ଇଟାରେ ଛେଚି ଯୁବକଙ୍କୁ ହତ୍ୟା: ୪ ଦିନ ପରେ ବି ପୁଲିସ ହାତ ଖାଲି, ପ୍ରତିବାଦରେ ଗ୍ରାମବାସୀଙ୍କ ଥାନା ଘେରାଉ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଗୋତଳ ଗ୍ରାମ (ଟୋଲକପଡ଼ା)ର ପ୍ରଭାକର ପ୍ରଧାନଙ୍କ ବଡ଼ପୁଅ ସାଗର ଓରଫ ପ୍ରକାଶ ରାୟ (୩୮)ଙ୍କୁ ୪/୫ ଜଣ ଯୁବକ ଇଟାରେ ଛେଚି ହତ୍ୟା କରିଛନ୍ତି। ଏନେଇ ମୃତ ସାଗରଙ୍କ ସାନଭାଇ ପ୍ରଭାତ ରାୟ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ କେସ୍‌ ନଂ ୨୬୪/୧୯ରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଛି। ଗତ ୮ ତାରିଖ ରାତି ୯ଟାରେ ଭେଲୁରୀହାଟ ଆମ୍ବତୋଟା ନିକଟରେ ଏହି ଘଟଣା ଘଟିଥିଲା। ସଂପୃକ୍ତ ଯୁବକମାନଙ୍କ ସଂଘବଦ୍ଧ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ସାଗରଙ୍କ ସହିତ ସେଠାକୁ ଯାଇଥିବା ବଳରାମ ସାହୁଙ୍କ ଠାରୁ ଖବର ପାଇ ପରିବାର ଲୋକେ ସାଗରଙ୍କୁ ଉଦ୍ଧାର କରି ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୮ଟା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତ୍ୟୁ ଖବର ପାଇ ଉତ୍ତ୍ୟକ୍ତ ଗ୍ରାମବାସୀ ଆଜି ଅପରାହ୍‌ଣରେ ଥାନା ଘେରାଉ କରିବା ସହ ଧାରଣା ଦେଇଥିଲେ। ଏନେଇ ଥାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ପ୍ରଦୀପ ରାଉତ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ଅନ୍ୟପକ୍ଷରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲା। ଭେଲୁରୀ ଗ୍ରାମର ଅଜୟ ଦାସ (୪୦) ଓ ତାଙ୍କ ସହିତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କ ସଂପର୍କରେ ଗ୍ରାମବାସୀମାନଙ୍କୁ ପଚାରି ବୁଝିଥିଲା। ଅଭିଯୋଗରେ ଅଜୟ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଥିବା ଥାନା ଅଧିକାରୀ ଶ୍ରୀ ରାଉତ ସୂଚନା ଦେଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ୮ ତାରିଖ ରାତିରେ ସାଗର ବଇଁଚୁ‌ଆ ବଜାରକୁ ଯାଇଥିଲେ। ଅଭିଯୁକ୍ତ ଯୁବକମାନେ ରାସ୍ତାରେ ବସି ମଦ ପିଉଥିଲେ। ଏହାକୁ ନେଇ ସାଗରଙ୍କର ଉକ୍ତ ଯୁବକମାନଙ୍କ ସହ ବଚସା ହୋଇଥିଲା। ସାଗର ଫେରିବା ବେଳେ ନିଶାଗ୍ରସ୍ତ ଯୁବକମାନେ ଇଟାରେ ସାଗରଙ୍କ ମୁଣ୍ଡକୁ ଛେଚି ଦେଇଥିଲେ। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଉଭୟ ପକ୍ଷର ଯୁବକମାନେ ମିଶି ଆମ୍ବତୋଟାରେ ଭୋଜି କରୁଥିଲେ। କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଜୟ ଓ ତାଙ୍କ ସହଯୋଗୀମାନେ ସାଗରଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର