ବାଣୀବିହାର ଛାତ୍ରଙ୍କୁ ମାଡ଼ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଦୁର୍ଯ୍ୟୋଧନ ମହାପାତ୍ର (୨୮)। ଏଠାରେ ସେ ବାୟାବାବା ମଠ ନିକଟରେ ରହୁଥିଲା। ବୁଧବାର ସନ୍ଧ୍ୟାରେ ଦୁର୍ଯ୍ୟୋଧନ ଓ ତାର କେତେକ ସହଯୋଗୀ ଉତ୍କଳ ବିଶ୍ୱବିଦ୍ୟାଳୟରେ ପଶି ହୋହଲ୍ଲା କରିଥିଲେ। ତେବେ ସେଠାରେ ଥିବା ଅସିତ ରଞ୍ଜନ ଦାସ ନାମକ ଜଣେ ଛାତ୍ର ଏହାକୁ ବିରୋଧ କରିଥିଲେ। ଫଳରେ ଦୁର୍ଯ୍ୟୋଧନ ଓ ତାର ସହଯୋଗୀମାନେ ଉତ୍ତ୍ୟକ୍ତ ହୋଇ ଅସିତଙ୍କୁ ମାଡ଼ ମାରିଥିଲେ। ଏ ନେଇ ଅସିତ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ରଞ୍ଜନକୁ ଗିରଫ କରିଥିଲା। ତାକୁ ଥାନାରେ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି।

ଅଟୋ ଚାଳକଙ୍କୁ ଆକ୍ରମଣ, ଯୁବକ ଗିରଫ

ଭୁବନେଶ୍ୱର : ବ୍ରାଉନସୁଗାର ମାଗିବାକୁ ନେଇ ଜଣେ ଅଟୋଚାଳକଙ୍କୁ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଲକ୍ଷ୍ମୀସାଗର ଲେଙ୍କା ସାହି ଅଞ୍ଚଳର ସଂଗ୍ରାମ କେଶରୀ ଲେଙ୍କା(୩୨)କୁ ଗିରଫ କରିଛି। ପୁଲିସ ସୂଚନା ମୁତାବକ, କିଛିଦିନ ତଳେ ବାବୁ ବେହେରା ନାମକ ଜଣେ ଅଟୋ ଚାଳକ ହଳଦୀପଡ଼ିଆ ବସ୍ତିରୁ ଫେରୁଥିବା ସମୟରେ ସଂଗ୍ରାମ ତାଙ୍କୁ ଅଟକାଇ ବ୍ରଉନ୍‌ସୁଗାର ମାଗିଥିଲା। ହେଲେ ସେ କେଉଁଠୁ ବ୍ରାଉନ୍‌ସୁଗାର ଆଣିବେ ବୋଲି ସଂଗ୍ରାମକୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସଂଗ୍ରାମ ଗାଳିଗୁଲଜ କରିଥିଲା। ବାବୁ ଏହାର ପ୍ରତିବାଦ କରିବାରୁ ସଂଗ୍ରାମ ଓ ତାର କେତେକ ସହଯୋଗୀ ବାବୁଙ୍କୁ ମାଡ଼ ମାରିଥିଲେ। ଏନେଇ ବାବୁଙ୍କ ମା’ ସୂର୍ଯ୍ୟମଣି ବେହେରା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ସଂଗ୍ରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର