୫ ବର୍ଷିୟ ପିଲାକୁ ବୁକ୍‌ କଲେ ଉତ୍ତରପ୍ରଦେଶ ପୁଲିସ; ଧରିବାକୁ ଚାଲିଲା ଚଢ଼ଉ

ମୁଜାଫରନଗର: ଶାମଲି ଗାଁ’ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଘଟନାରେ ଉତ୍ତରପ୍ରଦେଶ ପୁଲିସ ଆଇପିସି ଧାରା ୩୨୬ରେ ଅନ୍ୟମାନଙ୍କ ସମେତ ଜଣେ ୫ ବର୍ଷିୟ ପିଲାକୁ ବୁକ୍‌ କରିଛି। ଖାଲି ଏତିକି ନୁହେଁ, ପିଲାଟିକୁ ଗିରଫ କରିବାକୁ ପୁଲିସ ବହୁବାର ତାଙ୍କ ଘରେ ଚଢ଼ଉ କରିଛି। ପରେ ଗୁରୁବାର ଦିନ ପୁଲିସ ତରବର ହୋଇ ଏଫ୍‌ଆଇଆର୍‌ରୁ ସେ ପିଲାର ନାଁ ଉଠାଇ ଦେଇଛନ୍ତି।

ଶାମଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଦୀନେଶ କୁମାର କହନ୍ତି: ଅଧିକାରୀଙ୍କ ପକ୍ଷେ ଏଇଟା ସାଙ୍ଘାତିକ ପ୍ରମାଦ। ଏଫ୍‌ଆଇଆର୍‌ ଦରଜ ହୋଇ ଥିବା କାନ୍ଧଲା ଥାନାର ତଦନ୍ତ ଅଧିକାରୀ ଅନୂପ କୁମାର ଏବଂ ଏଥିରେ ସମ୍ପୃକ୍ତ ଅଳ୍ପ କେତେ ଜଣ ପୁଲିସଙ୍କୁ କୈଫୟତ ମଗାଯାଇଛି। ବାଳକ ବିରୋଧରେ ଏଫ୍‌ଆଇଆର୍‌ ଦରଜ କରିବା ପୂର୍ବରୁ ଅଧିକାରୀମାନେ ତା’ର ବୟସ ବିଷୟରେ ନିଶ୍ଚିତ ହେବା ଉଚିତ ଥିଲା।

ପୁଲିସ କହିବା ଅନୁସାରେ, ସେପ୍ଟେମ୍ବର ୧୨ ତାରିଖ ଦିନ ଶାମିଳିର ଖଣ୍ଡ୍ରାଓ୍ଵାଲି ଗାଁରେ ସଂଘର୍ଷ ଘଟିଥିଲା। ତାସ୍‌ ଖେଳ ସମୟରେ ମହୀପାଳ ଏବଂ ମନୋଜଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ଦେଖି ମନୋଜର ବନ୍ଧୁ ସୋନୁ ଏବଂ ଅବିନାଶ ଆସି ସେଥିରେ ଭାଗନେଲେ। ଗଣ୍ଡଗୋଳ ସ୍ଥାନରେ ନାବାଳକଟି ଉପସ୍ଥିତ ଥିଲା। ସେଦିନ ସଞ୍ଜବେଳେ ମହୀପାଳ ଥାନାରେ ଅଭିଯୋଗ କଲେ କି, ମନୋଜ, ସୋନୁ ଓ ଅବିନାଶ ଏବଂ ସେ ପିଲା ତାଙ୍କୁ ମାରିଛନ୍ତି। ଏଫ୍‌ଆଇଆର୍‌ ଦରଜ କରି ପୁଲିସ ସେ ପିଲା ସମେତ ସମସ୍ତଙ୍କ ନାଁରେ ଆଇପିସି ଧାରା ୩୨୬ ଲାଗୁ କରିଦେଲେ।

ପିଲାଟିର ଦାଦି ପ୍ରମୋଦ କୁମାର କହନ୍ତି: ଗତ ଦୁଇ ଦିନ ହେବ ପୁଲିସ ବହୁବାର ଘରେ ଚଢ଼ଉ କରିଛି। ଛାନିଅାଁରେ ଆମେ ପଡ଼ୋଶୀ ଗାଁ’ରେ ଥିବା ଆତ୍ମୀୟଙ୍କ ଘରେ ରହୁଥିଲୁ। ମହୀପାଳଙ୍କ ବିରୋଧରେ ପାଲଟା ଏଫ୍‌ଆଇଆର୍‌ ଦରଜ କରିବାକୁ ଆମେ ଥାନାବାଲାଙ୍କୁ କହିଲେ ବି ସେମାନେ ମନା କରିଦେଲେ। ବିନା ତଦନ୍ତରେ ସେମାନେ ପିଲାଟି ବିରୋଧରେ କଠିନ ଦଫା ଲାଗୁ କରିଦେଲେ। ଏ ମାମଲାରେ ଆମେ ନ୍ୟାୟ ଚାହୁଁ।

ସମ୍ବନ୍ଧିତ ଖବର