ରାତିହେଲେ ଜମୁଛି ବାଲି ଚୋରାଚାଲାଣ: ଧରାପଡ଼ିଲା ବାଲି ବୋଝେଇ ୨ ଟ୍ରାକ୍ଟର

ରାଉରକେଲା: ରାତି ହେବାମାତ୍ରେ ସେକ୍ଟର-୧୬ ବାଲୁଘାଟରୁ ବାଲି ଚୋରାଚାଲାଣ କରୁଥିଲେ। ଶେଷରେ ସେକ୍ଟର-୧୫ ପୁଲିସ ହାତରେ ଧରାପଡ଼ିଯାଇଛନ୍ତି। ପ୍ରତିଦିନଭଳି ରବିବାର ରାତି ପ୍ରାୟ ସାଢ଼େ ୧୧ଟାରେ ଚୋରାଚାଲାଣ କରୁଥିଲେ। ଏନେଇ ସୂଚନା ପାଇ ସେକ୍ଟର-୧୮ କୋଏଲ ଡିପୋ ଛକ ପାଖରେ ଚୋରାଚାଲାକାରୀଙ୍କୁ ଅଟକାଇ ପଚରାଉଚରା କରିଥିଲା। ପ୍ରକୃତରେ ସେମାନେ ବିନା ଅନୁମତିରେ ଅନୈତିକଭାବେ ବାଲି ଉଠାଇ ଚୋରାଚାଲାଣ କରୁଥିଲେ। ଏମିତିକି ଟ୍ରାକ୍ଟରର ମଧ୍ୟ ଆବଶ୍ୟକୀୟ କାଗଜପତ୍ର ନଥିବା ଜଣାପଡ଼ିଥିଲା। ପରେ ଦୁଇ ଟ୍ରାକ୍ଟର(ଓଡି-୧୬-୬୯୯୯ ଏବଂ ଓଡି-୧୪-ଏଲ-୨୯୫୭)କୁ ପୁଲିସ ଜବତ କରିଛି। ଉଲ୍ଲେଖଯୋଗ୍ୟ, ସେକ୍ଟର-୧୬ ବାଲୁଘାଟରେ ଦୁଇଟି, ବିଜୁବନ୍ଧ ବାଲୁ ଶଯ୍ୟା ଓ ତୁମକେଲା ବାଲୁଶଯ୍ୟା ରହିଛି। ବିଜୁବନ୍ଧ ବାଲିଶଯ୍ୟାରୁ ବାଲିଉଠାଣ ପାଇଁ ଆବଶ୍ୟକ କାଗଜପତ୍ର ସମ୍ପନ୍ନ ହୋଇଛି; କିନ୍ତୁ ବାଲୁଶଯ୍ୟା ବର୍ତ୍ତମାନ ପାଣି ଭିତରେ ଥିବାରୁ ବାଲି ଉଠାଇବା ସମ୍ଭବ ହେଉନି। ଅପରପକ୍ଷରେ ତୁମକେଲା ବାଲୁଘାଟରୁ ବର୍ତ୍ତମାନସୁଦ୍ଧା ଅନୁମତି ମିଳିନଥିବାବେଳେ ନିୟମିତଭାବେ ବାଲି ଚୋରାଚାଲାଣ କରାଯାଉଛି।

ସମ୍ବନ୍ଧିତ ଖବର