ଲାଲଗଡରେ ପହଞ୍ଚିଲା ୨ଟି ୧୦୮ ବୋଟ ଆମ୍ବୁଲାନ୍ସ; ୪୦ଟି ଗ୍ରାମର ୨୦ ହଜାର ଲୋକ ଉପକୃତ ହେବେ

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଲାଲଗଡ କୁହାଯାଉଥିବା ସ୍ବାଭିମାନ ଅଂଚଳରେ ପହଞ୍ଚିଛି ଦୁଇଟି ବୋଟ ଆମ୍ବୁଲାନ୍ସ। ଦୀର୍ଘ ଦିନ ଧରି ସ୍ବାଭିମାନ ଅଂଚଳବାସୀ ସ୍ବାସ୍ଥ୍ୟଗତ ସେବା ପାଇଁ ଦାବି କରିଆସୁଥିବା ବେଳେ ସରକାରଙ୍କର ଫୋକସରେ ରହିଥିବା ସ୍ବାଭିମାନ ଅଂଚଳର ପାଇଁ ଏହି ସେବା ଯୋଗାଇ ଦିଆଯାଇଛି। ଏହି ଦୁଇଟି ବୋଟକୁ ଆଜି ଶୁଭ ଉଦଘାଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଵାଇ.ବିଜୟ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଫୁଲ କୁମାର ନନ୍ଦ, ବିଡିଓ ଲରିମନ ଖରସେଲ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସେବାକୁ ଭାରତ ସରକାରଙ୍କର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ପ୍ରଦାନ କରାଯାଇଛି। ରାଜ୍ୟର କେନ୍ଦ୍ରାପଡା, କୋରାପୁଟ, କଳାହାଣ୍ଡି ଭଳି ଜିଲ୍ଲାରେ ଏହି ୧୦୮ ଆମ୍ବୁଲେନସ ସେବା ଗୋଟିଏ ଲେଖାଏଁ ଯୋଗାଇ ଦିଆଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ଦୁଇଟି ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି। ଯାହାକୁ ଜିଲ୍ଲାବାସୀ ସ୍ବାଗତ କରିଛନ୍ତି।

Sambad

ପ୍ରକାଶ ଥାଉକି ଗୁରୁପ୍ରିୟା ସେତୁ ହେବା ପରେ ହାତ ଗଣତି କିଛି ଗ୍ରାମକୁ ହିଁ ଯୋଗାଯୋଗ ହୋଇପାରୁଥିବା ବେଳେ ଦୁର୍ଗମ ଅଂଚଳରେ ରହିଥିବା ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଗ୍ରାମକୁ ଆଜି ବି ପ୍ରଶାସନ ପହଞ୍ଚିପାରି ନାହିଁ। ଏହି ସେବା ଫଳରେ ସେହି ଅଂଚଳକୁ ସ୍ବାସ୍ଥ୍ୟ ସେବା ପହଞ୍ଚିପାରିବ। ଅରାପଦର ଠାରେ ଗୋଟିଏ ଆମ୍ବୁଲାନ୍ସ ଏବଂ କୁନ୍ତରପଦର ଠାରେ ଆଉ ଗୋଟିଏ ଆମ୍ବୁଲାନ୍ସ ରଖାଯିବା ନେଇ ନିଷ୍ପତ୍ତି ହୋଇଛି। ଯାହାଫଳରେ ପ୍ରାୟ ୪୦ଟି ଗ୍ରାମର ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ଉପକୃତ ହୋଇପାରିବେ। ଦୁଇଟି ଆମ୍ବୁଲାନ୍ସରେ ୩୭ଟି ଭାସମାନ ଜେଟିର ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଛି। ଜରୁରୀକାଳୀନ ସେବା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଖଞ୍ଜାଯାଇଥିବା ଦେଖିବାକୁ ମିଳିଛି। ୨୪ ଘଣ୍ଟା ଅନବରତ ସେବା ଯୋଗାଇବା ପାଇଁ ତତ୍ପର ରହିବ ବୋଲି କୁହାଯାଇଛି। ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଇଲ ମାଇଲ ବାଟ ଏହି ବୋଟ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ସେବା ଯୋଗାଇ ପାରିବ ବୋଲି କୁହାଯାଇଛି।

ବିଶେଷକରି ଗର୍ଭବତୀ ମହିଳା ଏବଂ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଏହି ସେବା ବହୁ ସହଯୋଗ କରିବ ବୋଲି କୁହାଯାଇଛି।ତେବେ ଏହାକୁ ନିୟମିତ କରିବା ପାଇଁ ସ୍ବାଭିମାନ ଅଂଚଳବାସୀ ଦାବି କରିଛନ୍ତି। ପୂର୍ବରୁ ଯେତେଥର ବୋଟ ଆମ୍ବୁଲାନ୍ସ ସ୍ବାଭିମାନ ଅଂଚଳବାସୀଙ୍କ ପାଇଁ ଆସିଛି ତାହା କିଛି ଦିନ ଚାଲିବା ପରେ କୋମାରେ ଚାଲିଯାଇଛି। ଯାହାକୁ ନେଇ ଲୋକେ ଅସଂତୋଷ ପ୍ରକାଶ କରିଛନ୍ତି। କେତେବେଳେ ତ କର୍ମଚାରୀଙ୍କ ଅଭାବ ଆଉ କେତେବେଳେ ବୋଟ ଖରାପ ହେବା ନେଇ କୁହାଯାଇଛି। ତେଣୁ ପ୍ରଶାସନ ତରଫରୁ ନିୟମିତ ଯାଞ୍ଚ କରିବା ସହ ଡାକ୍ତର ଏବଂ ଫାର୍ମାସିଷ୍ଟ ଏଥିରେ ରହିବା ଦରକାର ବୋଲି ଦାବି କରାଯାଇଛି। ତେବେ ଉଦଘାଟନ ପରେ କେତେ ଦିନ ଏହି ଆମ୍ବୁଲାନ୍ସ ସେବା ଲୋକଙ୍କୁ ସେବା ଯୋଗାଇ ପାରୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର