୫ହଜାର କିଲୋ ଗୋରୁ ମାଂସ ଜବତ, ସଦର ପୁଲିସ ଚୁପ

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅଧୀନ ଦଳେଇପୁଟ ନିକଟ ପେଟ୍ରୋଲ୍ ପମ୍ପ ନିକଟରୁ ଗତକାଲି ବିଳମ୍ବିତ ରାତିରେ ଏକ କଂଟେନରରୁ ୫ହଜାର କିଲୋଗ୍ରାମ ଗୋରୁ ମାଂସ ଜବତ କରାଯାଇଛି । ଖୋର୍ଦ୍ଧା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ନିୟମିତ ଭାବେ ଗୋରୁ ମାଂସ ଚାଲାଣ ହେଉଥିବା ଓ ଏନେଇ ଧରପଗଡ଼ ସମ୍ପର୍କରେ ପୁଲିସର ନିରବତା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ୧୪ ତାରିଖରେ ନିରାକାରପୁର ନିକଟରେ କଟକ ତିଗିରିଆରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ କଂଟେନର(ଏମ୍ଏଚ୍ ଏଜେ ୩୪୨୯)କୁ ନିରାକାର ପୁଲିସ ଜବତ କରି ଏଥିରୁ ୫ କ୍ୱିଂଟାଲ୍ ଗୋମାଂସ ଜବତ କରିଥିଲେ ।

ଏଥିରେ ମହାରାଷ୍ଟ୍ରର ସଂଜୟ ରାଥୋର, ମିଆଁଲାଲ ପଂଜାରୀ ଓ ପଂଜାରୀ ଚାନ୍ଦୁଲାଲକୁ ଗିରଫ କରାଯାଇଥିବା ବେଳେ ଅନୁରୂପ ଘଟଣାରେ କିନ୍ତୁ ସଦର ଥାନା ପୁଲିସ ନିକଟରୁ ଗୋମାଂସ ଚାଲାଣକାରୀମାନେ ଫେରାର୍ ହୋଇଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ସଦରଥାନା ପୁଲିସ ସୂଚନା ପାଇଁ ଦଳେଇପୁଟ ନିକଟରେ ଥିବା ପେଟ୍ରୋଲ ପମ୍ପ ଠାରେ ଚଢ଼ଉ କରିଥିଲା ।

ମିଳିଥିବା ସୂଚନା ଅନୁସାରେ, ପୁଲିସ ଆସୁଥିବା ଦେଖି ଟ୍ରକର ଚାଳକ ଓ ଅନ୍ୟମାନେ ଟ୍ରକ (ଏମ୍ଏଚ ୨୫ ଏଜେ ୮୭୮୭)କୁ ଛାଡ଼ି ଫେରାର୍ ହୋଇଯାଇଥିଲେ । ପୁଲିସ ନିଜ ଚାଳକଦ୍ୱାରା ଟ୍ରକକୁ ଜବତ କରିବା ସହ ଟ୍ରକର ମାଂସଗୁଡ଼ିକ ତରତୁଆ ନିକଟ ଜଙ୍ଗଲରେ ପୋତିଥିଲେ । ତେବେ ପ୍ରତ୍ୟେକ ଗୋ ମାଂସ ଚାଲାଣ ଘଟଣାରେ ସଦର ଥାନା ପୁଲିସ ନିକଟରୁ ଗୋରୁ ମାଂସ ଚାଲାଣ ହେଉଥିବା ଗାଡ଼ି ଧରାପଡ଼ିଥିବା ବେଳେ ଚାଲାଣକାରୀ ଆଶ୍ଚର୍ଯ୍ୟଜନକ ଭାବେ ଫେରାର୍ ହୋଇଯାଉଥିବା ଓ ଏନେଇ କୌଣସି ସୂଚନା ଥାନା ପକ୍ଷରୁ ମିଳୁନଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର