ପୁଣି ଏକ ‘ହିଟ୍ ଆଣ୍ଡ ରନ୍’: ବ୍ୟବସାୟୀଙ୍କ ଉପ‌ରେ ଗାଡ଼ି ଚଢ଼ାଇ ପଞ୍ଚତାରକା ହୋଟେଲରେ ଅୟସ କରୁଥିଲେ ପୂର୍ବ ଆଇଏଏସ୍ ଅଫିସରଙ୍କ ପୁଅ

ନୂଆଦିଲ୍ଲୀ: ପୁଣି ସାମ୍ନାକୁ ଆସିଲା ଆଉ ଏକ ‘ହିଟ୍ ଆଣ୍ଡ ରନ୍’ ମାମଲା। ପୂର୍ବରୁ ବଲିଉଡର ଦବଙ୍ଗ ଖାନ ସଲମାନ ହିଟ୍ ଆଣ୍ଡ ରନ୍ ମାମଲାରେ ଫସି ସାରିଥିବା ବେଳେ ଏବେ ଜଣେ ପୂର୍ବ ଆଇଏଏସ୍ ଅଫିସରଙ୍କ ପୁଅ ଫସିଥିବା ଜଣାପଡ଼ିଛି। ପୂର୍ବ ଆଇଏଏସ୍ ଅଫିସରଙ୍କ ପୁଅ କିଛି ଦିନ ତଳେ ଜଣେ ବ୍ୟବସାୟୀଙ୍କୁ ତାଙ୍କ ଘର ଆଗରେ ଗାଡ଼ି ଚଢ଼ାଇ ଦେଇଥିବା ବେଳେ ହସ୍ପିଟାଲ ନେବା ପରିବର୍ତ୍ତେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସବୁଠାରୁ ବଡ଼ କଥା ହେଲା ଘଟଣା ଘଟିବା ସମୟରେ ଗାଡ଼ି ଭିତରେ ଥିଲେ ପୂର୍ବ ଆଇଏଏସ୍ ଅଫିସର ପାଣ୍ଡ୍ୟାନ କଲ୍ୟାଣ ସୁନ୍ଦରମ୍। ଅଭିଯୁକ୍ତଜଣକ ରାଜ୍ ସୁନ୍ଦରମ୍ ବୋଲି ଚିହ୍ନଟ କରାଯାଇଥିବା ବେଳେ ପୁଲିସ ଏବେ ରାଜଙ୍କୁ ଗିରଫ କରିଛି।

ଗିରଫ ପରେ ପୁଲିସ କହିଛି ଯେ, ଦୁର୍ଘଟଣା ଘଟଣାଇବା ପରେ ବ୍ୟବସାୟୀ ବିଜୟଙ୍କୁ ମୃତ୍ୟୁମୁଖରେ ଛାଡ଼ି ଉଭୟ ବାପ-ପୁଅ ସେଠାରୁ ଫେରାର ହୋଇଯାଇଥିବା ସହ ରାଜ ୫-ଷ୍ଟାର ହୋଟେଲରେ ରହି ଅୟସ କରୁଥିଲେ। ହେଲେ ଦୁର୍ଘଟଣା ଘଟିଥିବା ସ୍ଥାନରେ ଲାଗିଥିବା ସିସିଟିଭି ପାଇଁ ଆମେ ଅଭିଯୁକ୍ତ ପାଖରେ ପହଞ୍ଚି ପାରିଥିଲୁ।

ମିଳିଥିବା ସୂଚନା ମୁତାବକ, ଘଟଣା ଦିନ ବିଜୟ କୌଣସି କାମରେ ଘରୁ ବାହାରକୁ ଆସୁଥିବା ବେଳେ ରାଜଙ୍କ କାର୍ ତାଙ୍କୁ ଧକ୍କା ଦେଇଥିଲା। ଧରାପଡ଼ିଯିବା ଭୟରେ କାରରୁ ଓହ୍ଲାଇବା ପରିବର୍ତ୍ତେ ଉଭୟ ରାଜ ଓ ଆଇଏଏସ୍ ଅଫିସର ପାଣ୍ଡ୍ୟାନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହା ପରେ ସ୍ଥାନୀୟ ଲୋକେ ବିଜୟଙ୍କୁ ସାକେତର ମାକ୍ସ ଡାକ୍ତରଖାନା ନେଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଏବେ ବିଜୟଙ୍କ ସର୍ଜରୀ ହୋଇଥିବା ସହ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା କହିଛନ୍ତି ପରିବାର ଲୋକେ।

ସମ୍ବନ୍ଧିତ ଖବର