ପ୍ରଶଂସା ସାଉଁଟିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ; ଘରେ କରାଇଲେ ପ୍ରସବ; ବଂଚିଗଲେ ଗୁରୁତର ମା’ ଓ ନବଜାତକ

ଟାଙ୍ଗୀ: ଗୁରୁତର ହୋଇପଡିଥିବା ଜଣେ ନବଜାତ ଶିଶୁ ଓ ମା’ର ଜୀବନ ବଞ୍ଚାଇ ପ୍ରଶଂସା ସାଉଁଟିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଘଟଣାଟି ଘଟିଛି କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ନଖରା ପଞ୍ଚାୟତର ଭଇରପୁର ଗ୍ରାମରେ। ଗ୍ରାମର ହୀରଣ୍ୟ ପ୍ରଧାନଙ୍କ ଝିଅ ରଶ୍ମିତା ଗର୍ଭବତୀ ଥିବା ବେଳେ ଆଜି ତାଙ୍କର ପ୍ରସବ ହୋଇଥିଲା। ହଠାତ୍ ରଶ୍ମିତା ପ୍ରସବ ଜନିତ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ମେଡିକାଲ ନେବା ପାଇଁ ପାଖରେ କେହି ନଥିଲେ। ଖବର ପାଇ ବାପା ଓ ଭାଇ ଘରେ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡକାଇଲେ। ଠିକ ସମୟରେ ଆମ୍ବୁଲାନ୍ସ ପହଞ୍ଚି ଥିବା ବେଳେ ରଶ୍ମିତାଙ୍କ ପେଟରୁ ପିଲା ଅଧା ବାହାରି ଆସିଥିଲା। ଅସହ୍ୟ ଯନ୍ତ୍ରଣାରେ ଛାଟିପିଟି ହେଉଥିବାରୁ  ଅସୁରକ୍ଷିତ ପ୍ରସବ ହେତୁ ଅଧା ବାହାରିଥିବା ପିଲାଟିର ବେକରେ ନାହି ନାଡ଼ ଗୁଡ଼ାଇ ହୋଇ ପିଲାଟି ଅଟକି ରହିଥିଲା। ପରିବାର ଲୋକଙ୍କୁ ଧୈର୍ଯ୍ୟ ଧରିବା ପାଇଁ କହିବା ସହ ଆଗେଇ ଆସିଥିଲେ ୧୦୮ କର୍ମଚାରୀ। ଫାର୍ମାସିଷ୍ଟ୍ ରଞ୍ଜନ କୁମାର ସାହୁ ଅତି ସତର୍କତାର ସହିତ ପିଲାଟିକୁ ଜନ୍ମ କରାଇଥିଲେ। ଫଳରେ ସୁରକ୍ଷିତ ଭାବେ ଶିଶୁ କନ୍ୟାଟିଏ ଜନ୍ମ ହୋଇଥିଲା। ଘଟଣାସ୍ଥଳରେ ଶିଶୁ ଓ ମା’ର ଆଶୁ ଚିକିତ୍ସା କରାଇ ଉଭୟଙ୍କୁ ଆମ୍ବୁଲାନ୍ସରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।

ସେଠାରେ ଉପସ୍ଥିତ ଡାକ୍ତର ଶିଶୁ ଓ ମା’ ର ଚିକିତ୍ସା କରିବା ସହ ଗୁରୁତର ଅବସ୍ଥାରେ ଏଭଳି ପ୍ରସବ କରାଇଥିବା ଫାର୍ମାସିଷ୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ଦୁଇ ଘଣ୍ଟା ପରେ ଶିଶୁ ଓ ମା’ ଘରକୁ ଫେରିଥିବା ବେଳେ ଉଭୟ ସୁସ୍ଥ ଓ ନିରାପଦ ଥିବା ପରିବାର ଲୋକେ କହିଛନ୍ତି। ରଶ୍ମିତା ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବରୁଣିଆ ଗ୍ରାମର ଦିଗାମ୍ବର ଦାସଙ୍କ ପତ୍ନୀ ଅଟନ୍ତି। ଗର୍ଭ ଧାରଣ ପରେ ଆଠ ମାସ ହେଲା ନଖରା ପଞ୍ଚାୟତର ଭଇରୀ ପୁର ଗ୍ରାମରେ ବାପ ଘରେ ରହୁଥିଲେ। ବାପା ଜଣେ ଗରିବ ଶ୍ରେଣୀର କୃଷକ ଅଟନ୍ତି। ଏଭଳି ଗୁରୁତର ଅବସ୍ଥାରେ ଠିକ ସମୟରେ ପହଞ୍ଚିବା ଓ ପିଲା ଜନ୍ମ କରାଇ ଉଭୟ ମା ଓ ଶିଶୁର ଜୀବନ ବଞ୍ଚିଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆମ ପାଇଁ ଭଗବାନ ବୋଲି ରଶ୍ମିତାଙ୍କ ଭାଇ ପ୍ରକାଶ କହିଛନ୍ତି। ଭଗତପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏହି ଆମ୍ବୁଲାନ୍ସରେ ଯାଇଥିବା ଫାର୍ମାସିଷ୍ଟ୍ ରଞ୍ଜନ କୁମାର ସାହୁ, ଡ୍ରାଇଭର ହେମନ୍ତ କୁମାର ଯତି ଓ ସହାୟକ ସୁକାନ୍ତ ମହାନ୍ତିଙ୍କୁ ରଶ୍ମିତାଙ୍କ ପରିବାର ଓ ଗାଁ ଲୋକେ ପ୍ରଶଂସା କରିଛନ୍ତି। ଆଗରୁ ଏଭଳି ଆମ୍ବୁଲାନ୍ସ ପହଁଚିବା ପୂର୍ବରୁ ଓ ଆମ୍ବୁଲାନ୍ସ ଭିତରେ ଗୁରୁତର ଭାବେ ଥିବା ଅନେକ ମହିଳାଙ୍କ ସୁରକ୍ଷିତ ପ୍ରସବ କରାଇ ପୁରସ୍କାର ଓ ସମ୍ମାନ ପାଇଥିବା ଫାର୍ମାସିଷ୍ଟ୍ ରଞ୍ଜନ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର