ବଢ଼ିଲା ମନରେଗା ମଜୁରୀ, ଗୋଆରେ ସର୍ବାଧିକ ୧୦.୫୬ ପ୍ରତିଶତ ବୃଦ୍ଧି, ଓଡ଼ିଶାରେ ୨୫୪ ଟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ର ନୂତନ ମଜୁରୀ ହାର ବୃଦ୍ଧି କରିଛନ୍ତି। ଗୋଆରେ ଏହାର ହାର ସର୍ବାଧିକ ୧୦.୫୬ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଥି ସହିତ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତରପ୍ରଦେଶରେ ଏହି ହାର ସର୍ବନିମ୍ନ ୩.୦୪ ପ୍ରତିଶତ ବୃଦ୍ଧି ପାଇଛି। ନୂତନ ମଜୁରୀ ବୃଦ୍ଧି ହାର ୧ ଏପ୍ରିଲ ୨୦୨୪ରୁ କାର୍ଯ୍ୟକାରୀ ହେବ ।

କେନ୍ଦ୍ର ସରକାରଙ୍କ ଅଧିସୂଚନା ମୁତାବକ ମନରେଗା ଦୈନିକ ମଜୁରୀ ହରିୟାଣାରେ ସର୍ବାଧିକ ୩୭୪ ଟଙ୍କା ରହିଛି। ସେହିପରି ଅରୁଣାଚଳ ପ୍ରଦେଶ ଏବଂ ନାଗାଲ୍ୟାଣ୍ଡ୍‌ରେ ସର୍ବନିମ୍ନ ୨୩୪ ଟଙ୍କା ଧାର୍ଯ୍ୟ କରାଯାଇଛି।
ମଜୁରୀ ହାରରେ ସର୍ବାଧିକ ବୃଦ୍ଧି ହୋଇଥିବା ଗୋଆରେ ଏହା ‌ ୩୫୬ ଟଙ୍କା ରହିଛି। ଏବେ ଏଠାରେ ଦୈନିକ ମନରେଗା ମଜୁରୀ ୩୨୨ ଟଙ୍କା ରହିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମଜୁରୀ ହାରରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି। ଓଡ଼ିଶାରେ ଏହା ୨୫୪ ଟଙ୍କା ରହିଛି।

ମିଡ଼ିଆ ରିପୋର୍ଟ ଅନୁସାରେ କର୍ଣ୍ଣାଟକରେ ନୂଆ ମନରେଗା ମଜୁରୀ ୩୪୯ ଟଙ୍କା ହୋଇଛି। ଏହା ଏବେ ରାଜ୍ୟରେ ଥିବା ଦୈନିକ ମଜୁରୀ ୩୧୬ ଟଙ୍କାଠାରୁ ୧୦.୪୪ ପ୍ରତିଶତ ବୃଦ୍ଧି ହୋଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନରେ ଏହା ପ୍ରତିଦିନ ୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏବେ ଏହା ଦୁଇ ରାଜ୍ୟରେ ୨୭୨ ଟଙ୍କା ରହିଛି।

ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ଦୈନିକ ମଜୁରୀ ପ୍ରାୟ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଦୁଇ ରାଜ୍ୟରେ ଏହାକୁ ବର୍ତ୍ତମାନର ୨୨୧ ଟଙ୍କାରୁ ୨୪୩ ଟଙ୍କାକୁ ବୃଦ୍ଧି କରାଯାଇଛି।

 

ସମ୍ବନ୍ଧିତ ଖବର