ତଳେ ଟଙ୍କା ପକେଇ ଗହଣା ବ୍ୟାଗ୍‌ ଝାମ୍ପିନେଲେ

ଖଣ୍ଡଗିରି: ଆଜି ରାତି ପ୍ରାୟ ସାଢ଼େ ୮ଟାବେଳେ ସ୍ଥାନୀୟ ଧର୍ମ ବିହାର ମାର୍କେଟ୍‌ରୁ ଦୁର୍ବୃତ୍ତମାନେ ଜଣେ ଗହଣା ଦୋକାନୀଙ୍କୁ ବଡ଼ ଚତୁରତାର ସହ ଲୁଟ୍‌ କରିଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଦୋକାନୀ ହେଲେ ସ୍ଥାନୀୟ ବରବାରୀରେ ରହୁଥିବା ରଜନୀକାନ୍ତ ସାହୁ(୬୨)। ଦୁର୍ବୃତ୍ତମାନେ ତାଙ୍କଠାରୁ ନଗଦ ୫୦ ହଜାର ଟଙ୍କା ଓ ପ୍ରାୟ ୬ ଲକ୍ଷ ଟଙ୍କାର ସୁନା ଓ ରୁପା ଗହଣା ଲୁଟି ନେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ମାମଲାର ଛାନ୍‌ଭିନ୍‌ କରୁଛି। ଅଭିଯୋଗ ଅନୁସାରେ ରଜନୀକାନ୍ତ ଧର୍ମବିହାର ମାର୍କେଟ୍‌ କମ୍ପ୍ଲେକ୍ସରେ ଓମ୍‌ ମା ଦୁର୍ଗା ଜୁଏଲର୍ସ ନାମରେ ଏକ ଦୋକାନ କରିଛନ୍ତି। ଆଜି ସେ ଦୋକାନ ବନ୍ଦ କରି ଘରକୁ ଫେରିବା ପାଇଁ ତାଙ୍କ ସ୍କୁଟିରେ ବସିବାକୁ ଯାଉଥିଲେ। ସ୍କୁଟି ହ୍ୟାଣ୍ଡେଲ୍‌ରେ ସେ ଗହଣା ଓ ଟଙ୍କା ଭର୍ତି ବ୍ୟାଗ୍‌ଟି ଝୁଲାଇଥିଲେ। ଏହି ସମୟରେ ଜଣେ ଯୁବକ ତାଙ୍କୁ ଡାକିବା ସହ ପକେଟ୍‌ରୁ ଟଙ୍କା ପଡ଼ିଗଲା କି ବୋଲି ପଚାରିଲା। ରଜନୀକାନ୍ତ ତଳକୁ ଚାହିଁ ଦେଖନ୍ତି କି କିଛିି ନୋଟ୍‌ ପଡ଼ିଛି। ସେ ଟଙ୍କା ଉଠାଇବା ପାଇଁ ନଇଁ ପଡ଼ିବା ମାତ୍ରେ ଯୁବକ ଜଣଙ୍କ ହଠାତ୍‌ ସ୍କୁଟି ହ୍ୟାଣ୍ଡେଲ୍‌ରୁ ବ୍ୟାଗ୍‌ ନେଇ ଫେରାର୍‌ ହୋଇ ଯାଇଥିଲା। ରଜନୀକାନ୍ତ ଚୋର ଚୋର ବୋଲି ପାଟି କଲାବେଳକୁ ଦୁର୍ବୃତ୍ତଟି ଆଇ ଏକ ବାଇକ୍‌ରେ ପଳାଇଥିଲା।

ସମ୍ବନ୍ଧିତ ଖବର