ରେଢ଼ାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟିତ

କଟକ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ସଦର ମହାକୁମାରେ ମଙ୍ଗଳବାର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଉଦଘାଟିତ ହୋଇଛି। ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ ଏସ.ମୁରଳୀଧର ଭର୍ଚୁଆର ମୋଡରେ ଏହି ବହୁ ପ୍ରତିକ୍ଷିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟକୁ ଉଦଘାଟନ କରିଥିଲେ।

ଜନସାଧାରଣଙ୍କ ଦ୍ବାରା ଦେଶରେ ନ୍ୟାୟ ପ୍ରଦାନ ପରିପ୍ରେକ୍ଷୀରେ ଏହି କୋର୍ଟ ଉଦଘାଟନ କରାଯାଇଥିବା ମୁଖ୍ୟ ବିଚାରପତି ଏହି ଅବସରରେ ପ୍ରକାଶ କରିଥିଲେ। ସମ୍ବଲପୁର ଜିଲ୍ଲା ଦାୟିତ୍ବରେ ଥିବା ଜଷ୍ଟିସ ଡ.ବି.ଆର ଷଡଙ୍ଗୀ କୋର୍ଟ ଉଦଘାଟନ ଅବସରରେ ମୁଖ୍ୟ ବିଚାରପତିଙ୍କ ସହ ଯୋଗ ଦେଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟ ଖୋଲିବାର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ।

ସମ୍ବଲପୁର ଜିଲ୍ଲା ଜଜ ବିରଞ୍ଚି ନାରାୟଣ ମହାନ୍ତି ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ରେଢ଼ାଖୋଲ ଓକିଲ ସଂଘ ସଭାପତି ଗଣେଶ୍ବର ପ୍ରଧାନ ଓ ସମ୍ପାଦକ ଉମାକାନ୍ତ ମହାନନ୍ଦ ଏ ଅବସରରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କୁ ରେଢ଼ାଖୋଲ ଓକିଲ ସଂଘ ଓ ଜନସାଧାରଣଙ୍କ ପକ୍ଷରୁ ଅଶେଷ ଧନ୍ୟବାଦ ପ୍ରଦାନ ସହ ବକ୍ତବ୍ୟ ପ୍ରଦାନ କରିଥିଲେ।

ଉଦଘାଟନୀ ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଦିପ୍ତି ପ୍ରକାଶ ବ୍ରହ୍ମା ସବଜଜ ଅପୂର୍ବା ଚୌଧୁରୀ, ଏସ.ଡି.ଜେ.ଏମ ଅଞ୍ଜଳୀ ମଚଖଣ୍ଡ, ସମ୍ବଲପୁର କୋର୍ଟ ମ୍ୟାନେଜର ଗୁରୁଜିତ ମିଶ୍ର, ସମ୍ବଲପୁର ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମୋଦ ରଥ, ବରିଷ୍ଟ ଆଇନଜୀବୀ ବିଜିତେନ୍ଦ୍ର ପ୍ରଧାନ, ଶିବ ପ୍ରସାଦ ପ୍ରଧାନ, ଶମ୍ଭୁ ପ୍ରସାଦ ପ୍ରଧାନ, ଅଭୟ ବୀର, ରାଜ କିଶୋର ପ୍ରଧାନ, ସରକାରୀ ଓକିଲ ଅଶୋକ ସେନାପତି, ନାରାୟଣ ତିପାଠୀ, ଜନକ ବାଗ, ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ତହସିଲଦାର ରୁବି ବେହେରା, ଓକିଲ ସଂଘ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ରେଢ଼ାଖୋଲ ଓକିଲ ସଂଘ ସମ୍ପାଦକ ଉମାକାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।

 

ସମ୍ବନ୍ଧିତ ଖବର