‘ଅଞ୍ଜଳି’ର ଚତୁର୍ଥ ଦିନ : ବିଜ୍ଞାନ ଶିଖିଲେ, ମୁକାଭିନୟ ଜାଣିଲେ

ଭୁବନେଶ୍ୱର : ଅଞ୍ଜଳି ଶିଶୁ ମହୋତ୍ସବର ଆଜି ଥିଲା ଚତୁର୍ଥ ଦିନ। ଏହି ଅବସରରେ ତିନିଟି କର୍ମଶାଳା ସହରର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଯାଇଛି। ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟ ପରିସରରେ ଆୟୋଜିତ ‘ବିଜ୍ଞାନ ଏକ କୌତୁକ ଅଟେ’ କର୍ମଶାଳାକୁ ପ୍ରିୟଦର୍ଶୀ ମହାପାତ୍ର ସଂଯୋଜନା କରିଥିଲେ। ଏଥିରେ ପିଲାମାନଙ୍କୁ ବିଜ୍ଞାନର ବିଭିନ୍ନ କୌଶଳ ବିଷୟରେ ଶିକ୍ଷା ଦିଆଯାଇଥିଲା। କଳାହାଣ୍ଡି, କଟକ, କେନ୍ଦୁଝର ଓ ପୁରୀ ଆଦି ଜିଲ୍ଲାରୁ ୪ଟି ଦଳ ଏଥିରେ ଅଂଶଗ୍ରହଣ କରିଥିଲେ। ସେହିଭଳି ଭଞ୍ଜକଳା ମଣ୍ଡପରେ ‘କଭି ପାସ୍‌ କଭି ଫେଲ୍‌’ ପ୍ରଦର୍ଶିତ ହୋଇଥିଲା। ପୁଣି ଭାରତୀୟ ବିଦ୍ୟାଭବନ ପରିସରରେ ‘ମୁକାଭିନୟ’ କର୍ମଶାଳା ଆୟୋଜିତ ହୋଇଥିଲେ। ଏଥିରେ ପିଲାମାନଙ୍କୁ ନିଜ ଅଙ୍ଗଭଙ୍ଗୀ ଦ୍ୱାରା କିଭଳି ଅଭିନୟ କରାଯିବ, ସେହି ତାଲିମ ଦିଆଯାଇଥିଲା। ତରୁଣ ପ୍ରଧାନ ଏହାକୁ ପରିଚାଳନା କରିଥିଲେ। ସଂଧ୍ୟା ସମୟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦଳଗତ ସଂଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଗୁରୁ ରାମହରି ଦାସ ଓ କଣ୍ଠଶିଳ୍ପୀ ଶାନ୍ତନୁ ନାୟକ ଓ ସଂଗୀତା ଗୋସାଇଁ ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ଥିଲେ। ଆଜିିର କାର୍ଯ୍ୟକ୍ରମରେ ସେଣ୍ଟର ଫର୍‌ ୟୁଥ୍‌ ଆଣ୍ଡ୍‌ ସୋସିଆଲ୍‌ ଡେଭେଲେପ୍‌ମେଣ୍ଟ୍‌ର ପ୍ରତିଷ୍ଠାତା ଜଗଦାନନ୍ଦ ଓ ସିଏନ୍‌ଏମ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିର ଅଧ୍ୟକ୍ଷ ପ୍ରଦୀପ୍ତ କୁୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର