ସିସୋର ଚିଟଫଣ୍ଡ ଠକେଇ : ଅବସରପ୍ରାପ୍ତ ଆଇଏଏସ୍‌ ପ୍ରଦୀପ ହୋତା ଗିରଫ

ପତ୍ନୀଙ୍କ ଆକାଉଣ୍ଟକୁ ଯାଇଛି ୧୯.୭୦ ଲକ୍ଷ ଟଙ୍କା

ଭୁବନେଶ୍ୱର : ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ସଂପୃକ୍ତି ଅଭିଯୋଗରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ତଥା ଆପିକଲ୍‌ର ପୂର୍ବତନ ପରିଚାଳନା ନିର୍ଦେଶକ ପ୍ରଦୀପ କୁମାର ହୋତାକୁ ସିବିଆଇ ଗିରଫ କରିଛି।

ଗତକାଲି ରାତିରେ କଟକ ସିଡିଏ ସେକ୍ଟର-୬ଠାରେ ଥିବା ତାଙ୍କ ଘରୁ ସିବିଆଇ ତାଙ୍କୁ ଉଠାଇ ଆଣିଥିଲା। ଏହାପରେ ତାଙ୍କୁ ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ପଚରାଉଚରା କରାଯିବାବେଳେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସେ ମାନସିକ ରୋଗ ବିଭାଗରେ ଭର୍ତି ହୋଇଛନ୍ତି। ତେବେ ତାଙ୍କୁ ଗିରଫ କରାଯାଇଛି କିମ୍ବା ନାହିଁ ଏ ନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। କିନ୍ତୁ ବିଶ୍ୱସ୍ତସୂତ୍ରରୁ ଯାହା ସୂଚନା ମିଳିଛି ସିବିଆଇ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ସାରିଛି। କେବଳ ଘୋଷଣା ବାକି ରହିଛି।

ସିବିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ନବରଙ୍ଗପୁର ପାପଡ଼ାହାଣ୍ଡିଠାରେ ଏକ ମକା କାରଖାନା ପ୍ରତିିଷ୍ଠା ଲାଗି ସିସୋର କମ୍ପାନି ଆଗ୍ରହ ପ୍ରକାଶ କରିଥିଲା। ଏ ନେଇ ସିସୋର କମ୍ପାନି ଓ ଆପିକଲ ସହିତ ଏକ ଏମ୍‌ଓୟୁ ହୋଇଥିଲା। ସେତେବେଳେ ଶ୍ରୀ ହୋତାଆପିକଲର ପରିଚାଳନା ନିର୍ଦେଶକ ଥିଲେ। ଏକ ଚିଟ୍‌ଫଣ୍ଡ କମ୍ପାନି ସହିତ କେମିତି ଓ କେଉଁ ଆଧାରରରେ ଆପିକଲ ଏମ୍‌ଓୟୁ କରିଥିଲା ଏ ନେଇ ସିବିଆଇ ଦୁଇ ଦୁଇ ଥର ଶ୍ରୀ ହୋତାଙ୍କୁ ସିବିଆଇ ଜେରା କରିଥିଲା। ଏହା ଛଡ଼ା ଶ୍ରୀ ହୋତାଙ୍କ ପୁଅ ଦେବାଶିଷ ହୋତା ସିସୋର କମ୍ପାନି ଏକ ପ୍ରମୁଖ ପଦବିରେ ଚାକିରି କରିଥିଲେ। ଶ୍ରୀ ହୋତା ୨୦୦୮ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ଆପିକଲର ନିର୍ଦେଶକ ଥିବାବେଳେ ସିସୋର କମ୍ପାନି ସହିତ ଅନେକ କୃଷିଭିତ୍ତିିକ ପ୍ରକଳ୍ପର ଚୁକ୍ତି କରାଇଥିଲେ। ଏହାଛଡ଼ା ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ଖାଦ୍ୟ ସଂରକ୍ଷଣ କାର୍ଯର୍୍ୟାଳୟକୁ ମଧ୍ୟ ସିସୋରକୁ ଲିଜ୍‌ ପ୍ରଦାନ କରିଥିଲେ। ଚୌଦ୍ୱାର ଶିଳ୍ପାଞ୍ଚଳରେ ଥିବା କେତେକ ଫ୍ୟାକ୍ଟ୍ରିକୁ ମଧ୍ୟ ଶ୍ରୀ ହୋତା ସିସୋର ହାତକୁ ଟେକି ଦେଇଥିଲେ। ଏତିକିବେଳେ ସିସୋର କମ୍ପାନି ଓ ପ୍ରଶାନ୍ତ ଦାସଙ୍କ ଆକାଉଣ୍ଟରୁ ଶ୍ରୀ ହୋତାଙ୍କ ଓ ତାଙ୍କ ପତ୍ନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୯.୭୦ ଲକ୍ଷ ଟଙ୍କା କାରବାର ହୋଇଥିଲା। କେଉଁ କାରଣରୁ ଏତେଗୁଡ଼ିଏ ଟଙ୍କା ଶ୍ରୀ ହୋତାଙ୍କ ଆକାଉଣ୍ଟକୁ ଯାଇଥିଲା ତାର ଉତ୍ତର ଶ୍ରୀ ହୋତା ସିବିଆଇ ନିକଟରେ ରଖି ପାରି ନ ଥିଲେ। ତେଣୁ ସେ ସିବିଆଇର ଟାର୍ଗେଟରେ ଥିଲେ।

ଗତକାଲି ସିବିଆଇ ଶ୍ରୀ ହୋତାଙ୍କ ଘରେ ସିବିଆଇ ଚଢ଼ଉ କରିବାବେଳେ କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ଜବତ କରିବା ସହ ବ୍ୟାଙ୍କ ଜମା ଯାଞ୍ଚ କରିଛି। ସେହପରି ସିବିଆଇ ଜାଣିବାକୁ ପାଇଛି ମଧ୍ୟସ୍ଥି ଶୁଭଙ୍କର ନାୟକ ହିଁ ପ୍ରଶାନ୍ତଙ୍କୁ ଶ୍ରୀ ହୋତାଙ୍କ ସହିତ ମିଶାଇଥିଲା। ତେଣୁ ସିବିଆଇ ଶ୍ରୀ ହୋତାଙ୍କ ସିସୋର ଠକେଇରେ ସଂପୃକ୍ତି ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିଲା।

ଅନ୍ୟପକ୍ଷରେ ଶ୍ରୀ ହୋତା ଏବେ ସିବିଆଇ ହେପାଜତରେ ଥିବା ଜଣାପଡ଼ିବା ପରେ ପ୍ରଶାସନିକ ମହଲରେ ଛନକା ପଶି ଯାଇଛି। କାରଣ ସିସୋର ହିଁ ଏକମାତ୍ର ଚିଟ୍‌ଫଣ୍ଡ କମ୍ପାନି ଯାହାର ସିଧାସଳଖ ସମ୍ପର୍କ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସହିତ ଥିଲା। ତେଣୁ ଏ ଖବର ଶୁଣିବା ପରେ ସିସୋରେ କାରବାର ସହିତ ଯୋଡ଼ି ହୋଇଥିବା ପର୍ଯ୍ୟଟନ ବିଭାଗ, ସମବାୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସୋଲାର ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିବା ଓରେଡା ଏବଂ ସିସୋରର ବିଭିନ୍ନ ପ୍ରୋଜେକ୍ଟରେ ସଂପୃକ୍ତ ଥିବା ବହୁ ଅଧିକାରୀ ଏବେ ଭୟଭୀତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର