ତଳମୁହାଁ ସଂକ୍ରମଣ ଗ୍ରାଫ, ୧୦ ପ୍ରତିଶତ ତଳେ ସଂକ୍ରମଣ

ଆଜି ଜିଲ୍ଲାରୁ ୧୧୨ ନୂଆ କରୋନା ପଜିଟିଭ ଚିହ୍ନଟ; ଚଳିତ ମାସରେ ଆଜି ସୁଦ୍ଧା ୫ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ବାରିପଦା: ମୟୂରଭଞ୍ଜରେ ମେ ବିସ୍ଫୋରଣ ପରେ ଜୁନ ଅଧାରୁ ଜିଲ୍ଲାରେ ତଳମୁହାଁ ଧରିଛି କରୋନା ସଂକ୍ରମଣ। ଗତମାସରେ ପୂର୍ବର ସମସ୍ତ ରେକର୍ଡ଼କୁ ଭାଙ୍ଗି ସର୍ବାଧିକ ୧୧,୦୮୦ ପଜିଟିଭ ଚିହ୍ନଟ ହୋଇଥିଲେ। ୯,୨୯୦ ଜଣ ସୁସ୍ଥ ହୋଇଥିଲେ। ଏଥିସହିତ ୩୦ ତାରିଖରେ ସର୍ବକାଳୀନ ରେକର୍ଡ଼ ସଂଖ୍ୟକ ୬୯୫ ପଜିଟିଭ ଚିହ୍ନଟ ହୋଇଥିଲେ। ତେବେ ଚଳିତ ମାସରୁ ଜିଲ୍ଲାରେ କରୋନା ଗ୍ରାଫ କ୍ରମଶଃ ତଳ ମୁହାଁ ହେବାରେ ଲାଗିଛି। କେବଳ ଜୁନ ୩ରେ ଜିଲ୍ଲାରୁ ୫୮୩ ପଜିଟିଭ ଚିହ୍ନଟ ହୋଇଥିଲେ। ଆଜି ଜିଲ୍ଲାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୩,୨୮୯ରେ ପହଞ୍ଚିଛି। ଗତ ଜୁନ ୧୫ରେ ମୟୂରଭଞ୍ଜ ଜିଲ୍ଲାରେ ୪୬୩ ଜଣଙ୍କର ଆରଟିପିସିଆର, ୧୬୩୫ ଜଣଙ୍କର ଆଣ୍ଟିଜେନ ଏହିପରି ମୋଟ ୨,୦୯୮ ଜଣଙ୍କର କୋଭିଡ଼ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୭.୨୯ ପ୍ରତିଶତ ହାରରେ ୧୫୩ ପଜିଟିଭ କେଶ ଆସିଥିଲା। ସେହିପରି ଜୁନ ୧୬ରେ ଜିଲ୍ଲାରେ ହୋଇଥିବା ୬୧୧ ଜଣଙ୍କର ଆରଟିପିସିଆର ଓ ୧,୮୩୪ ଜଣଙ୍କର ଆଣ୍ଟିଜେନ ଏହିପରି ମୋଟ ୨,୪୪୫ ଜଣଙ୍କର କୋଭିଡ଼ ପରୀକ୍ଷା ମଧ୍ୟରୁ ୪.୫୮ ପ୍ରତିଶତ ହାରରେ ମୋଟ ୧୧୨ ପଜିଟିଭ କେଶ ସମ୍ମୁଖକୁ ଆସିଛି। ସେହିପରି ଜୁନ ୧୬ ପର୍ଯ୍ୟନ୍ତ ଜିଲ୍ଲାରୁ ୯୩.୨୪ ପ୍ରତିଶତ ହାରରେ ୩୧,୦୪୦ ଜଣ ସୁସ୍ଥ ହୋଇ ଫେରିଥିବା ସମୟରେ ଜୁନ ୧୭ ଅପରାହ୍ନ ସୁଦ୍ଧା ୬.୪୧ ପ୍ରତିଶତ ହାରରେ ୨,୧୩୫ ଜଣ ସକ୍ରିୟ ଅଛନ୍ତି।

ଜିଲ୍ଲାରେ ୦.୩୩ ପ୍ରତିଶତ ହାରରେ ୧୧୧ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏଥି ସହିତ ଅନ୍ୟ କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବାର ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି ସମୟରେ କେବଳ ଜୁନ ମାସର ୧୭ ଦିନରେ ଜିଲ୍ଲାରୁ ୫,୧୭୦ ଜଣ ସଂକ୍ରମିତ ହୋଇଥିବା ବେଳେ ୧୬ ଦିନରେ ୬,୩୪୨ ଜଣ ସୁସ୍ଥ ହୋଇ ଫେରିଛନ୍ତି। ସୂଚନା ଯୋଗ୍ୟ ଯେ, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ହାରକୁ ଲକ୍ଷ କରି ଓଡ଼ିଶା ସରକାର ରାଜ୍ୟରେ ଲକଡାଉନକୁ କୋହଳ କରିଛନ୍ତି। ଏହି ସମୟରେ ରାଜ୍ୟରେ ୩୦ଟି ଜିଲ୍ଲାକୁ ୨ ଭାଗରେ ବର୍ଗୀକରଣ କରାଯାଇଛି। କ ବର୍ଗରେ ୫ ପ୍ରତିଶତରୁ ତଳେ ରହିଥିବା ୧୭ଟି ଜିଲ୍ଲା ଓ ଖ ବର୍ଗରେ କରୋନା ସଂକ୍ରମଣ ହାର ୫ ପ୍ରତିଶତରୁ ଅଧିକ ରହିଥିବା ୧୩ଟି ଜିଲ୍ଲାକୁ ସାମିଲ କରାଯାଇଛି। ଏହା ମଧ୍ୟରେ ମୟୂରଭଞ୍ଜ ଜିଲ୍ଲା ଖ ବର୍ଗରେ ରହିଛି।

ସମ୍ବନ୍ଧିତ ଖବର