିବା ଅଭିଯୋଗରେ ହାଇଦ୍ରାବାଦ୍‌ ପୁଲିସ୍ ହାତରେ ଗିରଫ ହେଲେ ଚୀନ୍ ନାଗରିକ

ହାଇଦ୍ରାବାଦ୍‌: ୨୧ କୋଟି ଟଙ୍କାର ଋଣ ଦୁର୍ନୀତି‌ କରିବା ଅଭିଯୋଗରେ ହାଇଦ୍ରାବାଦ୍‌ ପୁଲିସ୍‌ ଜଣେ ଚୀନ୍ ନାଗରିକଙ୍କୁ ଗିରଫ କରିଛି। ଅନ୍‌ଲାଇନ୍‌ ଋଣ ଦୁର୍ନୀତି ମାମଲାରେ ସଂପୃକ୍ତି ଅଭିଯୋଗରେ ପୁଲିସ୍‌ ଚୀନ୍‌ର ନାଗରିକ ଜୁ ୱାଇ (ଛଦ୍ମନାମ)ଙ୍କୁ ଗିରଫ କରିବା ସହ ପଚରାଉଚରା ଆରମ୍ଭ କରିଛି।

ଜୁ ୱାଇ ବୁଧବାର ଦିନ ଦେଶ ଛାଡିବାକୁ ଚେଷ୍ଟା କରୁଥିବା ବେଳେ ଦିଲ୍ଲୀ ବିମାନବନ୍ଦରରେ ତାଙ୍କୁ ଅଟକାଯାଇଥିଲା। ଚୀନ୍‌ର ଜିଆଙ୍ଗସି ପ୍ରଦେଶର ୨୭ ବର୍ଷୀୟ ଏହି ନାଗରିକଙ୍କୁ ଆଜି ଗିରଫ କରାଯାଇଛି ବୋଲି ପୁଲିସ୍‌ କହିଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ‌ଯେ ଚାରୋଟି କମ୍ପାନି ଦ୍ୱାରା ପରିଚାଳିତ ବେଆଇନ ଋଣ ଆପ୍‌ର ଜୁ ୱାଇ ମୁଖ୍ୟ ଥିଲେ। ସେହି ୪ କମ୍ପାନି ହେଉଛି ଆଗ୍ଲୋ ଟେକ୍ନୋଲୋଜିସ୍‌, ଲିଉଫାଙ୍ଗ ଟେକ୍ନୋଲୋଜିସ୍‌, ନାବଲୁମ୍ ଟେକ୍ନୋଲୋଜିସ୍‌ ଏବଂ ପିନପ୍ରିଣ୍ଟ ଟେକ୍ନୋଲୋଜିସ୍‌।

ଅନ୍‌ଲାଇନ୍‌ ଋଣ ଦୁର୍ନୀତିର ଶିକାର ହୋଇ ଜଣେ ଇଞ୍ଜିନିୟର୍‌ ସମେତ ସମୁଦାୟ ୩ ଜଣ ଆତ୍ମହତ୍ୟା କରିବା ପରେ ଏହି ମାମଲା ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ଏହି ସଂସ୍ଥାଗୁଡ଼ିକ ଅତି କମରେ ୧.୪ କୋଟି ଆର୍ଥିକ କାରବାର କରିଛନ୍ତି। ଏହି କାରବାରଗୁଡିକ ମଧ୍ୟରୁ ଅଧିକାଂଶ ଗତ ୬ ମାସ ମଧ୍ୟରେ ହୋଇଛି। ଏହି ଅର୍ଥ କାରବାର ବିଶେଷ କରି ପେଟିଏମ୍‌ ଓ ବ୍ୟାଙ୍କ୍‌ ଆକାଉଣ୍ଟ ମାଧ୍ୟମରେ ଘଟିଛି।

ସମ୍ବନ୍ଧିତ ଖବର