ଥମୁନି ପଞ୍ଚାୟତ ନିର୍ବାଚନୀ ହିଂସା : ପିତାପଲ୍ଲୀରେ ଜେସିବି ପୋଡ଼ିଦେଲେ

ଖଣ୍ଡଗିରି : ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ଜଟଣୀ ବ୍ଲକ ଗଙ୍ଗପଡ଼ା ପଞ୍ଚାୟତ ପିତାପଲ୍ଲୀ ଗାଁରେ ଲାଗି ରହିଥିବା ଗଣ୍ଡଗୋଳ ଥମିବା ନାଁ ଧରୁନାହିଁ। ଦୁଇ ପକ୍ଷ କେତେବେଳେ ସିଧାସଳଖ ମୁହାଁମୁହିଁ ହେଉଛନ୍ତି ତ କେତେବେଳେ ଲୁଚି ଛପି ପରସ୍ପରର କ୍ଷତି କରୁଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ପୁଣି ଘଟିଛି ଏକ ଅଘଟଣ। ଦୀପକ ରଂଜନ ସ୍ୱାଇଁଙ୍କ ଜେସିବିରେ କେହି ନିଅାଁ ଲଗାଇ ଦେଇଛି। ଫଳରେ ଜେସିବିର ଅର୍ଧାଧିକ ଅଂଶ ପୋଡ଼ି ନଷ୍ଟ ହୋଇଯାଇଛି।

ଦୀପକଙ୍କ ଅଭିଯୋଗ ଅନୁସାରେ ଗତ କିଛି ଦିନ ହେଲା ଗାଁରେ ଚାଲିଥିବା ଗୋଷ୍ଠୀ ବିବାଦକୁ ନେଇ ତାଙ୍କ ଜେସିବି (ଓଆର୍‌୦୨ଏଏକ୍ସ-୧୨୦୧)କୁ ପୋଡ଼ି ଦିଆଯାଇଛି। ସେ ସିଧାସଳଖ କାହାର ନାଁ ନେଇନଥିଲେ ବି ଗାଁରେ ଦୁଇ ପକ୍ଷଙ୍କ ଭିତରେ ଚାଲିଥିବା ଛକାପଞ୍ଝା ପାଇଁ ଏଭଳି କରାଯାଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଖାଲି ସେତିକି ନୁହେଁ, ତାଙ୍କ ପୋଷା କୁକୁରକୁ ବିଷ ଦେଇ ଅପରପକ୍ଷର ଲୋକେ ମାରି ଦେଇଥିବା ବି ସେ ଅଭିଯୋଗରେ ଦର୍ଶାଇଛନ୍ତି। ଜଟଣୀ ଥାନା ଯାଁଳା ଫାଣ୍ଡିରେ ସେ ଅଭିଯୋଗ କରିବା ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। କିନ୍ତୁ ଦୁର୍ବୃତ୍ତମାନଙ୍କ ବାବଦରେ ସୂଚନା ମିଳିନଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ତଳେ ପିତାପଲ୍ଲୀ ଛକସ୍ଥିତ ଏକ ଢାବାରେ ଉଭୟପକ୍ଷ ପିଟାପିଟି ହୋଇ ଆହତ ହୋଇଥିଲେ। ସେହିଭଳି ଗଣେଶ ପୂଜା ଚାନ୍ଦା ଆଦାୟକୁ କେନ୍ଦ୍ର କରି ଏଠାରେ ଗଣ୍ଡଗୋଳ ଘଟିଥିଲା।

ସମ୍ବନ୍ଧିତ ଖବର