ଠିକାଦାରଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲା : ମୋଷ୍ଟ ଓ୍ଵାଣ୍ଟେଡ୍‌ ରସିଦ୍‌ ସମେତ ୨ ଗିରଫ

ଖଣ୍ଡଗିରି : ୧୫ ତାରିଖ ରାତିରେ ସ୍ଥାନୀୟ ଡୁମୁଡୁମାର ଠିକାଦାର ରାଜେଶ ପାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଖଣ୍ଡଗିରି ଥାନା ପୁଲିସ ପୁଣି ୨ ଜଣଙ୍କୁ ଗିରଫ କରିଛି। ଏହି ଦୁଇ ଜଣ ହେଲେ ଲକ୍ଷ୍ମୀସାଗର ଥାନା ଝାରପଡ଼ାର ମହମ୍ମଦ ରସିଦ୍‌(୨୦) ଓ ବାଲିଅନ୍ତାର ପ୍ରତୀକ ମହାନ୍ତି(୨୨)। ସୋମବାର ପୁଲିସ ଏହି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ରସିଦ୍‌ ନାଁରେ ଦାଦାବଟି ପାଇଁ ୨ଟି ହତ୍ୟା ଉଦ୍ୟମ ମାମଲା ଥିବାରୁ ସେ ଖଣ୍ଡଗିରି ଥାନା ପୁଲିସ ପାଇଁ ଓ୍ଵାଣ୍ଟେଡ୍‌ ଥିଲା। ସେହିଭଳି ପ୍ରତୀକ ନାଁରେ ମଧ୍ୟ ବିଭିନ୍ନ ଥାନାରେ ମାମଲା ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଘଟଣା ସମୟରେ ପୁଲିସ ହାତରେ ଧରାପଡ଼ିଥିବା ୨ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରୁ ଜାମିନ୍‌ ମିଳିଯାଇଛି।

 

ଖଣ୍ଡଗିରି ଅଞ୍ଚଳରେ ଘଟୁଥିବା ପ୍ରାୟ ସଂଘବଦ୍ଧ ଆକ୍ରମଣରେ ମହମ୍ମଦ ରସିଦ୍‌ର ହାତ ରହୁଥିଲା। ଦାଦାବଟି ଆଦାୟ ପାଇଁ ସେ ଏକ ଗ୍ୟାଙ୍ଗ୍‌ ଗଢ଼ିଥିଲା। ତା ଗ୍ୟାଙ୍ଗ୍‌ରେ କମିସନରେଟ୍‌ ପୁଲିସର ଜଣେ ଡ୍ରାଇଭର୍‌ଙ୍କ ଦୁଇ ପୁଅ ବି ସାମିଲ୍‌ ହୋଇଥିଲେ। ବିଶେଷକରି ସ୍ଥାନୀୟ ଇଂଜିନିୟରିଂ କଲେଜ ଛାତ୍ରମାନଙ୍କୁ ଟାର୍ଗେଟ୍‌ କରି ସେ ଗଣ୍ଡଗୋଳ କରୁଥିଲା ଓ ବଟି ଆଦାୟ କରୁଥିଲା। ଖଣ୍ଡଗିରି ଥାନାରେ ରସିଦ୍‌ ନାଁରେ ଦୁଇଟି ହତ୍ୟା ଉଦ୍ୟମ ମାମଲା ରହିଛି। ଦୁଇଟି ଯାକ ମାମଲାରେ ସେ ବଟି ପାଇଁ ଦୁଇ ଜଣ ଇଂଜିନୟରିଂ ଛାତ୍ରଙ୍କ ମୁଣ୍ଡକୁ ଖଣ୍ଡାରେ ଚୋଟ ପକାଇ ଆକ୍ରମଣ କରିଥିଲା। ତାକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ କରି ବିଫଳ ହୋଇଥିଲା। ଗତ ୧୫ ତାରିଖ ରାତିରେ ଠିକାଦାର ରାଜେଶ ତାଙ୍କ ମହୋଦଧି କନ୍‌ଷ୍ଟ୍ରକସନ୍‌ କାର୍ଯ୍ୟାଳୟରୁ ଘରକୁ ଫେରୁଥିବାବେଳେ ରସିଦ୍‌ ଓ ତା ଗ୍ୟାଙ୍ଗ୍‌ ବାଟରେ ତାଙ୍କ କାର୍‌କୁ ଅଟକାଇ ଆକ୍ରମଣ କରିଥିଲେ। ସୌଭାଗ୍ୟକୁ ଠିକଣା ସମୟରେ ଖଣ୍ଡଗିରି ଥାନା ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚିଯିବାରୁ ରାଜେଶ ବର୍ତି ଯାଇଥିଲେ ଓ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବାବେଳେ ପୁଲିସ ହାତରେ ୨ ଜଣ ନାବାଳକ ଧରାପଡ଼ିଯାଇଥିଲେ। କିନ୍ତୁ ରସିଦ୍‌ ଓ ଅନ୍ୟମାନେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ପୁଲିସ ଘଟଣାସ୍ଥଳରୁ ଦୁର୍ବୃତ୍ତମାନଙ୍କ ୨ଟି କାର୍‌ ଓ ଗୋଟିଏ ଖଣ୍ଡା ସମେତ ୮ଟି ବଲ୍‌ହା ଜବତ କରିଥିଲା। ଆଜି ଭୋର୍‌ ସମୟରେ ପୁଲିସ କଟକରୋଡ୍‌ର ଏକ ଗ୍ୟାରେଜ୍‌ରେ ଚଢ଼ଉ କରି ରସିଦ୍‌ ଓ ପ୍ରତୀକକୁ ଗିରଫ କରିଥିଲା। ପୁଲିସକୁ ଚକ୍‌ମା ଦେବାକୁ ଚେଷ୍ଟା କରି ଗ୍ୟାରେଜ୍‌ ବାଡ଼ ଡେଇଁବାକୁ ଉଦ୍ୟମ କଲାବେଳେ ପ୍ରତୀକ ଆହତ ହୋଇଥିଲା। କିନ୍ତୁ ପୁଲିସ ହାତରୁ ଖସି ପାରିନଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ୨ ପୁଲିସ ପୁଅଙ୍କୁ ଗିରଫ କରିବା ପାଇଁ ଚଢ଼ଉ ଜାରି ରହିଛି।

ସମ୍ବନ୍ଧିତ ଖବର