ହୃଦୟବିଦାରକ ଘଟଣା: କରୋନା ସଂକ୍ରମିତ ପିତାଙ୍କୁ ଝିଅ ପାଣି ପିଆଇବାକୁ ଚେଷ୍ଟା କରୁଥିବା ବେଳେ ମା’ ଏପରି କରିବାକୁ ବାରଣ କରୁଛି

ଶ୍ରୀକାକୁଲମ୍: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଝିଅ ମୃତ୍ୟୁ ସହ ସଂଘର୍ଷ କରୁଥିବା କରୋନା ସଂକ୍ରମିତ ପିତାଙ୍କୁ ପାଣି ପିଆଇବାକୁ ଚେଷ୍ଟା କରୁଛି, କିନ୍ତୁ ତାର ମା’ ତାକୁ ଏପରି କରିବାକୁ ବାରଣ କରୁଛନ୍ତି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ବାପାଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ି ଯିବାପରେ ଝିଅ ଭୋ‌ଭୋ ହୋଇ କାନ୍ଦୁଛି। ସେ ତାର ପିତାଙ୍କୁ ପାଣି ପିଆଇବାକୁ ଚାହୁଁଛି କିନ୍ତୁ ତାର ମା’ ତାକୁ ଏପରି କରିବାକୁ ଅଟକାଉଛନ୍ତି। କାରଣ ଝିଅ କରୋନା ସଂକ୍ରମିତ ନହେଉ ବୋଲି ମା’ ଚାହୁଁଛନ୍ତି।

ଶେଷରେ ଝିଅଟି ତାର ବାପାଙ୍କୁ ହରାଇ ଦେଇଥିଲା। ମୃତ ଶ୍ରମିକ ଅସିରି ନାୟଡୁ (୪୪)ସହରରେ କାମ କରନ୍ତି। ଏହି କରୋନା ସଂକ୍ରମଣକୁ ଦେଖି ସେ ଗାଁକୁ ଫେରି ଆସିଥିଲେ। କିନ୍ତୁ ଗାଁ ଲୋକ ତାଙ୍କୁ ଗାଁ କି ଘରେ ପୂରାଇ ଦେଇ ନଥିଲେ। ଏଣୁ ସେ ବାଧ୍ୟ ହୋଇ ଗାଁ ନିକଟସ୍ଥ ଏକ କୁଟୀରରେ ରହିଥିଲେ। ଏହି କୁଟୀରରେ କ୍ବାରେଣ୍ଟାଇନରେ ରହିଥିବା ବେଳେ ତାଙ୍କ ସ୍ବାସ୍ଥାବସ୍ଥା ଧୀରେଧୀରେ ବିଗିଡିବାରେ ଲାଗିଥିଲା। ଖବର ପାଇ ଝିଅ ଯେତେବେଳେ ବାପାକୁ ପାଣି ଦେବାକୁ ପହଞ୍ଚିଥିଲା ସେ ଅଚେତ ଅବସ୍ଥାରେ ସେଠାରେ ପଡ଼ିଥିଲେ। ସେ ସେହି ସମୟରେ ଦୌଡ଼ି ଯାଇ ବାପାଙ୍କୁ ପାଣି ପିଇବାକୁ ଚେଷ୍ଟା କରୁଥିଲା। ପ‌ରେ ଜଣାପଡ଼ିଲା କି ତାଙ୍କର ମୃତ୍ୟୁ ହୋଇଯାଇଛି।

ଭାଇରାଲ ହୋଇଥିବା ଭିଡିଓରେ କେହି ଜଣେ କହୁଥିବା ଶୁଣିବାକୁ ମିଳୁଛି କି, ଡାକ୍ତରଖାନାରେ ବେଡ ନଥିବାରୁ ବ୍ୟକ୍ତିଙ୍କୁ ନିଆଯାଇ ପାରିଲା ନାହିଁ। ଝିଅ ତା’ ବାପାଙ୍କୁ ପାଣି ଦେବାକୁ ଚେଷ୍ଟା କରୁଥିବା ବେଳେ କରୋନା ସଂକ୍ରମିତ ଭୟରେ ମା’ ଏପରି କରିବାକୁ ତାକୁ  ବାରଣ କରୁଛନ୍ତି।

 

ସମ୍ବନ୍ଧିତ ଖବର