‘ଅକ୍ଷୟ ମହାନ୍ତି ମତେ ଗୀତ ଲେଖିବା ଶିଖେଇଥିଲେ’ ଦେବଦାସ ଛୋଟରାୟ

ଭୁବନେଶ୍ବର: ଦୁଇଜଣଙ୍କ ସଭାରେ ମୁଁ କିଛି ବି କହିପାରେନି। ଜଣେ ହେଉଛନ୍ତି ମୋ ବାପା ତଥା ନାଟ୍ୟକାର ଗୋପାଳ ଛୋଟରାୟ ଏବଂ ଅନ୍ୟ ଜଣେ ହେଉଛନ୍ତି ଅକ୍ଷୟ ମହାନ୍ତି। ଯେବେ ମୁଁ ଚାକିରି ପାଇଲି ଅକ୍ଷୟ ଭାଇ ମତେ କହୁଥିଲେ, ମୁଁ ତାଙ୍କ ଗେଜେଟେଡ୍‌ ଚାମ୍‌ଚା। ଯେବେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ ହୋଇଥାଏ, କୌଣସି ବୈଠକରେ ବସିଥିବା ବେଳେ ଅକ୍ଷୟ ଭାଇ କଲ୍‌ କରି କୁହନ୍ତି ଚଳଚ୍ଚିତ୍ରର ସିକ୍ବେନ୍‌ସ ଏହିପରି..। ୪ ଘଣ୍ଟା ଭିତରେ ଗୀତଟେ ଲେଖି ପଠା। ତାଙ୍କ କଥାକୁ ଟାଳିବାକୁ ମୋ’ର ସାହସ ନଥାଏ। ଏମିତି ଟେଲିଫୋନ୍‌ରେ ସେ ମତେ ଗୀତ ଲେଖିବା ଶିଖେଇ ଦେଇଥିଲେ। ସେ ମୋର ଏତେ ନିଜର ପାଲଟି ଯାଇଥିଲେ ଯେ, ଯେବେ ମୁଁ ମୋ ବାପାଙ୍କ କଥା ଚିନ୍ତା କରେ ସେ ଆସି ମତେ ସାନ୍ତ୍ବନା ଦେଇ କୁହନ୍ତି ମୁଁ ତୋର ଦ୍ବିତୀୟ ବାପା। ଅକ୍ଷୟ ମହାନ୍ତି ଟ୍ରଷ୍ଟ୍‌ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଅକ୍ଷୟ ସଂଗୀତ ସନ୍ଧ୍ୟା’ରେ ଅକ୍ଷୟ ମହାନ୍ତିଙ୍କ ଅନ୍ତରଙ୍ଗ ତଥା ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ ବଖାଣିଥିଲେ ଅକ୍ଷୟଙ୍କ ସହ ଏହି ଅମଳିନ ସ୍ମୃତିକୁ।

ବିଶିଷ୍ଟ କବି ହରପ୍ରସାଦ ଦାସ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଅକ୍ଷୟ ମହାନ୍ତି ୩ ଜଣ ଶ୍ରୋତାଙ୍କୁ ଗୁରୁତ୍ବ ଦେଉଥିଲେ। ତାଙ୍କୁ ଯେବେ ସେଇ ୩ ଜଣଙ୍କୁ କାହିଁକି ଗୁରୁତ୍ବ ଦିଅନ୍ତି ବୋଲି ପଚାରିଲି ସେ କହି‌ଥିଲେ, ପ୍ରଥମ ଲୋକଟି ନିଶାରେ ଗୀତ ଶୁଣୁଥିବାରୁ ସେ ଅନାହତକୁ ଶୁଣିପାରେ, ବଡ଼ବଡ଼ ଡୋଳା ବିଶିଷ୍ଟ ଦ୍ବିତୀୟ ଲୋକଟି ଗୀତଟିକୁ ଦେଖିପାରେ ଏବଂ ତୃତୀୟ ଲୋକଟି ଗୀତଟି ଭିତରେ ଏତେ ନିମଗ୍ନ ହୋଇଯାଏ ଯେ କେବଳ ସେଇ ବିଷୟରେ ଭାବୁଥାଏ। ତେଣୁ ସେମାନେ ହିଁ ଗୀତଟିକୁ ଭଲ ଭାବେ ବିଚାର କରିପାରନ୍ତି। ଏଥିସହ ତାଙ୍କ ଜୀବନରେ ଅକ୍ଷୟ ମହାନ୍ତିଙ୍କର ଆଉକିଛି ଅଭୁଲା ସ୍ମୃତିକୁ ସେ ବ୍ୟକ୍ତ କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାଣିଗ୍ରାହୀ ଅକ୍ଷୟ ମହାନ୍ତିଙ୍କୁ ଜଣେ ବହୁମୁଖୀ ପ୍ରତିଭା ଭାବେ ଅଭିହିତ କରିବା ସହ ଗୀତରେ ଶବ୍ଦ ସଂଯୋଜନାର ଚାତୁରୀ ବାବଦରେ କହିଥିଲେ। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀ କହିଥିଲେ, ଅକ୍ଷୟ ମହାନ୍ତିଙ୍କ ଗଳ୍ପ ଓ ଉପନ୍ୟାସ ଯେତିକି ପ୍ରଚାର ପ୍ରସାର ହେବା କଥା ତାହା ହୋଇପାରି ନ‌‌ାହିଁ। ଏହି ଅବସରରେ ଅକ୍ଷୟ ମହାନ୍ତିଙ୍କ ଜୀବନୀ ‘ଆର୍ଯ୍ୟଦାସର ଆତ୍ମଲିପି’ର ପ୍ରଥମ ଭାଗର ଦ୍ବିତୀୟ ସଂସ୍କରଣ ଏବଂ ହରପ୍ରସାଦ ଦାସଙ୍କ ସମ୍ପାଦନାରେ ପ୍ରସ୍ତୁତ ସଙ୍କଳନ ‘ଅକ୍ଷୟ ମହାନ୍ତିଙ୍କର‌ ଶ୍ରେଷ୍ଠ କବିତା, ଗଜଲ ଓ ଗୀତ’ ଉନ୍ମୋଚିତ ହୋଇଥିଲା। ପରେ ଅକ୍ଷୟଙ୍କ ଗୀତରେ ଭିଜିଥିଲେ ଶ୍ରୋତା। ଅକ୍ଷୟଙ୍କ ପତ୍ନୀ ପ୍ରବୀଣାଙ୍କ ସ୍ମୃତିରେ ତାଙ୍କ ପୁତ୍ର ମିତ୍ରଭାନୁ, ଚିତ୍ରଭାନୁ ଓ ସାଥୀ କଳାକାର ସଂଗୀତ ‌ପରିବେଷଣ କରିଥିଲେ।

ସମ୍ବନ୍ଧିତ ଖବର