ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

୩ ଗିରଫ, ୯ ଫେରାର

ଖୁଣ୍ଟୁଣୀ,୩: ଖୁଣ୍ଟୁଣୀ ଥାନା ଘଣ୍ଟିଖାଲ ପଞ୍ଚାୟତ ନିଧିପୁର ଗ୍ରାମ ଚୁଡାଖିଆ ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ବିଚ୍‌ ରାସ୍ତାରେ ୧୨ ଜଣ ଯୁବକ ଜଣେ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଏହି ଘଟଣାକୁ କେନ୍ଦ୍ରକରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଉତ୍ତ୍ୟକ୍ତ ଲୋକେ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଅନ୍ୟପକ୍ଷରେ, ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିବାବେଳେ ୯ ଜଣ ଫେରାର୍‌ ହୋଇଯାଇଛନ୍ତି। ମୃତ ବ୍ୟକ୍ତି ‌େହଲେ, କଖଡି ପଞ୍ଚାୟତ ମାହାଳପଡା ଗ୍ରାମର ଗୋଲଖ ପ୍ରଧାନ (୪୯)। ଗୋଲଖ କଖଡ଼ି ନିକଟରେ ଥିବା ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାର୍ଶ୍ୱରେ ପାଣି ପାଉଚ ଓ ସ୍ନାକ୍ସ ଦୋକାନ କରିଥିଲେ। ଗତକାଲି ଗଣେଶ ପୂଜା ସମୟରେ ସେ ନିଜର ଜଣେ ସମ୍ପର୍କୀୟଙ୍କ ସହିତ ଠିଆ ହୋଇଥିବା ବେଳେ ୧୨ ଜଣ ଯୁବକ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏକ କାଠ ବେଞ୍ଚର ଗୋଡ ଓ ଠେଙ୍ଗାରେ ନିସ୍ତୁକ ପିଟିଥିଲେ। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପ୍ରାଣ ଯାଇଛି।

ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମାହାଳପଡା ଗ୍ରାମରେ ଚାପା ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ। କଟକର ଅତିରିକ୍ତ ଏସ୍‌ପି, ଚୌଦ୍ୱାର ଏସଡିପିଓ, ଖୁଣ୍ଟୁଣୀ ଥାନା ଅଧିକାରୀ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।

ଅନ୍ୟପକ୍ଷରେ, ଖୁଣ୍ଟୁଣୀ ପୁଲିସ ସ୍ଥାନୀୟ ରାମଶ୍ୟାମପୁର ଜଙ୍ଗଲରେ ଚଢଉ କରି ତିନି ଜଣ ଅଭିଯୁକ୍ତ ବିରଞ୍ଚି ବାରିକ, ଅଭିଜିତ ମହାନ୍ତି, ପରମେଶ୍ୱର ରାଉତଙ୍କୁ ଗିରଫ କରିଥିବା ଏସଡିପିଓ ପ୍ରଶାନ୍ତ ମଲ୍ଲ ସୂଚନା ଦେଇଛନ୍ତି। ଅନ୍ୟ ୯ ଜଣ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ପାଣି ପାଉଚ କିଣାକୁ ନେଇ ଗୋଲଖଙ୍କ ସମ୍ପର୍କୀୟଙ୍କ ସହ ଅଭିଯୁକ୍ତ ମାନଙ୍କର ବଚସାରୁ ଏଭଳି ଅଭାବନୀୟ କାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର