ଜାଲ୍‌ କାଗଜପତ୍ରରେ ୪ କୋଟିର ବ୍ୟାଙ୍କ ଋଣ, ଏଜେଣ୍ଟ୍‌ ଗିରଫ

ବ୍ରହ୍ମପୁର : ଜାଲ୍‌ କାଗଜପତ୍ର କରି ବିଭିନ୍ନ ଲୋକଙ୍କ ନାଁରେ ପ୍ରାୟ ୪କୋଟି ଟଙ୍କା ଋଣ ଉଠାଣ କରିଥିବା ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲ୍ଲୀ ରାମନଗର ପ୍ରଥମ ଲାଇନ୍‌ର ଗୁପ୍ତେଶ୍ବର ପଟ୍ଟନାୟକ(୪୭) ବୋଲି ଟାଉନ୍‌ ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି ସୂଚନା ଦେଇଛନ୍ତି। ବଡ଼ବଜାର ଥାନା କେସ୍ ନମ୍ବର ୨୪୦/୨୧ରେ ଅଭିଯୁକ୍ତ ଗୁପ୍ତେଶ୍ବରକୁ କୋର୍ଟ ଚାଲାଣ କରାଯାଇଛି । ଆବଶ୍ୟକସ୍ଥଳେ ଗୁପ୍ତେଶ୍ବରକୁ ରିମାଣ୍ଡରେ ଆଣି ଅଧିକ ଜେରା କରାଯିବ ବୋଲି ଜଣାପଡ଼ିଛି ।

ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ରାମନଗର ଦ୍ବିତୀୟ ଲାଇନ୍‌ରେ ରହୁଥିବା ସୁଧାଂଶୁ ଶେଖର ପାଢ଼ୀ ବଡ଼ବଜାର ଥାନା ଅନ୍ତର୍ଗତ ନୀଳକଣ୍ଠନଗରରେ ଥିବା ଆନ୍ଧ୍ର ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିଥିଲେ। ଗୁପ୍ତେଶ୍ବର ମଧ୍ୟ ରାମନଗର ଅଞ୍ଚଳରେ ରହୁଥିବା ବେଳେ ଇଲେକ୍‌ଟ୍ରିକାଲ୍‌ ଠିକାଦାର ସୁଧାଂଶୁଙ୍କୁ ଭଲ ଭାବେ ଜାଣିଥିଲେ। ଋଣ କରାଇ ଦେବା ପାଇଁ ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ଗୁପ୍ତେଶ୍ବର ନୀଳକଣ୍ଠନଗରରେ ଥିବା ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଯୋଗଯୋଗ କରିଥିଲେ। ଗତ ୨୦୧୮ ସେପ୍ଟେମ୍ବର ମାସରେ ଘର ଜମି କାଗଜପତ୍ର ବନ୍ଧା ପକାଇ ସୁଧାଂଶୁ ୧୦ଲକ୍ଷ ଟଙ୍କା ଋଣ ପାଇଥିଲେ। ଗୁପ୍ତେଶ୍ବର ଓ ବ୍ୟାଙ୍କ ମ୍ୟାନେଜର ଋଣ ମଂଜୁରି ପୂର୍ବରୁ ସୁଧାଂଶୁଙ୍କ ଠାରୁ ବିଭିନ୍ନ କାଗଜପତ୍ରରେ ଦସ୍ତଖତ ନେଇଥିଲେ। ପରବର୍ତ୍ତୀ ସମୟରେ ଗୁପ୍ତେଶ୍ବର କମ୍‌ ସୁଧରେ ଏକ ଗୃହ ଋଣ କରାଇ ଦେବେ ବୋଲି ସୁଧାଂଶୁଙ୍କୁ କହିଥିଲେ। ସୁଧାଂଶୁ ଏଥିରେ ରାଜି ହୋଇ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କ ନିକଟରେ ଆବେଦନ କରିଥିଲେ। ଆବେଦନ ସମୟରେ ମଧ୍ୟ ସେ କିଛି କାଗଜପତ୍ରରେ ଦସ୍ତଖତ କରିଥିଲେ। ସୁଧାଂଶୁ ଦସ୍ତଖତ କରିଥିବା କାଗଜପତ୍ର ବ୍ୟବହାର କରି ତାଙ୍କ ନାମରେ ପୁଣିଥରେ ୨୦୧୮ ଡିସେମ୍ବର ମାସରେ ୨୪ଲକ୍ଷ ଟଙ୍କା ଋଣ କରାଯାଇଥିଲା। ଗୁପ୍ତେଶ୍ବର ଓ ବ୍ୟାଙ୍କ ମ୍ୟାନେଜର ମିଳିତ ଭାବେ ଏହି କାମ କରି ଟଙ୍କା ଉଠାଇ ଥିଲେ। ଋଣ ପରିଶୋଧ ନକରିବାରୁ ବ୍ୟାଙ୍କ ତରଫରୁ ୨୦୧୯ ଅଗଷ୍ଟ ମାସରେ ସୁଧାଂଶୁଙ୍କ ନିକଟରୁ ନୋଟିସ୍‌ ଯାଇଥିଲେ। ସୁଧାଂଶୁ ଆଶ୍ଚର୍ଯ୍ୟ ପ୍ରକାଶ କରି ୨୪ଲକ୍ଷ ଟଙ୍କା ଋଣ ନେଇ ନଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ କହିଥିଲେ। କିନ୍ତୁ ସେହି ସମୟରେ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜର୍‌ ଅବସର ନେଇ ସାରିଥିଲେ। ଏଣୁ ଶେଷରେ ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଘଟଣାର ତଦନ୍ତ କରି ଏହି ବଡ଼ଧରଣର ଠକେଇ କାରବାର ପର୍ଦ୍ଦାଫାସ୍‌ କରିଛି। ଗୁପ୍ତେଶ୍ବର ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ଏଜେଣ୍ଟ୍‌ ଭାବେ କାମ କରି ବିଭିନ୍ନ ଲୋକଙ୍କ ନାମରେ ଜାଲ୍‌ କାଗଜପତ୍ର ଜରିଆରେ ଏଭଳି ପ୍ରାୟ ୪କୋଟି ଟଙ୍କା ଋଣ ଉଠାଣ କରିଥିବା ପୁଲିସ ତଦନ୍ତରେ ଜଣାପଡ଼ିଛି। ତେବେ ଏହି ଟଙ୍କା କେଉଁଠି ଓ କାହା ପାଖରେ ଅଛି ସେ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ସେହିପରି ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର