ହେଭେନ୍‌ ସ୍ପା ନାଁରେ ସେକ୍ସ ର‍୍ୟାକେଟ୍‌ ଘଟଣା :ସପ୍ତାହେ ଭିତରେ ଭାରତ ଛାଡ଼ିବାକୁ ନିର୍ଦେଶ

ଥାଇ ଯୁବତୀଙ୍କୁ୍‌ ପୁଲିସର ନୋଟିସ୍‌

କଳାତାଲିକା ଭୁକ୍ତ ହେଲା ପାସ୍‌ପୋର୍ଟ

ଭୁବନେଶ୍ୱର : ଗତ ୧୭ ତାରିଖରେ ୟୁନିଟ-୩ ସ୍ଥିତ ଜଣେ ଶିଳ୍ପପତିଙ୍କ ଭଡ଼ାଘରୁ ହେଭେନ୍‌ ସ୍ପା ନାଁରେ ଚଲିଥିବା ସେକ୍ସ ର‍୍ୟାକେଟକୁ ଖାରବେଳନଗର ଥାନା ପୁଲିସ ଠାବ କରିବା ଘଟଣାରେ ଗିରଫ ହୋଇଥିବା ୩ ଜଣ ଥାଇଲାଣ୍ଡ ଯୁବତୀଙ୍କୁ ଆଜି ଭାରତ ଛାଡ଼ିବା ପାଇଁ ନୋଟିସ ଜାରି ହୋଇଛି। ଏ ନେଇ କମିସନରେଟ୍‌ ପୁଲିସ ଥାଇ ଯୁବତୀମାନଙ୍କୁ ନୋଟିସ କରିଛି। ସେହିପରି ସେମାନଙ୍କ ପାସପୋର୍ଟକୁ କଳା ତାଲିକାଭୁକ୍ତ କରାଯାଇଛି। ରାଜ୍ୟ ପୁଲିସର ସ୍ୱତନ୍ତ୍ର ଶାଖାର ତଦନ୍ତ ରିପୋର୍ଟକୁ ଆଧାର କରି ଯୁବତୀମାନଙ୍କୁ ସପ୍ତାହ ଭିତରେ ଭାରତ ଛାଡ଼ିବା ପାଇଁ ନୋଟିସ କରାଯାଇଥିବା ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ପ୍ରକାଶ ଥାଉ କି, ଥାଇ ଯୁବତୀମାନଙ୍କ ଟୁରିଷ୍ଟ ଭିସାରେ ଭାରତ ଆସି ଏଠାରେ ଦେହ ବ୍ୟସାୟରେ ଲିପ୍ତ ଥିବା ଜାଣିବା ପରେ ଗତ ୨୩ ତାରିଖରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ଥାଇଲାଣ୍ଡର ବିଦେଶିନୀଙ୍କଠାରୁ ଜବତ ହୋଇଥିବା ପାସପୋର୍ଟ ଏବଂ ଭିସାକୁ ଆଧାର କରି କମିସନରେଟ ପୁଲିସ ଯୁବତୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ରାଜ୍ୟ ପୁଲିସର ସ୍ୱତନ୍ତ୍ର ଶାଖାକୁ ଚିଠି ଲେଖିଥିଲା। ବିଦେଶିନୀ ପର୍ଯ୍ୟଟନ ଭିସାରେ ଓଡ଼ିଶାକୁ ଆସି ସ୍ପା’ରେ ସେକ୍ସ ର‍୍ୟାକେଟରେ ସଂଶ୍ଳିଷ୍ଟ ହେଉଥିବାରୁ ଆଇନଗତଃ ସେମାନେ ଦୋଷୀ ପ୍ରମାଣିତ ହେଲେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୁଲିସ କମିସନର ଓ୍ଵାବି ଖୁରାନିଆ ସୂଚନା ଦେଇଥିଲେ। ତେବେ ଆଜି ରାଜ୍ୟ ପୁଲିସର ସ୍ୱତନ୍ତ୍ର ଶାଖାରୁ ପାସପୋର୍ଟ ଓ ଭିସା ସମ୍ପର୍କିତ ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସମ୍ବନ୍ଧିତ ଖବର