ଗଞ୍ଜାମ: ଧାନ ବିକି ପାରିଲେନି ୪୦, ୭୦୬ ଚାଷୀ

ଠିକ୍ ସମୟରେ ହେଲାନି ଲକ୍ଷ୍ୟ ଧାର୍ଯ୍ୟ, ଅକାମୀ ‌ହୋଇଗଲା ଚାଷୀଙ୍କ ଟୋକନ୍

ଛତ୍ରପୁର: ଠିକ୍ ସମୟରେ ହେଲାନି ଲକ୍ଷ୍ୟ ଧାର୍ଯ୍ୟ। ଆଉ ଯେତେବେଳେ ଲକ୍ଷ୍ୟ ଧାର୍ଯ୍ୟ ହେଲା, ସେତେବେଳକୁ ଧାନକିଣା ଅବଧି ସରିଯିବା ସହ ଚାଷୀଙ୍କ ଟୋକନ୍ ଅକାମୀ ‌ହୋଇଯାଇଥିଲା। ଫଳରେ ଚଳିତବର୍ଷ ଟାର୍ଗେଟ୍ ଥାଇ ବି ଗଞ୍ଜାମ ଜିଲ୍ଲାର ପ୍ରାୟ ୪୦ ହଜାରରୁ ଅଧିକ ଚାଷୀ ସରକାରଙ୍କୁ ଧାନ ବିକି ପାରିଲେ ନାହିଁ। ଯାହାକି ସରକାରଙ୍କ ଧାନ କିଣା ପରିଚାଳନାଗତ ତ୍ରୁଟି ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ୨୦୨୦–୨୧ ଆର୍ଥିକ ବର୍ଷରେ ଜିଲ୍ଲା ପାଇଁ ଏକ ଲକ୍ଷ ୭୭ ହଜାର ୬୦୩ ଟୋକନ୍ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଠିକ୍ ସମୟରେ ଟାର୍ଗେଟ୍ ନମିଳିବାରୁ ୪୦ ହଜାର ୭୦୬ ଜଣ ଚାଷୀଙ୍କ ଟୋକନ୍ ଅକାମୀ ହୋଇଗଲା। ମାର୍ଚ୍ଚ ୩୧ରେ ଧାନ କିଣା ବନ୍ଦ ହୋଇଯାଇଥିଲା। ସେତେବେଳକୁ ୯୬ ହଜାର ୪୦୨ ଜଣ ଚାଷୀଙ୍କ ଠାରୁ ୪୩ ଲକ୍ଷ ୪ ହଜାର ୧୮୬ କ୍ବିଣ୍ଟାଲ୍ ଧାନ କିଣାଯାଇଥିଲା।

ହେଲେ ଅନେକ ଚାଷୀ ଧାନ ବିକି ନଥିବାରୁ ଏହା ପୂର୍ବରୁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅନୁରୋଧ ଯୋଗୁ ୧୦ଟି ପର୍ଯ୍ୟାୟରେ ଜିଲ୍ଲାକୁ ୪୭ ଲକ୍ଷ ୪୩ ହଜାର ୨୮୩ କ୍ବିଣ୍ଟାଲ୍ ଧାନ କିଣିବା ଲାଗି ଟାର୍ଗେଟ୍ ମିଳିଥିଲା। ମାର୍ଚ୍ଚ ୨୫ ତାରିଖରେ ଶେଷ ଟାର୍ଗେଟ୍ ଭାବେ ୨ ଲକ୍ଷ ୨୩ ହଜାର କ୍ବିଣ୍ଟାଲ୍ ଧାନ ସଂଗ୍ରହ ଲାଗି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଟାର୍ଗେଟ୍ ମିଳିବା ବେଳକୁ ଧାନ କିଣିବା ଲାଗି ହାତରେ ମାତ୍ର ଆଉ ୫ ଦିନ ଥିବା ବେଳ‌େ ସେତେବେଳକୁ ଅଧିକାଂଶ ସୋସାଇଟିର ଟୋକନ୍ ସରିଯାଇଥିଲା। ଶେଷରେ ଟାର୍ଗେଟ୍ ହାତରେ ଥାଇ ମଧ୍ୟ ଧାନ କିଣା ଯାଇପାରିଲା ନାହିଁ।

ଜିଲ୍ଲାରେ ୧ ଲକ୍ଷ ୩୭ ହଜାର ୧୦୮ ଜଣ ଚାଷୀ ଧାନ ବିକ୍ରି କରିବା ଲାଗି ପଞ୍ଜୀକରଣ କରିଥିଲେ। ଗତବର୍ଷ ଡିସେମ୍ବର ଦ୍ବିତୀୟ ସପ୍ତାହରୁ ଧାନ କିଣା ଆରମ୍ଭ ହୋଇଥିଲା। ଧାନ କିଣା କିଛି ଦିନ ସୁରୁଖୁରରେ ଚାଲିବା ପରେ ଜାନୁଆରି ଶେଷ ସପ୍ତାହ ଠାରୁ ଜିଲ୍ଲାରେ ଧାନ କିଣାରେ ଅଚଳାବସ୍ଥା ଆରମ୍ଭ ହୋଇଥିଲା। ଜିଲ୍ଲାକୁ ଠିକ୍ ଭାବେ ଟାଗେର୍ଟ୍ ମିଳି ନଥିଲା। ଜିଲ୍ଲା ପ୍ରଶାସନ ବାରମ୍ବାର ଅନୁରୋଧ ପରେ ୧୦ଟି ପର୍ଯ୍ୟାୟରେ ଟାର୍ଗେଟ୍ ମିଳିଥିଲା। ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଚଳିତ ବର୍ଷ ଧାନ ଭଲ ଅମଳ ହୋଇଥିଲା। କିନ୍ତୁ ଜିଲ୍ଲାକୁ ସେହି ଅନୁପାତରେ ଟାର୍ଗେଟ୍ ମିଳିଲାନି। ଗତବର୍ଷ ଟୋକନ୍ ନ ଆସିବାରୁ ଚାଷୀ ଧାନ ବିକି ପାରି ନଥିବା ବେଳେ ଏଥର ଟାର୍ଗେଟ୍ ସମସ୍ୟା ଯୋଗୁଁ ଚାଷୀ ଚିନ୍ତାରେ ପଡ଼ିଥିଲେ। ଗତ ଫେବ୍ରୁଆରି ୨୮ରୁ ଆଉ ନୂଆ ଟୋକନ୍ ଆସିଲା ନାହିଁ। ଟାର୍ଗେଟ୍ ନଥିବାରୁ ଚାଷୀ ଟୋକନ୍ ଥାଇ ସୁଦ୍ଧା ଧାନ ବିକ୍ରି କରିପାରିଲେ ନାହିଁ। ଏପରି କି ହଜାର ହଜାର ଚାଷୀଙ୍କ ଟୋକନ୍ ଅବଧି ମଧ୍ୟ ଶେଷ ହୋଇଥିଲା। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚାଷୀ ଆନ୍ଦୋଳନ ମୁଣ୍ତ ଟେକିଥିଲା। ଜିଲ୍ଲା ପ୍ରଶାସନ ତହସିଲଦାରଙ୍କ ଜରିଆରେ ବି ଚାଷୀଙ୍କ ଧାନ ଅଛି କି ନାହିଁ ଯା‌ଞ୍ଚ କରିଥିଲେ। ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରଦାନ ଏବଂ ଜିଲ୍ଲାକୁ ଟାର୍ଗେଟ୍ ମିଳିବାରେ ବିଳମ୍ବ ଯୋଗୁଁ ବହୁ ଚାଷୀ ଧାନ ବିକିବାରୁ ବଞ୍ଚିତ ‌ହେଲେ।

ସେହିପରି ଚଳିତବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ୩୭୯ଟି ପ୍ୟାକସ୍‌, ଗୋଟିଏ ପାଣି ପଞ୍ଚାୟତ ସହ ୬୪ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ସାମିଲ ହୋଇଥିଲେ। ୬୪ ମହିଳା ଗୋଷ୍ଠୀଙ୍କୁ ୧୧ ହଜାର ୭୮୩ ଜଣ ଚାଷୀଙ୍କ ଠାରୁ ଧାନ କିଣିବା ପାଇଁ ଲକ୍ଷ୍ୟ ରହିଥିଲା। ହେଲେ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ହେବାରୁ ୨୧୪୫ ଜଣ ଚାଷୀଙ୍କ ଠାରୁ ଧାନ କିଣି ପାରିଲେ ନାହିଁ। ଫଳରେ ଉକ୍ତ ଚାଷୀଙ୍କ ଟୋକନ୍ ମଧ୍ୟ ଅକାମୀ ହୋଇଥିଲା।

ସମ୍ବନ୍ଧିତ ଖବର