କରୋନା କାଳରେ ସକାରାତ୍ମକ କାର୍ଯ୍ୟ ଓ ଭାବନା

କରୋନା କାଳରେ ଅନେକ ପ୍ରକାର ଦୁଃଶ୍ଚିନ୍ତା ମନକୁ ଭାରାକ୍ରାନ୍ତ କରୁଛି। କି ଯୁବକ, କି ବୟସ୍କ ଅନେକେ ଏକ ଅଜଣା ଭୟରେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନେକ ସମୟରେ ଏହି ଭୟ, ଦୁଃଶ୍ଚିନ୍ତା ଓ ନକରାତ୍ମକ ଚିନ୍ତା ହିଁ ମଣିଷ ପାଇଁ ଘାତକ ସାବ୍ୟସ୍ତ ହେଉଛି। ଅନେକ କ୍ଷେତ୍ରରେ ନୈରାଶ୍ୟବାଦରେ ଭରି ରହିଥିବା ମନ ଅଳ୍ପ ଆଗରେ ଥିବା ଜୀବନର ଆଲୁଅକୁ ଦେଖି ପାରୁନି କି ସେ ଯା‌ଏ ପହଞ୍ଚି ବି ପାରୁନି। ସାମୟିକ ଅନ୍ଧକାର ଭିତରେ ଏମିତି ବୁଡ଼ି ଯାଉଛି ଯେ ସେଥିରୁ ମୁକୁଳିବାର ବାଟ ଖୋଜି ପାଉନି, ସବୁଦିନ ପାଇଁ ହଜିଯାଉଛି ତାହାରି ଭିତରେ। ତେଣୁ ରୋଗୀ ହୁଅନ୍ତୁ କି ସୁସ୍ଥ ମଣିଷ କରୋନା କାଳରେ ସମସ୍ତେ ନିଜ ଭିତରେ ସକରାତ୍ମକ ଭାବନା ଉଦ୍ରେକ କରିବା ଜରୁରୀ। ସକରାତ୍ମକ ଭାବନା ମନକୁ ଆପେ ଆସେ ନାହିଁ। ଏଥି ପାଇଁ କିଛି ଭଲ କାମ କରିବାକୁ ହୁଏ, ଭଲ କଥା ପଢ଼ିବାକୁ ହୁଏ, ଭଲ ବିଷୟ ଦେଖିବାକୁ ହୁଏ। ତେଣୁ କରୋନା କାଳରେ ନିଜକୁ ସୁସ୍ଥ ଓ ସକରାତ୍ମକ ରଖିବା ପ‌ାଇଁ ବିଶ୍ବର ଅନେକ ମନୋବିଜ୍ଞାନୀ ବହୁ ଉପାଦେୟ ପରାମର୍ଶ ଦେଉଛନ୍ତି।

ସତର୍କ ରହନ୍ତୁ, ନିୟମ ମାନନ୍ତୁ
ପ୍ରଥମ କଥା ନିଜେ ସତର୍କ ରହନ୍ତୁ। ପରିବାର ଓ ଆଖପାଖର ଲୋକଙ୍କୁ ବି ସତର୍କ କରାନ୍ତୁ। ସରକାର ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସମୟ ସମୟରେ ଜାରି ସତର୍କତା ସୂଚକ ସମସ୍ତ ନିର୍ଦ୍ଦେଶାବଳୀର ଅନୁପାଳନ କରନ୍ତୁ। ଏହାଦ୍ବାରା ନିଜକୁ ସଂକ୍ରମିତ ହେବାରୁ ଅନେକ ମାତ୍ରାରେ ରକ୍ଷା କରି ପାରିବେ। ସୁସ୍ଥ ଓ ନିରାପଦ ରହିଲେ ସକରାତ୍ମକତା ବଢ଼ିବ।

ସମୟର ସଦୁପଯୋଗ
କରୋନା ସମୟରେ ବାହାରକୁ ଯିବା କମିଛି। ଏଥି ସହ ଘରେ ଅଧିକ ସମୟ ମିଳୁଛି। ଏହି ସମୟର ସଦୁପଯୋଗ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଆମେ ଯେତେ ଭଲ ଭାବରେ ନିଜ ସମୟର ଉପଯୋଗ କରିବା, ଆମ ମନରେ ସେତେ ସକରାତ୍ମକ ଚିନ୍ତା ଓ ଚେତନା ବୃଦ୍ଧି ପାଇବ।

ଯୋଗ, ପ୍ରାଣାୟାମ, ବ୍ୟାୟାମ
ଯୋଗ, ପ୍ରାଣାୟାମ, ବ୍ୟାୟାମ ପାଇଁ ପ୍ରତିଦିନ କିଛି ସମୟ ଦେବା ଜରୁରୀ। ଆମେ ବହି ପଢ଼ି, ୟୁଟ୍ୟୁବ୍‌ ଦେଖି ସହଜ ଓ ଉପଯୋଗୀ ଯୋଗ ବା ବ୍ୟାୟାମର ସୂତ୍ର ପାଇ ପାରିବା। ନିଜ ଶରୀରର ଦକ୍ଷତା, କ୍ଷମତା ଓ ଆବଶ୍ୟକତା ଅନୁଯାୟୀ ଆମେ ନିଜ ପସନ୍ଦର ଆସନ ବାଛି ଦୈନିକ ଅଧଘଣ୍ଟାରୁ ଘଣ୍ଟାଏ କରି ପାରିବା।

ଖବରକାଗଜ ଓ ବହି ପଢ଼ିବା
କରୋନା କାଳରେ ସମସ୍ତେ ପ୍ରତ୍ୟହ ଖବରକାଗଜ ପଢ଼ିବା ଜରୁରୀ। ଏହାଦ୍ବାରା ଆମେ ନିଜ ଆଖପାଖରୁ ନେଇ ଦେଶଦୁନିଆଁର ଖବର ଜାଣିବା ସହ ପରିସ୍ଥିତି ଅନୁଯାୟୀ ନିଜକୁ ପ୍ରସ୍ତୁତ କରିପାରିବା। ଖବରକାଗଜ ଆମକୁ ଦୈନନ୍ଦିନ ଖବର ସହ ଖେଳ, ସାହିତ୍ୟ, ବିଜ୍ଞାନ, ମନୋରଂଜନ ଆଦି ସବୁ କ୍ଷେତ୍ରର ‘ସମ୍ବାଦ’ ଆଣି ନିଜ ଘରେ ଯୋଗାଇ ଦେଇଥାଏ। ଏହା ମନକୁ ସତେଜ ରଖିବାରେ ସହାୟକ ହୁଏ। ଏହାଛଡ଼ା ଅଧିକରୁ ଅଧିକ ଭଲ ବହି ପଢ଼ି ନିଜ ଜ୍ଞାନ ବୃଦ୍ଧି କରିପାରିବା।

ପୁଷ୍ଟିକର ଖାଦ୍ୟ
କରୋନା କାଳରେ ପୁଷ୍ଟିକର ଖାଦ୍ୟ ଖାଇଲେ ଦେହ ସୁସ୍ଥ ରହିବା ସହ ମନ ବି ପ୍ରଫୁଲ୍ଲ ରହେ। କେଉଁ ଖାଦ୍ୟ ପୁଷ୍ଟିକର ଓ ସ୍ବାସ୍ଥ୍ୟ ପାଇଁ ଭଲ ସେ ସଂପର୍କରେ ଆମେ ସମସ୍ତେ ଊଣାଅଧିକେ ଅବଗତ। ତେଣୁ ଫଳ, ସତେଜ ପନିପରିବା, ଶାଗ, କ୍ଷୀର, ଦହି ଆଦି ଅଧିକ ପରିମାଣରେ ଖାଇବା ଉଚିତ। ତେବେ ଆମେ ଘରେ ଅଧିକ ସମୟ ରହୁଥିବାରୁ ଅତ୍ୟଧିକ ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ଠିକ୍ ନୁହେଁ। ଆମେ ସେତିକି ଖାଇବା କଥା ଯେତିକି ଆମ ଶରୀର ପାଇଁ ଜରୁରୀ। ଆମିଷ ଖାଦ୍ୟ ସବୁବେଳେ ଭଲ ମାନର ଓ ଉପଯୁକ୍ତ ପରିମାଣର ଖାଇବା ଦରକାର, ଅଧିକ ଖାଇବା ଠିକ୍ ନୁହେଁ।

ରୋଷେଇ ସଉକ ପୂରା କରିବା
ମହିଳା ହୁଅନ୍ତୁ କି ପୁରୁଷ କରୋନା ସମୟରେ ଅନେକ ଲୋକ ଘରେ ରହି ନିଜ ରୋଷେଇ କରିବା ସଉକକୁ ପୂରା କରୁଛନ୍ତି। ତାହା ଖୁବ୍ ଭଲ ଅଭ୍ୟାସ। ଏହାଦ୍ବାରା ସ୍ବାଦିଷ୍ଟ ଘର ତିଆରି ଖାଦ୍ୟ ଖାଇବାକୁ ମିଳିବା ସହ ମନ ମଧ୍ୟ ପ୍ରଫୁଲ୍ଲ ରହେ।

ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରିବା
କରୋନା ମହାମାରୀ ସମୟରେ ବି ଆମେ ଭାଗ୍ୟବାନ, ଆମକୁ ଏଭଳି ଚିନ୍ତା କରିବା ଦରକାର। କାରଣ ସମାଜରେ ଆହୁରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବଞ୍ଚୁଛନ୍ତି। ଏହି ଅସ୍ବାଭାବିକ ପରିସ୍ଥିତିରେ ଏଭଳି ଲୋକଙ୍କୁ ସହାୟତାର ହାତ ବଢ଼ାଇବା ଆମ ସାମାଜିକ ଦାୟିତ୍ବ। ଆମେ ନିଜ ସାମର୍ଥ୍ୟ ଅନୁଯାୟୀ ଆଖପାଖର ଗରିବ, ଅସହାୟ ଲୋକଙ୍କୁ ଖାଦ୍ୟ, ପୋଷାକ ଆଦି ଦେଇ ପାରିବା। ଆମ ପାଇଁ କାମ କରୁଥିବା ଘରୋଇ ସହାୟକ, ମାଳି, କ୍ଷୀରବାଲା, ଖବର କାଗଜ ହକର୍‌, ସ୍କୁଲ୍ ଭ୍ୟାନ୍ ଚାଳକ ବା ଅନ୍ୟ କାହାର ଯଦି ସ୍ବାସ୍ଥ୍ୟଗତ ବା ଅନ୍ୟ କୌଣସି କାରଣରୁ କିଛି ଆର୍ଥିକ ଆବଶ୍ୟକତା ପଡ଼ିଲା ତା‌’ହେଲେ ଶକ୍ତି ଅନୁଯାୟୀ ସହାୟତା କରି ପାରିବା। ପଶୁପକ୍ଷୀଙ୍କୁ ଖାଦ୍ୟପାନୀୟ ଦେବା ସହ ଆବଶ୍ୟକ ସ୍ଥଳେ ଆଖପାଖ ସଫେଇ କରିବା, ଗରିବ ରୋଗୀଙ୍କ ସେବା ଯତ୍ନ କରିବା ବା ଅଚିହ୍ନା ଅସହାୟ ମୃତକଙ୍କ ଶବଦାହ ଭଳି ମହତ କାର୍ଯ୍ୟ କରିପାରିଲେ ମନକୁ ଅସୀମ ଆ‌ତ୍ମସନ୍ତୋଷ ମିଳିବ।

ଛୋଟ ବ୍ୟବସାୟୀଙ୍କ କଥା ଚିନ୍ତା କରିବା
ଆମ ଆଖପାଖରେ ବ୍ୟବସାୟ କରି ପେଟ ପୋଷୁଥିବା ସ୍ଥାନୀୟ ‌କ୍ଷୁଦ୍ର ବ୍ୟବସାୟୀ, ବୁଲା ବିକାଳିଙ୍କୁ ସହାୟତା କରିବା ଆମର ଦାୟିତ୍ବ। କରୋନା ସମୟରେ ସେମାନେ ବି ଆର୍ଥିକ ଦୃ‌ଷ୍ଟିରୁ ବେଶ ପ୍ରଭାବିତ ହୋଇଛନ୍ତି। ଗୋଟିଏ ପଟେ ସେମାନଙ୍କ ବିକ୍ରି ହ୍ରାସ ପାଇଥିଲା ବେଳେ ଦରଦାମ ଆକାଶଛୁଆଁ ହୋଇଛି। ତେଣୁ ସେମାନେ କେମିତି ନିଜ ପରିବାରକୁ ତିନିଓଳି ଖାଇବାକୁ ଦେଇ ପାରିବେ ସେକଥା ଆମେ ଚିନ୍ତା କରିବା ଦରକାର। ଯେଉଁ ଜିନିଷ ସେମାନଙ୍କଠାରେ ମିଳୁଛି ତାହା ଆମେ ସପିଂ ମଲ୍ ବା ବଡ଼ ଦୋକାନରୁ ନ କିଣି ତାଙ୍କଠୁ ନେବା ଉଚିତ। ଏହାଦ୍ବାରା ଆମେ ସେମାନଙ୍କୁ କୌଣସି ଦୟା କରୁ ନଥିଲେ ବି ପରୋକ୍ଷରେ ସାହାଯ୍ୟ କରି ଆତ୍ମସନ୍ତୁଷ୍ଟି ଲାଭ କରିପାରିବା।

ସାମାଜିକ ଗଣମାଧ୍ୟମରେ ସେନ୍‌ସର
କରୋନା କାଳରେ ସାମାଜିକ ଗଣମାଧ୍ୟମରେ ସେନ୍‌ସର କରିବା ଜରୁରୀ। ଆମ ବଳକା ସମୟର ସିଂହଭାଗ ମୋବାଇଲ୍ ଫୋନ୍‌କୁ ଯାଉଛି ଏହା କେହି ଅସ୍ବୀକାର କରି ପାରିବେ ନାହିଁ। ମୋବାଇଲ୍ ନିଶାରୁ ଯେ ଯେତିକି ଦୂରରେ ରହିବ ସେ ଅନ୍ୟ ଭଲ କାର୍ଯ୍ୟ କରିବାକୁ ସେତେ ଅଧିକ ସମୟ ପାଇବ। ମୋବାଇଲ୍‌ ଯୋଗେ ସାମାଜିକ ଗଣମାଧ୍ୟମରେ ଆମେ ନାନା କଥା ଦେଖିଲା ବେଳେ କେଉଁଟି ଠିକ୍ ଓ କଣ ଭୁଲ ତାହା ନିଷ୍ପତ୍ତି ନେବାର କ୍ଷମତା ନିଜେ ରଖିବା ଦରକାର। ସକରାତ୍ମକ ମନୋଭାବ ପାଇଁ ସାମାଜିକ ଗଣମାଧ୍ୟମରେ ସେନ୍‌ସର ଜରୁରୀ।

ନିଜ ଲୁକ୍କାୟିତ ପ୍ରତିଭାକୁ ଆବିଷ୍କାର କରିବା
ପ୍ରତ୍ୟେକ ମଣିଷ ଭିତରେ କିଛି ନ‌ା କିଛି ଲୁକ୍କାୟିତ ପ୍ରତିଭା ରହିଛି ଯାହା ଆମେ କାମର ଚାପରେ ଏକପ୍ରକାର ପାସୋରି ଦେଇଛୁ। ଏହାକୁ ପୁନଃଆବିଷ୍କାର କରିବାର ଉପଯୁକ୍ତ ସୁଯୋଗ ଆଣି ଦେଇଛି କରୋନା। କିଏ ଭଲ କବିତା ଲେଖେ ତ’ କିଏ ଚିତ୍ର ଆଙ୍କେ। କିଏ ଭଲ ରୋଷେଇ କରେ ତ କିଏ ପୁଣି ନାଚ, ଗୀତ, ବାଦ୍ୟ ଓ ଅଭିନୟ ଆଦିରେ ରୁଚି ରଖେ। କାହାର ପସନ୍ଦ ଚେସ୍‌ ଖେଳ ତ କିଏ ବହି ପଢ଼ିବାକୁ ଭଲ ପାଏ। ନିଜ ପିଲାଙ୍କ ସହ ପିଲା ହୋଇ ଖେଳିବାକୁ ତ ସମସ୍ତଙ୍କୁ ଭଲ ଲାଗେ। ମୋବାଇଲ୍‌ ଫୋନ୍‌ରୁ ଦୂରରେ ରହି କିଛି ସମୟ ଏଥି ପାଇଁ ଦେଲେ ଅସୁବିଧା କଣ? ଦେଖନ୍ତୁ ଆପଣ ଖେଳିବା ପାଇଁ ଡାକିଲେ ଆପଣଙ୍କ କୁନି ଝିଅ ବା ପୁଅଟି ନିଜେ ଧରିଥିବା ମୋବାଇଲ୍‌ଟିକୁ ଛାଡ଼ି ଦେଇ ଖୁସିରେ ଦଉଡ଼ି ଆସିବ ଆପଣଙ୍କ ପାଖକୁ। ଆସନ୍ତୁ ଏସବୁ ଉପାୟ ଅବଲମ୍ବନ କରି ମହାମାରୀ ସମୟରେ ନିଜକୁ ସୁସ୍ଥ, ସତେଜ ଓ ପ୍ରଫୁଲ୍ଲ ରଖିବା।

ସମ୍ବନ୍ଧିତ ଖବର