ବୀମା ଅର୍ଥ ହାତେଇ ଋଣମୁକ୍ତ ହେବାକୁ ଭଡ଼ାଟିଆ ହତ୍ୟାକାରୀ ନିଯୁକ୍ତ କରି ନିଜକୁ ହତ୍ୟାକଲେ ବ୍ୟବସାୟୀ

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେବା ଭଳି ଏକ ଅପରାଧ ଘଟିଛି ରାଜଧାନୀ ନୂଆଦିଲ୍ଲୀରେ। ଏକ ହତ୍ୟାକାଣ୍ଡକୁ କେନ୍ଦ୍ରକରି ତଦନ୍ତ ଆରମ୍ଭ କରିଥିବା ପୁଲିସ୍‌ ନିଜେ ମଧ୍ୟ ତଟସ୍ଥ ହୋଇ ରହିଯାଇଛି ଏହି ଅପରାଧର ଘଟଣାକ୍ରମ ଜାଣିବା ପରେ। କାରଣ, ଯେଉଁପରି ଅପରାଧ ସାଧାରତଃ ରହସ୍ୟ ରୋମାଞ୍ଚଭରା କାଳ୍ପନିକ ଉପନ୍ୟାସମାନଙ୍କରେ ଘଟିଥାଏ ଠିକ୍‌ ସେଇ ସମାନ ଢ଼ଙ୍ଗରେ ଘଟିଛି ଅପରାଧ।
ଘଟଣାଟି ଏହିପରି, ଜୁନ୍‌ ୧୦ ସକାଳୁ ଦିଲ୍ଲୀର ପୁଲିସ୍‌ କଣ୍ଟ୍ରୋଲ୍‌ ରୁମ୍‌କୁ ଏକ ଖବର ଆସିଥିଲା ଯେ ବାପ୍‌ରୋଲା ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଗଛରେ ଝୁଲୁଛି। ପୁଲିସ୍‌ ଅବିଳମ୍ବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରୁ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ମୃତକଙ୍କ ନାମ ଗୌରବ ବଂଶାଲ ଏବଂ ତାଙ୍କ ଘର ପୂର୍ବ ଦିଲ୍ଲୀରେ। ପରେ ଜଣାପଡ଼ିଥିଲା ଯେ ତାଙ୍କ ପରିବାର ସଦସ୍ୟ ସ୍ଥାନୀୟ ପୁଲିସ ନିକଟରେ ତାଙ୍କର ଏକ ଏକ ନିଖୋଜ ରିପୋର୍ଟ ଲେଖାଇଥିଲେ। ଯେଉଁଥିରେ ସେ ଜୁନ୍‌ ୯ରୁ ନିଖୋଜ ଥିବା କୁହାଯାଇଥିଲା। ତେବେ, ତାଙ୍କ ଘରଠାରୁ ପ୍ରାୟ ୪୦ କିଲୋମିଟର ଦୂରରୁ ତାଙ୍କର ମୃତଦେହ ମିଳବା ପରେ ପୁଲିସ୍‌ ଘଟଣା ପଛରେ ବ୍ୟକ୍ତିଗତ ଶତ୍ରୁତାକୁ କାରଣ ବୋଲି ଭାବି ତଦନ୍ତ ଚଳାଇଥିଲା।
ହେଲେ, ତଦନ୍ତକାଳରେ ପୁଲିସ୍‌ ଜାଣିବାକୁ ପାଇଥିଲା ଯେ ସେ ଋଣଭାରରେ ବୁଡ଼ିକି ରହିଥିଲେ ଓ ଅନେକଗୁଡ଼ିଏ ବୀମା ପଲିସି କିଣଥିଲେ। ପରେ ପୁଳିସ୍‌ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ଗୌରବ ନିଜ ହତ୍ୟା ପାଇଁ ନିଜେ ଯୋଜନା ପ୍ରସ୍ତୁତ କରିଥିଲେ ଓ ଏଥିପାଇଁ ତିନିଜଣ ଭଡ଼ାଟିଆ ହତ୍ୟାକାରୀଙ୍କୁ ନିଜେ ନିଯୁକ୍ତ ମଧ୍ୟ କରିଥିଲେ। ଉଦ୍ଦେଶ୍ୟ ଥିଲା ମୃତ୍ୟୁପରେ ବୀମା ପଲିସୀ ଅର୍ଥକୁ ହାତେଇବା।

ସମ୍ବନ୍ଧିତ ଖବର