ସୁନା ଭଣ୍ଡାର: ଭାରତ ପାଖରେ ୬୦୭ ଟନ୍

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପାଖରେ ବିଶାଳ ସୁନା ଭଣ୍ଡାର ରହିଛି। ସେହି ଭଣ୍ଡାରରେ ପାକିସ୍ତାନ ଠାରୁ ୧୦ ଗୁଣା ଅଧିକ ସୁନା ଗଚ୍ଛିତ ରହିଛି। ଭାରତ ପାଖରେ ଏବେ ମୋଟ ୬୦୭ ଟନ୍ ସୁନା ଥିବା ଜଣାପଡ଼ିଛି। ସୁନା ବ୍ୟବହାର କରିବାରେ ଭାରତ ଏକ ନମ୍ବର ସ୍ଥାନରେ ଥିବା ବେଳେ ଏହାର ସୁନା ଭଣ୍ଡାର ହେଉଛି ବିଶ୍ବର ୧୧ତମ ବଡ଼ ଭଣ୍ଡାର। ପାକିସ୍ତାନ ପାଖରେ ମାତ୍ର ୬୪.୬ ଟନ୍ ସୁନା ରହିଛି। ବିଶ୍ବ ସୁନା ପରିଷଦ (ଡବ୍ଲୁଜିସି) ପକ୍ଷରୁ ଜାରି କରାଯାଇଥିବା‌ ରିପୋର୍ଟରୁ ଏହା ଜଣାପଡ଼ିଛି। ଚୀନ୍ ପାଖରେ ବିପୁଳ ପରିମାଣର ସୁନା ରହିଛି। ବିଗତ ଚାରି ମାସ ଭିତରେ ଏହାର ସୁନା ଭଣ୍ଡାରରେ ୬୦.୬୨ ଟନ୍ ନୂଆ ସୁନା ଭର୍ତି କରିଛି। ଏହାର ଭଣ୍ଡାରରେ ଭାରତ ଠାରୁ ଯଥେଷ୍ଟ ଅଧିକ ସୁନା ରହିଛି। ସୁନା ଭଣ୍ଡାର ଆକାର ଅନୁସାରେ ଚୀନ୍ ସପ୍ତମ ସ୍ଥାନରେ ଥିବା ବେଳେ ୨୧୧୯ ଟନ୍ ସୁନା ଭଣ୍ଡାର ସହିତ ରୁଷିଆ ଷଷ୍ଠ ସ୍ଥାନରେ ରହିଛି। ଆମେରିକା ପାଖରେ ସର୍ବାଧିକ ୮୧୩୩ ଟନ୍ ସୁନା ଅଛି। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଜର୍ମାନି (୩୩୭୦ ଟନ୍), ତୃତୀୟରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (୨୮୧୪ ଟନ୍), ଚତୁର୍ଥରେ ଇଟାଲି (୨୩୫୨ ଟନ୍) ଓ ପଞ୍ଚମରେ ଫ୍ରାନ୍ସ (୨୪୩୬ ଟନ୍‌) ରହିଛି।୨୦୧୯ରେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ୬୫୦ ଟନ୍ ସୁନା କିଣିବେ ବୋଳି ଏହି ରିପୋର୍ଟରେ ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର