ନାବାଳକ ଅପହରଣକାରୀ ଗିରଫ

ଗୁଣ୍ଡୁରୁଚୂଆଁ/କୁଚିଣ୍ଡା: ୧୦ ବର୍ଷର ବାଳକ ସାହିଲ ଅପହରଣ ଘଟଣାରେ କୁଚିଣ୍ଡା ପୁଲିସ୍‌ ଜମନକିରା ଥାନା କାଲୋପଡ଼ା ଗାଁର ନିରଂଜନ ସୁନାନୀ (୨୨) ନାମକ ଜଣେ ଯୁବକକୁ ଗିରଫ କରିଛି। ନିରଂଜନ ଟଙ୍କା ଲୋଭରେ ସାହିଲକୁ ଅପହରଣ କରି ନେଇ ମୁଣ୍ଡ ଜାମିନ ରଖିଥିବା ଓ ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କା ଦାବି କରିଥିବା ପୁଲିସ୍‌ ସୂତ୍ରରୁ ଜଣା ପଡ଼ିଛି। ୩ ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ବାଦିବାହାଲ ଗାଁର ମୁରଲୀ ନାଏକଙ୍କ ପୁଅ ସାହିଲ ନାଏକ (୧୦ ବର୍ଷ)କୁ ତାଙ୍କ ମାମୁଁ ଘର ଗାଁ ଗୁଣ୍ଡୁରଚୂଆଁରୁ ଅପହରଣ କରାଯାଇଥିଲା। ସାହିଲ ନିଜ ମାମୁଁ ଘର ଗୁଣ୍ଡୁରୁଚୂଆଁରେ ରହି ଅରବିନ୍ଦ ସ୍କୁଲରେ ପାଠ ପଢ଼ୁଥିଲେ। ଗତ ଗତ ୬ ତାରିଖ ଅପରାହଣରେ ନିଜ ସାଂଗ ସହ ବୁଲିବାକୁ ବାହାରିଥିବା ବେଳେ ପରେ ସାଂଗ ଜଣକ ନିଜ ଘରକୁ ଫେରି ଆସିଥିଲେ। ସୁଢ଼େନପାଲି ଗାଁ ନିକଟ ଏକ ପଡ଼ିଆରୁ ସାହିଲକୁ ଦୁର୍ବୃତ୍ତମାନେ ଅପହରଣ କରି ନେଇ ଯାଇଥିଲେ। ତାଙ୍କୁ ଛାଡ଼ିବା ପାଇଁ ଅଭିଭାବକଙ୍କଠାରୁ ଫୋନ୍‌ ଯୋଗେ ୧ ଲକ୍ଷ ଟଙ୍କା ଦାବି କରିଥିଲେ। ସେମାନେ ସାହିଲକୁ ଜଙ୍ଗଲରେ ଏକ ଗଛରେ ବାନ୍ଧି ରଖିଥିବାବେଳେ ସେ କୌଶଳ କ୍ରମେ ଖସି ଆସିଥିଲେ। କୁଚିଣ୍ଡା ପୁଲିସ୍‌ ଘଟଣାର ତଦନ୍ତ କରି ନିରଂଜନକୁ ଗିରଫ କରିଛି। ସାହିଲ ମଧ୍ୟ ଅଭିଯୁକ୍ତ ନିରଂଜନକୁ ଚିହ୍ନଟ କରିଥିବା ପୁଲିସ୍‌ ସୂତ୍ରରୁ ଜଣା ପଡ଼ିଛି। ଏହି ଘଟଣାରେ ଅନ୍ୟ କାହାର ସଂପୃକ୍ତି ଥିବା ନେଇ ପୁଲିସ୍‌ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ନିରଂଜନଠାରୁ ଏକ ହିରୋହଣ୍ଡା ମୋଟରସାଇକଲ (ଓଡି ୧୫ଏଫ୍‌ ୯୭୧୪) ଓ ଏକ ମୋବାଇଲ ଫୋନ ଜବତ କରିଛି। ପୁଲିସ୍‌ ଅଭିଯୁକ୍ତର କାଲୋପଡ଼ାସ୍ଥିତ ଘରକୁ ଯାଇ ମଧ୍ୟ ଛାନ୍‌ଭିନ୍‌ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର