ଦିବ୍ୟାଙ୍ଗ ଭଉଣୀକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଲକ୍ଷ୍ମୀପୁର ବସ୍ତି ଅଞ୍ଚଳରେ ଦିବ୍ୟାଙ୍ଗ ଭଉଣୀକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ କାଠବେଡ଼ା ଗ୍ରାମର ଦୁର୍ଗା ସିଂକୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ତଥା ଏଡିଜେ-୪ ଜଜ ସତ୍ୟରଞ୍ଜନ ପ୍ରଧାନ ୧୦ବର୍ଷର ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ୩୬ ଦସ୍ତାବିଜ ଓ ୧୮ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ସେ ଏହି ଦଣ୍ଡବିଧାନ କରିଛନ୍ତି। ଏହା ସହିତ ୧୦ ହଜାର ଟଙ୍କା ଜରିମନା କରାଯାଇଛି। ଜରିମନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ଆଦେଶ ହୋଇଛି। ପୀଡ଼ିତା ଦୁର୍ଗାଙ୍କର ପିଉସି ଝିଅ ଭଉଣୀ। ସେ ଦିବ୍ୟାଙ୍ଗ ହୋଇଥିବା ବେଳେ ବାପା ମା’ଙ୍କର ମୃତ୍ୟୁ ଘଟିଛି। ସେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ। ଛୁଟିରେ ବୁଲିବା ପାଇଁ ବସ୍ତିରେ ରହୁଥିବା ଅଭିଯୁକ୍ତ ପିଉସି ପୁଅ ଭାଇ ଘରକୁ ବୁଲିବା ପାଇଁ ଆସିଥିଲା। ସେଠାରେ ଅଭିଯୁକ୍ତ ଦୁଷ୍କର୍ମ କରିଥିଲା। ଏ ନେଇ ପୀଡ଼ିତା ଗର୍ଭବତୀ ହେବା ପରେ ଘଟଣା ଜଣାପଡ଼ିଥିଲା। ପୀଡ଼ିତାଙ୍କ ଭାଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ୨୦୧୬ରେ ମହିଳା ଥାନାରେ ହୋଇଥିବା ଏହି ମାମଲା(୭୩/୧୬)ର ବିଚାର ଏହି ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟରେ ଚାଲିଥିଲା। ସରକାରଙ୍କ ପକ୍ଷରୁ ସ୍ପେସିଆଲ ପିପି ସୁବ୍ରତ ପ୍ରିୟଦର୍ଶୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର