ଭଦ୍ରକ: ଭଦ୍ରକ ଜିଲ୍ଲାର ପୂର୍ତ୍ତ ବିଭାଗର ବିଭିନ୍ନ ରାସ୍ତା ଘାଟ, ପୋଲ ଓ ଡ୍ରେନ୍ ନିର୍ମାଣରେ କୋଟି କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରାଯାଉଛି। ବିଭାଗର କିଛି ଅପରିଣାମଦର୍ଶୀ କାର୍ଯ୍ୟ ପଦ୍ଧତିକୁ ନେଇ ବାରଂବାର କାମ ହେଉଛି, ପୁଣି ସେହି କାମ କୁ ଭାଙ୍ଗି ପୁନଃ ନିର୍ମାଣ କରାଯାଉଛି। ଏହା ଦ୍ବାରା ସରକାରଙ୍କର ଅର୍ଥ ଅବାଟରେ ଖର୍ଚ୍ଚ ହେଉଛି। ପୂର୍ତ୍ତ ବିଭାଗର ଏଭଳି କିଛି ଅପରିଣାମଦର୍ଶୀ କାର୍ଯ୍ୟଧାରାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ଡ୍ରେନ ନିର୍ମାଣ କାମ ଏଇ ଦୁଇ ବର୍ଷ ତଳେ ନିର୍ମାଣ ହୋଇଥିଲା। ସେତେବେଳେ ଏହାର ନିର୍ମାଣ ଶୈଳୀକୁ ନେଇ ମଧ୍ୟ ସମ୍ବାଦ ପ୍ରଶ୍ନ ଉଠାଇ ଖବର ପ୍ରସାରଣ କରିଥିଲା। ଯେଉଁ ଭଳି ଭାବେ ଡ୍ରେନ୍ ନିର୍ମାଣ ହୋଇଥିଲା ସେଥିରେ ସହରର ବର୍ଷା ପାଣି ମୁଖ୍ୟ ନାଳ ଦେଇ ନିସ୍କାସିତ ହେବ ନାହିଁ। ଡ୍ରେନ୍ ନିର୍ମାଣର ଟେକ୍ଦନିକାଲ ସିଷ୍ଟମ୍ ଠିକ୍ କରାଯାଇ ନଥିଲା। ଉପରମୁଣ୍ଡରୁ ଲେବୁଲ ତଳ ମୁଣ୍ଡ ପର୍ଯ୍ୟନ୍ତ ଠିକ୍ ନଥିଲା। ମହାତାବ ଛକ ନିକଟରୁ ଯେଉଁ ଲେବୁଲରେ ଡ୍ରେନ୍ ନିର୍ମାଣ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଅପିର୍ତ୍ତିବିନ୍ଧା ଛକ ଦେଇ ନାଜର ନାଳରେ ସଂଯୋଗ କରୁଥିଲା। ତାହା ଉଚ୍ଚା ଖାଲ ହୋଇ ନିର୍ମାଣ ହୋଇଥିଲା।
ସେହି ବର୍ଷ ବର୍ଷାରେ ବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବର୍ଷା ଜଳ ଜମି ରହିଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବର୍ଷା ଜଳରେ ବୁଡି ରହିଥିଲେ ମଧ୍ୟ ଏଇ ଡ୍ରେନ୍ ନିର୍ମାଣର ବିଲ୍ ପାସ୍ କରି ନେଇଗଲେ । ସେତେବେଳେ କୌଣସି ଜଣେ ବିଭାଗୀୟ ଅଧିକାରୀ ଡ୍ରେନ୍ ନିର୍ମାଣ କାମର ସଠିକ୍ ତଦାରଖ କଲେ ନାହିଁ। ଏବେ ପୁଣି ଏଇ ଡ୍ରେନ୍ ଭଙ୍ଗା ଯାଉଛି। ଏହାର ପୁର୍ନ ନିର୍ମାଣ କରାଯାଇ ଡ୍ରେନ୍ ଉଚ୍ଚା କରାଯିବ। ନହେଲେ ଏବର୍ଷ ବି ବର୍ଷା ଜଳ ଡ୍ରେନରେ ନିଷ୍କାସିତ ହୋଇପାରିବ ନାହିଁ। ଯେଉଁ ଡ୍ରେନ ନିର୍ମାଣ ହୋଇଥିଲା । ସେଇ ଡ୍ରେନ୍ ପୁଣି ଭଙ୍ଗାଯାଉଛି। ବାରଂବାର ଭଙ୍ଗା ଗଢା ଭିତରେ ଚାଲିଛି ଭଦ୍ରକର ପୂର୍ତ୍ତ ବିଭାଗର ନିର୍ମାଣ କାମ ।