ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ ଠକେଇ ଘଟଣା : ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର : ବହୁଚର୍ଚିତ ଗଣ୍ଡରପୁର ଡ୍ରେନେଜ ଡିଭିଜନ୍‌ ଠକେଇ ଘଟଣାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାଁ ମହେନ୍ଦ୍ର ଜେନା। ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନ ନହଳପୁର ଯାଇଁଲୋରେ। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ନିଜକୁ ଗଣ୍ଡରପୁର ଡ୍ରେନେଜ୍‌ର ଡ୍ରାଫ୍ଟସ୍‌ମ୍ୟାନ ବୋଲି ପରିଚୟ ଦେଇ କଟକ ନୟାସଡ଼କ ଆଲ୍ଲାହାବାଦ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଋଣ ନେଇଥିଲେ। ଏହି ଠକେଇ ଘଟଣାରେ ଏହା ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ୧୮ ଜଣଙ୍କୁ ଗିରଫ କରି ସାରିଛି।

କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦୦୯ରୁ ୨୦୧୦ ମଧ୍ୟରେ ବ୍ୟାଙ୍କର ‘ସରଳ ଲୋନ୍‌’ ସ୍କିମ୍‌ରେ ୮୫ ଜଣ ଋଣୀ ନିଜକୁ ଗଣ୍ଡରପୁର ଡ୍ରେନେଜର କର୍ମଚାରୀ ବୋଲି ପରିଚୟ ଦେଇ କଟକ ନୟାସଡ଼କ ଆଲ୍ଲାହାବାଦ ବ୍ୟାଙ୍କରେ ଜାଲ୍‌ କାଗଜପତ୍ର ଜମା କରି ୨.୨୬ କୋଟି ଟଙ୍କାର ଠକେଇ କରିଥିଲେ। ପରେ ବ୍ୟାଙ୍କ କର୍ତୃପକ୍ଷ ଜାଣିବାକୁ ପାଇଥିଲେ ଜଣେ ହେଲେ ବି ଋଣୀ ଡ୍ରେନେଜ ଡିଭିଜନ୍‌ କର୍ମଚାରୀ ନୁହନ୍ତି। ଏ ନେଇ ବ୍ୟାଙ୍କର ବରିଷ୍ଠ ପରିଚାଳକ ପ୍ରଣବ କୁମାର ରାୟ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇ ଅନୁସନ୍ଧାନ କରାଯାଇଥିଲା। ଏହା ପରେ କ୍ରାଇମ୍‌ବ୍ରାଞ୍ଚ ରାଜେଶ ରଂଜନ ପ୍ରଧାନ, ରବୀନ୍ଦ୍ର କୁମାର ଜେନା, ବିଶ୍ୱନାଥ ସାମନ୍ତରାୟ, ଚନ୍ଦ୍ରଶେଖର ପାତ୍ର, ଶରତ କୁମାର ବେହେରା, ଦିଲ୍ଲୀପ କୁମାର ନାଥ, ଆନନ୍ଦ ଚନ୍ଦ୍ର ନାୟକ, ନିରୋଦ କୁମାର ମଙ୍ଗରାଜ, ଜିତେନ୍ଦ୍ର ପାତ୍ର, କେ ଶ୍ରୀକାନ୍ତ ପାତ୍ର, ସରୋଜ କୁମାର ପ୍ରଧାନ, ସୂରଜ ଦିଗାଲ, ପପୁନ ପ୍ରଧାନ, ଅରୁଣ କୁମାର କହଁର, ତ୍ରିଲୋଚନ ରାଉତ, ପରମ ନାୟକ, ପ୍ରମୋଦ କୁମାର ଜେନା,ଅଭିଲାଷ ମହାନ୍ତି ପ୍ରମୁଖଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର