୨୩ ଯାଏ ଓଡ଼ିଶାକୁ ବାତ୍ୟା ଭୟ ନାହିଁ, ଦୁଇ ଦିନରେ ଓଡ଼ିଶା ଛାଡ଼ିବ ମୌସୁମୀ, ଆସୁଛି ଉତ୍ତର ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଦୁଇ ତିନି ଦିନ ଭିତରେ ଓଡ଼ିଶା ଛାଡ଼ିବ। ଏବେ ଛତିଶଗଡ଼, ତେଲେଙ୍ଗାନା, ଝାଡ଼ଖଣ୍ଡରୁ ମୌସୁମୀ ପ୍ରତ୍ୟାହାର ହୋଇ ସାରିଥିବାବେଳେ ଖୁବ୍‌ ଶୀଘ୍ର ଓଡ଼ିଶାରୁ ପ୍ରତ୍ୟାହାର ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛାଡ଼ିବା ପରେ ଉତ୍ତର ପଶ୍ଚିମ ମୌସୁମୀ ଓଡ଼ିଶାରେ ପ୍ରବେଶ କରିବ। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିଲେ ହେଁ ଏବେ ଓଡ଼ିଶାରେ ଏହା ପ୍ରଭାବରେ ବିଶେଷ ବର୍ଷା ନାହିଁ। କିନ୍ତୁ ଉତ୍ତର ପଶ୍ଚିମ ମୌସୁମୀ ଅଧିକ ସକ୍ରିୟ ହେଲେ ଓଡ଼ିଶାକୁ ବାତ୍ୟା ଭୟ ରହିଛି। ଓଡ଼ିଶାରେ ‌ସାଧାରଣତଃ ଉତ୍ତର ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବାତ୍ୟା ହୋଇଥାଏ। କିନ୍ତୁ ଅକ୍ଟୋବର ୨୩ ପର୍ଯ୍ୟନ୍ତ ରାଜ୍ୟକୁ ବାତ୍ୟା ଭୟ ନାହିଁ। ଆଗକୁ କ’ଣ ହେବ କିଛି କହିହେବନି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଏପଟେ ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ, ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାହାର ସମୟ ଆସି ଯାଇଥିଲେ ହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୮ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ପୂର୍ବାହ୍ନରେ ଖରା ହେବ, ଅପରାହ୍ନରେ ଘଡ଼ଘଡ଼ି ସହ ବର୍ଷା ହେବ। ଏବେ ଦିନବେଳା ଓଡ଼ିଶା ଆକାଶରେ ୭୦% ଜଳୀୟବାଷ୍ପ ରହୁଥିବାବେଳେ ଅପରାହ୍ନରେ ଏହା ୯୦%ରେ ପହଞ୍ଚିଯାଉଛି। ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଅପରାହ୍ନରେ ବର୍ଷା ହେଉଛି। ସେହିପରି ବଙ୍ଗୋପସାଗରର ପୂର୍ବ ଦିଗରେ ଉତ୍ତର ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେଉଥିବାରୁ ପାଣିପାଗ ବିଭାଗ ଖୁବ୍‌ ଶୀଘ୍ର ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାହାର ନେଇ ଘୋଷଣା କରିପାରେ। ୧୫ତାରିଖ ବେଳକୁ ଉତ୍ତର ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବଙ୍ଗୋପସାଗର‌ରୁ ପୂର୍ବ ଦିଗରେ ଏକ ପବନ ଆସିବ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ଏହି ଉତ୍ତର ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସାଧାରଣତଃ ଓଡ଼ିଶାରେ ବାତ୍ୟା ସୃଷ୍ଟି ହୋଇଥାଏ। ତେଣୁ ଉତ୍ତର ପଶ୍ଚିମ ବାୟୁ ସକ୍ରିୟ ଥିବା ପର୍ଯ୍ୟନ୍ତ ଓଡ଼ିଶାକୁ ବାତ୍ୟା ଭୟ ରହିବ।

ଅପରପକ୍ଷେ ପାଣିପାଗ ବିଭାଗ ପକ୍ଷରୁ ୧୩ ଓ ୧୪ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ‌ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ପୁରୀରେ ସର୍ବାଧିକ ୨୯ମିମି ବର୍ଷା ହୋଇଥିବାବେଳେ ସୁନ୍ଦରଗଡ଼ରେ ୧୩ମିମି, କଟକରେ ୨ମିମି, ପାରାଦୀପରେ ୦.୫ମିମି, ଭୁବନେଶ୍ବରରେ ୧.୮ମିମି, ଝାରସୁଗୁଡ଼ାରେ ୪ମିମି, ହୀରାକୁଦରେ ୦.୮ମିମି, ଦାରିଙ୍ଗବାଡ଼ିରେ ୧ମିମି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର