ଦୁଇଗୋଷ୍ଠୀ ମଧ୍ୟରେ ମାର୍‌ପିଟ, ୫ରୁ ଊର୍ଧ୍ୱ ଆହତ :ଉଭୟ ପକ୍ଷରୁ ୧୧ଗିରଫ

ଭୁବନେଶ୍ୱର : ରବିବାର ବିଳମ୍ବିତ ରାତିରେ ୟୁନିଟ୍‌-୯ ସ୍ଥିତ ଆକାଶ ଖଟି ଅଞ୍ଚଳ ଅଶାନ୍ତ ହୋଇ ଉଠିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ଖବରପାଇ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରିତ ହୋଇଥିଲା। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା। ଏଥିରେ ସମ୍ପୃକ୍ତ ଥିବା ଉଭୟ ପକ୍ଷରୁ ୧୧ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗୋଟିଏ ପକ୍ଷର ମଞ୍ଚେଶ୍ୱର ଅଞ୍ଚଳର ବିଶ୍ୱଜିତ ବେହେରା ଓରଫ ପିଙ୍କୁ(୨୯), ସହିଦନଗର ଅଞ୍ଚଳର ଅମ୍ରିତ ଚକ୍ରବର୍ତ୍ତୀ(୨୦), ରିଜର୍ଭପୁଲିସ୍‌ ଲାଇନ୍‌ ବସ୍ତିର ଅଭିଜିତ୍‌ ଦାସ(୨୫), ଇନ୍‌ଫୋସିଟି ପ୍ରଶାନ୍ତିବିହାର ଅଞ୍ଚଳର ମାନସ ରଞ୍ଜନ ନାୟକ(୩୫) ଓ ମଞ୍ଚେଶ୍ୱର ଜଗନ୍ନାଥନଗରର ସୁବାଶିଷ ଗୁରୁ ଓରଫ ସିପୁ(୩୨)। ଅନ୍ୟ ପକ୍ଷର ୟୁନିଟ୍‌-୪ ମାଛମାର୍କେଟ ଅଞ୍ଚଳର ଶିବ ବେହେରା(୨୨), ବିଜୟ ବେହେରା(୨୨), ସନ୍ତୋଷ ବେହେରା(୨୧), ରାକେଶ ବେହେରା(୨୧), ପଞ୍ଚୁ ବିଶ୍ୱାଳ(୨୩) ଏବଂ ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳର ସେକ୍‌ ରାଜା(୨୩)।

ସୂଚନା ମୁତାବକ, ରବିବାର ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଆକାଶ ଖଟିର ସୁଶାନ୍ତ ପାଢ଼ୀ, ବିଶ୍ୱଜିତ, ମାନସ, ସିପୁ ଓ ସେମାନଙ୍କ ସହଯୋଗୀ ଗଣେଶ ପୁଜା ମେଲୋଡି କାର୍ଯ୍ୟକ୍ରମରେ ବ୍ୟସ୍ତ ଥିଲେ। ଏହି ସମୟରେ ୟୁନିଟ୍‌-୪ ବସ୍ତିର କାଦିର ଅଲ୍ଲୀ ଖାନ୍‌, ଶିବ, ବିଜୟ, ସନ୍ତୋଷ ଓ ସେମାନଙ୍କ ସହଯୋଗୀ ଗଣେଶ ଭସାଣି ସାରି ଘରକୁ ଫେରୁଥିଲେ। ତେବେ ମେଲୋଡି ଚାଲିଥିବା ଦେଖି ସେମାନେ ଅଟକି ଯାଇଥିଲେ। କୌଣସି କାରଣକୁ ନେଇ ଉଭୟ ଗୋଷ୍ଠୀର ଯୁବକମାନଙ୍କ ମଧ୍ୟରେ ଗାଳିଗୁଲଜ ହୋଇଥିଲା। କଥା କଟାକଟିରୁ ଉଭୟ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌ ଲାଗିଥିଲା।  ଏହା ଦେଖି ଲୋକମାନେ ଭୟରେ ଦୌଡ଼ା ଦୌଡ଼ି କରିଥିଲେ। ମାର୍‌ପିଟ ଯୋଗୁଁ ଉଭୟ ଗୋଷ୍ଠୀର ୫ରୁ ଊର୍ଧ୍ୱ ଯୁବକ ଆହତ ହୋଇଥିଲେ। ଏନେଇ କାଦିର ଅଲ୍ଲୀ ଖାନ୍‌ ଓ ସୁଶାନ୍ତ ପାଢ଼ୀ ଥାନାରେ ଅଭିଯୋଗ କରିବା ପରେ ଆଜି ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଉଭୟ ପକ୍ଷରୁ ୧୧ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିିଛି।

ସମ୍ବନ୍ଧିତ ଖବର