ମାତ୍ର ୧୧ମିନିଟ ଦୁଷ୍କର୍ମ କରିଥିବାରୁ ଦୁଷ୍କର୍ମକାରୀର ଦଣ୍ଡ କମ୍ କଲେ ବିଚାରପତି: ନିଷ୍ପତ୍ତି ଫେରାଇ ନେବାକୁ ଜନତାଙ୍କ ଦାବି

ନୂଆଦିଲ୍ଲୀ: ସୁଇଜରଲ୍ୟାଣ୍ଡରେ ଏକ ଦୁଷ୍କର୍ମ ଘଟଣାର ଶୁଣାଣି କରି ବିଚାରପତି ନେଇଥିବା ନିଷ୍ପତ୍ତିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ୧୦୦ରୁ ଅଧିକ ଜନତା।

ପ୍ରକାଶିତ ରିପୋର୍ଟ ମୁତାବକ, ଗତବର୍ଷ ଏକ ଦୁଷ୍କର୍ମ ଘଟଣାକୁ ନେଇ ଅଦାଲତରେ ଶୁଣାଣି ହୋଇଥିଲା। ଏହି ଶୁଣାଣି ସମୟରେ ବିଚାରପତି ମାତ୍ର ୧୧ମିନିଟର ଦୁଷ୍କର୍ମ ହୋଇଥିବା କହି ଦୁଷ୍କର୍ମକାରୀର ଦଣ୍ଡକୁ କମ କରି ଦେଇଥିଲେ। ବିଚାରପତିଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ବିଚାରପତି ଯଥାଶୀଘ୍ର ତାଙ୍କ ଏଭଳି ନିଷ୍ପତ୍ତିକୁ ଫେରାଇ ନେବାକୁ ଦାବି କରିଛନ୍ତି ସାଧାରଣ ଜନତା।

୨୦୨୦ ଜୁନ ୨୦ ତାରିଖରେ ବେସଲରେ ବସବାସ କରୁଥିବା ୩୩ବର୍ଷର ଜଣେ ମହିଳା ଅଭିଯୋଗ କରିଥିଲେ କି ତାଙ୍କ ଘର ବାହାରେ ଦୁଇଜଣ ଯୁବକ ତାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣଙ୍କ ବୟସ ୧୭ବର୍ଷ ଥିବା ବେଳେ ଅନ୍ୟ ଜଣଙ୍କ ବୟସ ୩୨ବର୍ଷ ଥିଲା।

ନାବାଳକଙ୍କୁ ଏଯାବତ କୋର୍ଟ ଦଣ୍ଡର ଶୁଣାଣି କରି ନାହିଁ। ମାତ୍ର ଅନ୍ୟ ଦୁଷ୍କର୍ମକାରୀର ୫୧ମାସର ଦଣ୍ଡକୁ ବିଚାରପତି ହ୍ରାସ କରି ୩୬ମାସ କରି ଦେଇଛନ୍ତି। ଏହି ନିଷ୍ପତ୍ତି ପରେ ସାଧାରଣ ଜନତା ଜୋରଦାର ବିରୋଧ ପ୍ରଦାର୍ଶନ କରିଛନ୍ତି।

ବିଚାରପତି ଶୁଣାଣି ସମୟରେ କହିଥିଲେ, ଏହି ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ବି ହାତ ରହିଛି। ଏଥିପାଇଁ ଦୁଷ୍କର୍ମକାରୀ ଏଭଳି କାମ କରିବାକୁ ସାହସ ଜୁଟାଇ ପାରିଛନ୍ତି। ପୀଡିତାଙ୍କ ଦୁଷ୍କର୍ମକାରୀଙ୍କ ସହିତ ଏକ ନାଇଟ କ୍ଲବରେ ଭେଟ ହୋଇଥିଲା। ମହିଳା ଦୁଷ୍କର୍ମକାରୀଙ୍କୁ କିଛି ସଙ୍କେତ ଦେଇଥିଲେ। ଏହାପରେ ଦୁହେଁ ମହିଳାଙ୍କ ପିଛା କରିଥିଲେ। ଆଉ ସୁଯୋଗ ଦେଖି ଦୁଷ୍କର୍ମ କରିଥିଲେ।

ଏହି ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ମହିଳା ରହିଛନ୍ତି। କିଛି ମହିଳା ଏହି ଘଟଣାକୁ ନେଇ ମୌନ ବି ପ୍ରଦର୍ଶନ କରିଛି। ବ୍ୟାନରରେ ‘୧୧ମିନିଟର ଦୁଷ୍କର୍ମ ବି ବହୁତ ହୋଇଥାଏ’ ବୋଲି ଲେଖି ବିରୋଧ ପ୍ରଦର୍ଶନ କରିଛନ୍ତି ଲୋକେ।

ସମ୍ବନ୍ଧିତ ଖବର