ଇନ୍ସପେକ୍ଟରଙ୍କ ମୋବାଇଲ ଫୋନ ଚୋରି ଘଟଣା : ପୁଲିସ କବ୍‌ଜାରେ ୩ ଚୋର, ବାଇକ୍, ମୋବାଇଲ ଫୋନ୍ ଜବତ

ଭୁବନେଶ୍ବର : ଭୁବନେଶ୍ବର ଟ୍ରାଫିକ ଥାନା ଇନ୍ସପେକ୍ଟର ସୁରେନ୍ଦ୍ର ବଳଙ୍କ ମୋବାଇଲ ଚୋରି ଘଟଣାର ୨୪ ଘଣ୍ଟା ମଧ୍ୟରେ କ୍ୟାପିଟାଲ ଥାନା ପୁଲିସ ୩ ଯୁବକଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଇନ୍ସପେକ୍ଟରଙ୍କ ଦୁଇଟି ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଚୋରା ବାଇକ୍ ଜବତ କରିଛି। ସମସ୍ତଙ୍କ ଘର ଖୋର୍ଧା ଜିଲ୍ଲା ବେଗୁନିଆ ଶବରସାହି‌ରେ। ପୁଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆସନ୍ତାକାଲି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କ୍ୟାପିଟାଲ ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଏଜି ଛକରେ ଟ୍ରାଫିକ ଚେକିଂବେଳେ ପୁଲିସ ଏକ ବାଇକକୁ ଥାନାକୁ ନେଇ ଯାଇଥିଲା। ଏଥିରେ ୩ ଜଣ ଯୁବକ ଟ୍ରାଫିକ ଥାନାକୁ ଆସି ଛାଡ଼ି ଦେବାକୁ ନେହୁରା ହେଉଥିଲେ। ଏହି ସମୟରେ ଇନ୍ସପେକ୍ଟର ଶ୍ରୀ ବଳ ତାଙ୍କ ମୋବାଇଲ୍ ଫୋନ ଦୁଇଟି ଟେବୁଲ ଉପରେ ଥୋଇ ବାଥରୁମ ଯାଇଥିଲେ। ଏହାର ସୁଯୋଗ ନେଇ ଯୁବକମାନଙ୍କ ମଧ୍ୟରୁ ଜଣେ ଇନ୍ସପେକ୍ଟରଙ୍କ ମୋବାଇଲ ଫୋନ୍ ଚୋରାଇ ନେଇଥିଲା। ବାଥରୁମରୁ ଫେରିବା ପରେ ତାଙ୍କ ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ତୁରନ୍ତ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ସିସିଟିଭି ଯାଞ୍ଚ କରିବା ପରେ ଦୁର୍ବତ୍ତମାନଙ୍କୁ ଚିହ୍ନଟ କରିଥିଲା। ରବିବାର ରାତିରେ ଏସ୍‌ଆଇ ଷ୍ଟାଲିନ ବିଶ୍ବାଳଙ୍କ ନେତୃତ୍ବରେ ଏକ ଟିମ ବେଗୁନିଆରେ ଚଢ଼ଉ କରିଥିଲା। ଚଢ଼ଉବେଳେ ପୁଲିସ ସେମାନଙ୍କ ନିକଟରୁ ମୋବାଇଲ ଫୋନ୍‌ ଜବତ କରିଥିଲା। ଆଜି ସେମାନଙ୍କୁ ପଚରାଉଚରା ବେଳେ ସେମାନେ ରାଜଧାନୀର ବିଭିନ୍ନ ସ୍ଥାନରୁ ଏଭଳି ଚୋରି, ଲୁଟପାଟ କରିଛନ୍ତି ବୋଲି ମାନିଛନ୍ତି।  ଅନ୍ୟପକ୍ଷରେ ଇନ୍ସପେକ୍ଟରଙ୍କ ମୋବାଇଲ ଚୋରି ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଯେମିତି ତତ୍ପରତା ଦେଖାଇଲା ତାହା ସାଧାରଣ ଲୋକଙ୍କ କ୍ଷେତ୍ରରେ କାହିଁକି ଘଟୁନାହିଁ ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର