ଏପ୍ରିଲ ମାସରେ ଓଡ଼ିଶାରୁ ୧ କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି ଅନଲାଇନ ଲୁଟେରା

ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀ ସମୟରେ ବି ଲୋକଙ୍କୁ ଅନଲାଇନରେ ଠକୁଛନ୍ତି ଲୁଟେରା | କେବଳ ଏପ୍ରିଲ ମାସରେ ଲୋକଙ୍କୁ ଫୋନ କରି ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସାଇବର ଲୁଟେରା ଲୁଟିନେଇଛନ୍ତି | ଲୋକଙ୍କୁ ଫୋନ କରି ବିଭିନ୍ନ ପ୍ରଲୋଭନ ଦେଖାଇ ଅନଲାଇନ ଲୁଟେରା ପ୍ରାୟ ୧ କୋଟି ୧୯ ଲକ୍ଷ ୬୩ ହଜାର ୨୯୭ ଟଙ୍କା ଲୁଟି ନେଇଛନ୍ତି | ତେବେ ଏଠାରେ କହିରଖୁଛୁ ଯେ ପୁଲିସ ପାଖରେ ଅଭିଯୋଗ କରିଥିବା ବ୍ୟକ୍ତିବିଶେଷ ଏତିକି ପରିମାଣର ଅର୍ଥରାଶି ଠକେଇ ବାବଦରେ କହିଥିଵାବେଳେ ଏହାଠାରୁ ଢେର ଅଧିକ ଟଙ୍କା ଲୁଟ ହୋଇଥାଇପାରେ |

କାରଣ ଅନଲାଇନ ଠକେଇ ପରେ ଏହାର ଶିକାର ହୋଇଥିବା ସମସ୍ତେ ପୁଲିସ ନିକଟରେ ଅଭିଯୋଗ କରିନଥାନ୍ତି | ମିଳିଥିବା ସୂଚନା ମୁତାବକ ଏପ୍ରିଲ ମାସରେ ସମୁଦାୟ ୪୭୬ ଜଣ ଫୋନ ମାଧ୍ୟମରେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି | ଏମାନଙ୍କ ମଧ୍ୟରେ ଭୁବନେଶ୍ୱରର ୨୨୦ ଜଣ ଥିବାବେଳେ ରାଜ୍ୟର ଅନ୍ୟ ଅଞ୍ଚଳରୁ ୨୫୬ଟି ଫୋନ କଲ ଆସିଛି |

ସେହିପରି ଏହି ଠକେଇ ତାଲିକାରେ ୟୁପିଆଇ ଠକେଇ ୧୫୬ଟି ଥିବାବେଳେ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ଠକେଇ ୮୦ଟି ରହିଛି | ସମୁଦାୟ ୧ କୋଟି ୧୯ ଲକ୍ଷ ୬୩ ହଜାର ୨୯୭ ଟଙ୍କା ଠକେଇର ଅଭିଯୋଗ ଆସିଥିବାବେଳେ ଭୁବନେଶ୍ୱରରୁ ୭୪ ଲକ୍ଷ ୫ ହଜାର ୧୧୪ ଟଙ୍କା ଲୁଟ ହୋଇଛି | ତେବେ ୫ ଲକ୍ଷ ୩୬ ହଜାର ୧୪୦ ଟଙ୍କା ଫେରସ୍ତ ମିଳିଥିବାବେଳେ ସମୁଦାୟ ୧୧ଟି ମାମଲା ରୁଜୁ ହୋଇଛି |

ସମ୍ବନ୍ଧିତ ଖବର