ବମିଖାଲ ଓଭରବ୍ରିଜ୍‌ ଟ୍ରାଫିକ ଅଡୁଆ

ଜଗିଲେ ହୋମ୍‌ଗାର୍ଡ, ଲାଗିଲା ସାଇନ୍‌ଏଜ୍‌

ଭୁବନେଶ୍ଵର: ଦୀର୍ଘ ଦିନ ଧରି ଚର୍ଚ୍ଚାରେ ଥିବା ବମିଖାଲ ଓଭରବ୍ରିଜ୍‌କୁ ପିଛା ଛାଡ଼ୁନି ବିବାଦ। ଏଥିରେ ଥିବା ଟ୍ରାଫିକ୍‌ ପରିଚାଳନାଗତ ତ୍ରୁଟିକୁ ନେଇ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ରାସ୍ତା ଓ ଗୃହନିର୍ମାଣ ବିଭାଗ ସହ କମିସନରେଟ୍‌ ପୁଲିସ ତଦନ୍ତ କରିଥିବା ବେଳେ ବ୍ରିଜ୍‌ ଉପରେ ଥିବା ଜଙ୍କସନ୍‌ ଉପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ହୋମ୍‌ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଯଥେଷ୍ଟ ପରିମାଣରେ ସାଇନ୍‌ଏଜ୍‌ ମଧ୍ୟ ଲଗା ଯାଇଛି। ତଦନ୍ତ ରିପୋର୍ଟ ଆସି ନଥିବାରୁ ସ୍ଥାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ। ଫଳରେ ଅଡୁଆ ବଢ଼ିବାରେ ଲାଗିଛି। ସବୁଦିନ ଏଠାରେ ହୋମ୍‌ଗାର୍ଡ ବା ଟ୍ରାଫିକ୍‌ ପୁଲିସ ନିୟୋଜିତ କରିବା ମଧ୍ୟ ସମ୍ଭବ ନୁହେଁ।

ସୂଚନାଯୋଗ୍ୟ ଯେ, ଏହି ବ୍ରିଜ୍‌ ନିର୍ମାଣ ପାଇଁ ୭ବର୍ଷ ସମୟ ଲାଗିଛି। ୨୮କୋଟି ଟଙ୍କା ବ୍ୟୟ ଅଟକଳ ହୋଇଥିଲେ ମଧ୍ୟ ଏଥିରେ ୪୪ କୋଟି ଖର୍ଚ୍ଚ ହୋଇଛି। ତଥାପି ଏଥିରେ ତ୍ରୁଟି ରହିଛି। ଏହି ବ୍ରିଜ୍‌ ଦେଇ କେବଳ ବମିଖାଲରୁ ଆସି ସହିଦ ନଗରକୁ ଓ ସହିଦ ନଗରରୁ ରସୁଲଗଡ଼ ଯାଇ ହେବ। ଆଉ କୌଣସି ଯିବା-ଆସିବା ହୋଇ ପାରିବ ନାହିଁ। କିନ୍ତୁ ଯାତ୍ରୀମାନେ ବିଭିନ୍ନ ଦିଗରେ ଯିବା ଆସିବା କରିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଛି। ଏହା ଜଣାପଡ଼ିବା ପରେ ପୁଲିସ କମିସନର ଯୁଗ୍ମ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଫିକ ଡିସିପି, ରାସ୍ତା ଓ ଗୃହନିର୍ମାଣ ବିଭାଗ ଅଧିକାରୀଙ୍କୁ ନେଇ ଅନୁଧ୍ୟାନ ହୋଇଥିଲା। ତଦନ୍ତକୁ ଏହା ମଧ୍ୟରେ ୪ ଦିନ ପୂରିଥିଲେ ମଧ୍ୟ ରିପୋର୍ଟ ଆସିନାହିଁ। କିନ୍ତୁ ଜଙ୍କସନ୍‌ରେ ଟ୍ରାଫିକ୍‌ ସମସ୍ୟା ବଢ଼ି ବଢ଼ି ଯିବାରୁ ସେଠାରେ ହୋମ୍‌ଗାର୍ଡ ମୁତୟନ କରିବାକୁ କମିସନରେଟ୍‌ ପୁଲିସ ବାଧ୍ୟ ହୋଇଛି।

ସମ୍ବନ୍ଧିତ ଖବର