୨ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ସତ୍ୟଭାମାପୁର ସ୍ଥିତ ପଣ୍ଡା ଭିଲ୍ଲା ପରିସରରେ ଡୁପ୍ଲେକ୍ସରେ ରହୁଥିବା ୨ ଜଣଙ୍କ ଘର କବାଟ ଓ ଗ୍ରିଲ ତାଲା କାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ସେହି ରାତିରେ ଅନ୍ୟ ଜଣଙ୍କ ଘରୁ ମଧ୍ୟ ଚୋରି ଉଦ୍ୟମ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ଘର ମାଲିକ ହେଲେ ଧନେଶ୍ବର ସାହୁ ଓ ସୁଦର୍ଶନ ପାତ୍ର। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ପତ୍ତା ପାଇନି। ଲୁଟେରାମାନେ ଧନେଶ୍ବରଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ଆଲମିରା ତାଲା ଓ ଟ୍ରଙ୍କ ଭାଙ୍ଗି ୨ ଭରି ଓଜନର ଗୋଟିଏ ସୁନାହାର, ୩ ହଳ କାନ ପେଣ୍ଡିଫୁଲ, ୨ପଟ ବାହୁଟି, ୪ ପଟ ଶଙ୍ଖା, ୨ଟି ସୁନାମୁଦି ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସୁଦର୍ଶନଙ୍କ ଘରୁ ଗୋଟିଏ ଦାମୀ ଏଲ୍‌ସିଡି ଓ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିପରି ସୁନୀଲ ରାୟଙ୍କ ଘରେ ପଶି ଆଲମିରା ତାଲା ଭାଙ୍ଗି ସବୁ ଜିନିଷପତ୍ର ଫିଙ୍ଗା ଫୋପଡ଼ା କରିଥିଲେ। ମାତ୍ର ସେ ସୁନା ଅଳଙ୍କାର ଓ ଟଙ୍କା ଅନ୍ୟତ୍ର ରଖି ଦେଇଥିବାରୁ ନେଇପାରି ନଥିବା ସେ ପୁଲିସ ଆଗରେ କହିଛନ୍ତି। ଧନେଶ୍ବର ଗତକାଲି ଘରେ ନଥିବା ବେଳେ ତାଙ୍କ ପତ୍ନୀ ଇନ୍ଦ୍ରପାଳ ଗ୍ରାମକୁ ଯାତ୍ରା ଦେଖିବାକୁ ପଳାଇଥିଲେ। ସୁଦର୍ଶନ ବି ପରିବାର ଲୋକଙ୍କ ସହିତ ୪ ଦିନ ହେଲା ଦିଲ୍ଲୀ ପଳାଇଥିବା ନେଇ ସୂଚନା ମିଳିଛି। ଏହି ସୁଯୋଗରେ ଲୁଟେରାମାନେ ବେଧଡ଼କ ଭାବେ ଘର ତାଲା ଭାଙ୍ଗି ଏଭଳି ଲୁଟପାଟ କରିବାରେ ସଫଳ ହୋଇଥିବା‌ ଜଣାପଡ଼ିଛି। ଗତ ୧୫ ଦିନ ତଳେ ମଧ୍ୟ ଅନ୍ୟ ୩ ଜଣଙ୍କ ଘର କବାଟ ତାଲା ଭାଙ୍ଗି ଅନୁରୂପ ଭାବେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୁଲିସ ଏଯାଏ ଏହି ଗ୍ୟାଙ୍ଗକୁ ଠାବ କରିପାରି ନଥିବା ବେଳେ କିଛି ଦିନ ପରେ ପୁଣି ଲୁଟ ହେବା ଘଟଣା କଲୋନି ବାସିନ୍ଦାଙ୍କ ଚିନ୍ତାର କାରଣ ହୋଇଛି। ପୁଲିସର ଦୁର୍ବଳ ପାଟ୍ରୋଲିଂ ଯୋଗୁ ଚୋରି ବଢ଼ୁଥିବା ନେଇ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର