ଅସ୍ତରଙ୍ଗ: ସାମଗ୍ରୀ ବଣ୍ଟନକୁ ସ୍ୱାଭାବିକ କରିବା ଦାବି ନେଇ ବିଡ଼ିଓଙ୍କ ଅଫିସ୍‌ ସମ୍ମୁଖରେ ଧାରଣା

ଅସ୍ତରଙ୍ଗ: ଅସ୍ତରଙ୍ଗର ଆଳସାହି ପଞ୍ଚାୟତ ଖାଉଟି ହିତାଧିକାରୀ ତିନି ଘଣ୍ଟା ହେଲା ବିଡ଼ିଓଙ୍କ ଅଫିସ୍‌ ସମୁଖରେ ଧାରଣାରେ ବସିଛନ୍ତି । ଅସ୍ତରଙ୍ଗ ବିଡ଼ିଓ ଅଶୋକ ଲେଙ୍କାଙ୍କ ବଦଳି ପରେ କାକଟପୁର ବିଡ଼ିଓ ଗତ ଶନିବାରଠାରୁ ଅତିରିକ୍ତ ଦାୟିତ୍ୱ ନେବା ଓ କାକଟପୁରରେ କାର୍ଯ୍ୟବ୍ୟସ୍ତ ରହୁଥିବା ହେତୁ ଆଜି ଅସ୍ତରଙ୍ଗରେ ପହଞ୍ଚିବାରେ ବିଳମ୍ବ ହେବା ଜଣାପଡିଛି।

ସୂଚନାଯୋଗ୍ୟ, ଆଳସାହି ପଞ୍ଚାୟତର ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱ ପଞ୍ଚାୟତ ଅଧୀନରେ ଥିଲା। ସୁରୁଖୁରୁରେ ସାମଗ୍ରୀ ବଣ୍ଟନ ହେଉଥିଲା। କୌଣସି କାରଣରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବଣ୍ଟନ ପ୍ରକ୍ରିୟାରେ ସହଯୋଗ ନ କରିବା ଓ ପଞ୍ଚାୟତ ବଦଳରେ ଡିଲର ଟ୍ୟାଗ୍ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା କଥା ଜଣାପଡ଼ିଥିଲା।

ଖାଉଟି ନିୟମ ମୁତାବକ ଗତ ୨୫ ତାରିଖରୁ ନିମାପଡା ଗୋଦାମରୁ ଖାଉଟି ସାମଗ୍ରୀ ଉଠାଇବା ସମେତ ଚଳିତ ମାସର ୫ ତାରିଖରୁ ସାମଗ୍ରୀ ବାଣ୍ଟିବା କଥା। ଏ ପର୍ଯ୍ୟନ୍ତ ସାମଗ୍ରୀ ଉଠାଣ ପାଇଁ ପଞ୍ଚାୟତ ତରଫରୁ ଡ୍ରାଫ୍ଟ ହୋଇ ନ ଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବଣ୍ଟନ ପ୍ରକିୟାକୁ ସ୍ୱାଭାବିକ କରିବାକୁ ଦାବିକରି ସମ୍ପୃକ୍ତ ନିର୍ବାହୀ ଅଧିକାରୀଙ୍କୁ ଅପସାରଣ କରିବାକୁ ଜିଦ୍‌ ଧରିଛନ୍ତି । ଏଥି ସହ ନୂଆ ନିର୍ବାହୀ ଅଧିକାରୀ ଆସିବା ପର୍ଯ୍ୟନ୍ତ ଅସ୍ଥାୟୀ ଭିତ୍ତିରେ ନିକଟସ୍ଥ ଡିଲର ପଏଣ୍ଟ ଟ୍ୟାଗ୍ କରି ସାମଗ୍ରୀ ବଣ୍ଟନ କରିବାକୁ ଦାବି କରିଛନ୍ତି । ଅପରାହ୍ନ ୩ଟା ପରେ ବିଡ଼ିଓ ଆସିବାରୁ ଉପସ୍ଥିତ ଜନପ୍ରତିନିଧି ଓ ଖାଉଟିମାନେ ନିଜର ଦାବିକୁ ଉପସ୍ଥାପନା କରି ଆଲୋଚନା ଜାରି ରଖିଥିଲେ।  ଖବର ଲେଖା ହେବା ପର୍ଯ୍ୟନ୍ତ କୌଣସି ସମାଧାନ ହୋଇ ନଥିବା ଜଣାପଡିଛି।

ସମ୍ବନ୍ଧିତ ଖବର