ଡିଏଭି ବିଜିନେସ୍‌ ସ୍କୁଲ ଛାତ୍ରୀଙ୍କ ଆତ୍ମହତ୍ୟା

ହଷ୍ଟେଲ୍‌ ରୁମ୍‌ରୁ ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର: ୟୁନିଟ୍‌-୮ ସ୍ଥିତ ଡିଏଭି ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟର ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷରେ ପଢ଼ୁଥିବା ଜଣେ ଛାତ୍ରୀ ସୋମବାର ରାତିରେ ଫ୍ୟାନ୍‌ରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ନାଁ ତାନିଆ ବାନାର୍ଜୀ। ତାନିଆଙ୍କ ଘର ତାଳଚେରର ବିକ୍ରମପୁରରେ। ଏଠାରେ ସେ ସ୍କୁଲର ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଆଜି ସକାଳେ ହଷ୍ଟେଲ ରୁମ୍‌ରେ ତାନିଆଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖି ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। କ୍ୟାପିଟାଲ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିବାବେଳେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ ସୂଚନା ମୁତାବକ, ସୋମବାର ରାତିରେ ତାନିଆଙ୍କ ୩/୪ଜଣ ସହପାଠିନୀଙ୍କ କିଛି କସ୍‌ମେଟିକ୍ସ ଚୋରି ହୋଇ ଯାଇଥିଲା। ଖୋଜାଖେଜି ପରେ ସହପାଠିନୀମାନେ କୁଆଡ଼େ ତାନିଆଙ୍କଠାରୁ ଏହି କସ୍‌ମେଟିକ୍ସ ପାଇଥିଲେ। ଯାହକୁ ନେଇ ତାନିଆ ଅପମାନିତ ଅନୁଭବ କରିଥିଲେ। ସେ ସେମିତି କିଛି କରି ନାହାନ୍ତି ବୋଲି କହିଲେ ବି ଅନ୍ୟମାନେ ମାନି ନ ଥିଲେ। ଯାହାକୁ ନେଇ ତାନିଆ ଓ ସହପାଠିନୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଭଳି ପାଟିତୁଣ୍ଡ ଯୋଗୁଁ ପଢ଼ାପଢ଼ିରେ ସମସ୍ୟା ହେଉଛି କହି ତାନିଆଙ୍କ ରୁମ୍‌ମେଟ୍‌ ଅନ୍ୟ ଏକ ରୁମ୍‌କୁ ଯାଇ ସେଠାରେ ପଢ଼ାପଢ଼ି କରିବା ସହ ଶୋଇ ପଡ଼ିଥିଲେ।

ତେବେ ଆଜି ସକାଳୁ ଏହି ଛାତ୍ରୀଜଣଙ୍କ ନିଜ ରୁମ୍‌ କବାଟ ବାଡ଼େଇଥିଲେ। ହେଲେ ତାନିଆ କବାଟ ଖୋଲିନଥିଲେ କି ଜବାବ୍‌ ଦେଇନଥିଲେ। ଫଳରେ ଛାତ୍ରୀଜଣଙ୍କ ହଷ୍ଟେଲ୍‌ ଓ୍ଵାଡେନ୍‌ ଶକୁନ୍ତଳା ମହାପାତ୍ରଙ୍କୁ ଜଣାଇଥିଲେ। ଶକୁନ୍ତଳା ତାନିଆଙ୍କ ରୁମ୍‌ରେ ପହଞ୍ଚି କବାଟ ବାଡେଇଥିଲେ ମଧ୍ୟ ଭିତରୁ ଜବାବ ନ ଆସିବାରୁ ସେ ସୁରକ୍ଷାକର୍ମୀଙ୍କ ଜରିଆରେ କବାଟ ଖୋଲାଇଥିଲେ। ହେଲେ କବାଟ ଖୋଲିବା ପରେ ତାନିଆଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖି ସମସ୍ତେ ଚକିତ ହୋଇଯାଇଥିଲେ। ଶକୁୁନ୍ତଳା ତୁରନ୍ତ ଏ ନେଇ କ୍ୟାପିଟାଲ ଥାନା ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ପୁଲିସ ତାନିଆଙ୍କ ଶବ ଉଦ୍ଧାର କରିବା ପରେ ହସ୍ପିଟାଲକୁ ନେଇଥିଲା ଏବଂ ତାଳଚେରରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ଫୋନ୍‌କରି ଘଟଣା ବିଷୟରେ ଜଣାଇଥିଲେ।

ନିର୍ଯାତନା ଅଭିଯୋଗକୁ କର୍ତୃପକ୍ଷଙ୍କ ଅସ୍ୱୀକାର

ତାନିଆକୁ ସହପାଠିନୀମାନେ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗକୁ ସ୍କୁଲ କର୍ତୃପକ୍ଷ ଖଣ୍ଡନ କରିଛନ୍ତି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡିଏନ୍‌ ମିଶ୍ର କହିଛନ୍ତି ଯେ, ମଙ୍ଗଳବାର ସକାଳେ ତାନିଆ କବାଟ ନ ଖୋଲିବାରୁ ଓ୍ଵାଡେନ୍‌ ତାଙ୍କୁ ଘଟଣା ବିଷୟରେ ଜଣାଇଥିଲେ। ସେ ଘଟଣାସ୍ଥଳରେ ପହଞ୍ଚିବା ସହ ପୁଲିସକୁ ଜଣାଇଥିଲେ। ପୁଲିସ କବାଟ ତାଡ଼ି ତାନିଆଙ୍କ ମୃତଦେହକୁ ଜବତ କରିଥିଲା। ତେବେ ତାଙ୍କୁ ନିର୍ଯାତନା ଦିଆ ଯାଉଥିବା ନେଇ ତାନିଆ କେବେବି କୌଣସି ଅଭିଯୋଗ କରିନାହାନ୍ତି। ଗତକାଲି ମଧ୍ୟ ସେ ଓ୍ଵାଡେନ୍‌ଙ୍କୁ କିଛି ଲିଖିତ ଭାବେ ଜଣାଇ ନଥିଲେ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତାନିଆଙ୍କ ଆତ୍ମହତ୍ୟାର ଅନୁସନ୍ଧାନ ପାଇଁ ଅନୁଷ୍ଠାନ ପକ୍ଷରୁ ପୁଲିସକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ତାନିଆଙ୍କ ପରିବାର ଏକମାତ୍ର କନ୍ୟାଙ୍କୁ ହରାଇବାରୁ ଶିକ୍ଷାନୁଷ୍ଠାନ ପକ୍ଷରୁ ଗଭୀର ସମବେଦନା ପ୍ରକାଶ ପାଇଛି।

ଝିଅର ମୃତ୍ୟୁ ପାଇଁ ସହପାଠିନୀ ଓ କର୍ତୃପକ୍ଷଙ୍କୁ ଦାୟୀ କଲେ ମା’

ତାନିଆ ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ସହପାଠୀ ଛାତ୍ରୀଙ୍କ ନିର୍ଯାତନା ଯୋଗୁଁ ସେ ଏପରି ଚରମ ନିଷ୍ପତ୍ତି ନେଇଛି ବୋଲି ତାନିଆଙ୍କ ମା’ କେୟା ବାନାର୍ଜୀ ଅଭିଯୋଗ କରିଛନ୍ତି। ଏହାଛଡ଼ା ସେ ନିଜର ଏକମାତ୍ର ଝିଅର ମୃତ୍ୟୁ ପାଇଁ ସ୍କୁଲ କର୍ତୃପକ୍ଷଙ୍କୁ ମଧ୍ୟ ଦାୟୀ କରିଛନ୍ତି।

ଆଜି ସକାଳେ ଝିଅର ମୃତ୍ୟୁ ଖବର ପାଇ ବାପା ତିଲକ ବାନାର୍ଜୀ ଓ ମା କେୟା ବାନାର୍ଜୀ ପରିବାରର ଅନ୍ୟ ସଦସ୍ୟଙ୍କ ସହ ରାଜଧାନୀରେ ପହଞ୍ଚିବା ପରେ ସିଧା କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ। ଆଉ ଝିଅର ମୃତଦେହ ଦେଖିବା ପରେ ସେମାନଙ୍କ ଆଖିରେ ଲୁହ ବୋଲ ମାନି ନ ଥିଲା। ଫଳରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ପରେ କ୍ୟାପିଟାଲ ଥାନାକୁ ଯାଇ କେୟା ଯେଉଁ ଏତଲା ଦେଇଥିଲେ ସେଥିରେ ସେ ସ୍ପଷ୍ଟ ଭାବେ ଏଥିପାଇଁ ସହପାଠିନୀ ଓ କର୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ, ସୋମବାର ରାତି ପ୍ରାୟ ୧୧ଟା ସମୟରେ ତାନିଆ ତାଙ୍କୁ ଫୋନ୍‌ କରିଥିଲେ। କାନ୍ଦି କାନ୍ଦି କହିଥିଲେ ଯେ ସହପାଠିନୀମାନେ ତାଙ୍କ ବିରୋଧରେ କସ୍‌ମେଟିକ୍ସ ଚୋରି ଅଭିଯୋଗ ଆଣୁଛନ୍ତି। ଏଭଳି ଅପମାନ ସହିନପାରି ସେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ମା’ଙ୍କୁ କହିଥିଲେ। ଏଭଳି ଫୋନ୍‌ ପାଇ ମା’ କେୟା ବ୍ୟସ୍ତ ହୋଇ ପଡ଼ିଥିଲେ। ସେ ତାନିଆଙ୍କୁ ବହୁତ ବୁଝାସୁଝା କରିଥିଲେ। ହେଲେ ତାନିଆ ମାନସିକ ଭାବେ ସମ୍ଭବତଃ ଏତେ ଭାଙ୍ଗି ପଡ଼ିଥିଲେ ଯେ ସତକୁ ସତ ଆତ୍ମହତ୍ୟା କରି ପକାଇଥିଲେ।

କେୟା ଆହୁରି କହିଛନ୍ତି ଯେ ରାତିରେ ତାନିଆଙ୍କ ପାଖରେ କେହି ନ ରହିବାରୁ ସେ ଆତ୍ମହତ୍ୟା କରିବା ପାଇଁ ସୁଯୋଗ ପାଇଲା। ଯଦି ତା’ ପାଖରେ କେହି ଥାଆନ୍ତା ତାହାହେଲେ ସେ କେବେବି ଏଭଳି ପଦକ୍ଷେପ ନେଇ ପାରି ନ ଥାଆନ୍ତା। ତେଣୁ ଏଥିପାଇଁ ସ୍କୁଲ କର୍ତୃପକ୍ଷ ଓ ତାନିଆଙ୍କ ସହପାଠିନୀ ଦାୟୀ ବୋଲି ବୋଲି କେୟା କହିଛନ୍ତି ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର