ଖଣ୍ଡଗିରି: ଗତ ୧୮ ତାରିଖରେ ଯାଁଳା ବଜାରସ୍ଥିତ ସ୍ୱାତୀ ଜୁଏଲର୍ସରୁ ସୁନାଗହଣା ଲୁଟ୍ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଖସି ପଳାଇଥିବା ୨ ଜଣ ଛତିଶଗଡ଼ ଲୁଟେରାଙ୍କୁ ଯାଁଳା ଫାଣ୍ଡି ପୁଲିସ ଗିରଫ କରିଛି। ସେମାନେ ହେଲେ, ଗୁଲାମ୍ ହୋସେନ୍ (୧୯) ଓ ସଲମନ୍ ହୋସେନ୍ (୨୦)। ସେମାନଙ୍କୁ ପୁଲିସ ଶନିବାର କୋର୍ଟ ଚାଲାଣ କରିଛି। ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଘଟଣା ଦିନ ସକାଳ ପ୍ରାୟ ୧୧ଟା ବେଳେ ଯାଁଳା ଜୁଏଲର୍ସର ମାଲିକ ଲୋକାନାଥ ସୁବୁଦ୍ଧି ଦୋକାନ ଖୋଲି ପୂଜା କରୁଥିବା ବେଳେ ଲୁଟେରାଦ୍ୱୟ ଦୋକାନ ଭିତରକୁ ପଶିଥିଲେ। ଲୋକନାଥ ଧୂପ ବୁଲାଉଥିବା ବେଳେ ହଠାତ୍ ସେମାନେ ତାଙ୍କ ପେଟରେ ଛୁରି ଲଗାଇ ସୁନାଗହଣା ବାହାର କରିବାକୁ ଧମକାଇଥିଲା। କିନ୍ତୁ ଲୋକନାଥ ଡରି ନଯାଇ ସେମାନଙ୍କୁ ଏକ ଶକ୍ତ ଧକ୍କା ପକାଇ ଦୋକାନ ବାହାରକୁ ଧାଇଁ ଆସିଥିଲେ। ଦୁର୍ବୃତ୍ତଦ୍ୱୟ ମଧ୍ୟ ଲୁଟ୍ ଉଦ୍ୟମ ବିଫଳ ହେବା ଦେଖି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।