ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗ ଅଧ୍ୟାପକ ମହେଶ୍ୱର ଶତପଥୀଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ। ଶ୍ରୀ ଶତପଥୀ ଛାତ୍ରଛାତ୍ରୀ, ସହକର୍ମୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ପରୀକ୍ଷା ଖାତା ଦେଖି ସାରିବା ପରେ ମାର୍କଗୁଡ଼ିକୁ ସୋସିଆଲ୍ ମିଡିଆରେ ଛାଡ଼ି ଦେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ପ୍ରଫେସର ଶତପଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀ କ୍ୟାମ୍ପସରେ ଧାରଣାରେ ବସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଛାତ୍ରଛାତ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ଅଧ୍ୟାପକ ଠିକ୍ ଭାବେ ପଢ଼ାଉ ନାହାନ୍ତି। ଶ୍ରେଣୀଗୃହ ଭିତରେ ଖରାପ କଥା କହୁଛନ୍ତି। ଅଶ୍ଳୀଳ ଇଙ୍ଗିତ କରୁଛନ୍ତି। ଏନେଇ ପୂର୍ବରୁ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନି। ତାଙ୍କୁ ତୁରନ୍ତ ବହିଷ୍କାର କରିବା ସହ ପ୍ରଶାସନିକ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଧାରଣାରେ ବସିବା ପରେ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର କିଶୋର ବାସା ସେମାନଙ୍କ ସହ ଆଲୋଚନା କରିବାରୁ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।
ପ୍ରଫେସର ବାସାଙ୍କ କହିବାନୁଯାୟୀ, ବିଶ୍ୱବିଦ୍ୟାଳୟ କୁଳପତି ଏବଂ ପିଜି କାଉନସିଲ୍ ଅଧ୍ୟକ୍ଷ ଏବେ କ୍ୟାମ୍ପସ ବାହାରେ ରହିଛନ୍ତି। ସେମାନେ ଫେରିବା ପରେ ଅକ୍ଟୋବର ୧୬ରେ ଏନେଇ ଆଲୋଚନା ହେବ। ଏଥିରେ ବିଭାଗର ସମସ୍ତ ପ୍ରଫେସର, ଅଧ୍ୟାପକ, ବିଶ୍ୱବିଦ୍ୟାଳୟର ବରିଷ୍ଠ ପ୍ରଫେସର ସାମିଲ ହେବେ।
ଛାତ୍ରଛାତ୍ରୀଙ୍କ ଅଭିଯୋଗ ପରେ ଶ୍ରୀ ଶତପଥୀ ମଧ୍ୟ ଆଜି ବିଭାଗ ପରିସରରେ ଆମରଣ ଅନଶନରେ ବସିଛନ୍ତି। ସେ କହିଛନ୍ତି ଯେ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଉଛି। ଏଥିରେ କେତେଜଣ ଅଧ୍ୟାପକ, ଛାତ୍ରଛାତ୍ରୀ ସାମିଲ ଅଛନ୍ତି। ସବୁ ପ୍ରକାର ତଦନ୍ତ ଲାଗି ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ମନସ୍ତତ୍ତ୍ୱ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଭାସ୍ୱତୀ ପଟ୍ଟନାୟକ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଶ୍ରୀ ଶତପଥୀଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ବିଭାଗ ଭିତରେ ସମସ୍ୟାର ସମାଧାନ ହୋଇ ନ ପାରିବାରୁ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଯେଉଁ ନିଷ୍ପତ୍ତି ନେବେ ଆମେ ତାହାକୁ ମାନିବୁ।
ଶ୍ରୀ ଶତପଥୀ ନିଜ ଫେସ୍ବୁକ୍ ପୋଷ୍ଟରେ କହିଛନ୍ତି ଯେ, କ୍ୟାମ୍ପସ ସାଇନ୍-ଡାଏ ଥିବା ସମୟରେ ଫାକ୍ୟୁଲିଟି କ୍ଲବ୍ରେ ଏବିଭିପିିର କେତେଜଣ କର୍ମୀ ରହିଥିଲେ। ଏହା କିଭଳି ସମ୍ଭବ ହେଲା ବୋଲି ସେ କର୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି। ଏଭଳି ପୋଷ୍ଟ ପରେ ଏବିଭିପି ରାଜ୍ୟ ସାଧାରଣ ସମ୍ପାଦକ ଅଭିଳାଷ ପଣ୍ଡା କହିଛନ୍ତି ଯେ, ଏବିଭିପି ଏକ ଅଣରାଜନୈତିକ ଛାତ୍ର ସଙ୍ଗଠନ। ସମସ୍ତ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ପ୍ରତିଷ୍ଠା କରିବା ହେଉଛି ଆମ କାର୍ଯ୍ୟଶୈଳୀ। ଛାତ୍ରଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଧ୍ୟାପକ ଜଣକ ନିଜକୁ ଏକ ନିର୍ଦିଷ୍ଟ ରାଜନୈତିକ ଦଳର ଶୁଭଚିନ୍ତକ ଭାବେ ପ୍ରମାଣିତ କରିବାକୁ ଚାହୁଁଛନ୍ତି। ଯଦି ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ନ କରନ୍ତି, ତେବେ ଏ ସଂପର୍କରେ କୁଳପତିଙ୍କୁ ଅବଗତ କରାଯିବା ସହିତ ଆଇନ୍ର ଆଶ୍ରୟ ନିଆଯିବ।