୫୨ ପଶ୍ଚିମବଙ୍ଗ ଶ୍ରମିକ ଉଦ୍ଧାର, ସ୍ୱତନ୍ତ୍ର ବସ୍‌ରେ ଘରକୁ ପଠାଇଲା ଖୋର୍ଦ୍ଧା ପୁଲିସ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ପୁଲିସ ପକ୍ଷରୁ ଏକ ମାନବୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ଆନ୍ଧ୍ରପ୍ରଦେଶର ବିଶାଖପାଟଣାରୁ ଚାଲିଚାଲି ଆସୁଥିବା ଅର୍ଦ୍ଧଶତକ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା କରିବା ସହ ସେମାନଙ୍କୁ ଏକ ସ୍ୱତନ୍ତ୍ର ବସ୍‌ରେ ପଶ୍ଚିମବଙ୍ଗ ପଠାଯାଇଛି ।
ଆଜି ବିଶାଖପାଟଣାରୁ ୫୨ଜଣ ଶ୍ରମିକ ଜାତୀୟ ରାଜପଥ ୧୬ ଦେଇ ଚାଲିଚାଲି ଆସୁଥିଲେ । ପୂର୍ବାହ୍‌ଣ ପ୍ରାୟ ୧୦ଟାରେ ଖୋର୍ଦ୍ଧା ସଦର ଥାନା ନିକଟରେ ପୁଲିସ୍ ସେମାନଙ୍କୁ ଉଦ୍ଧାର କରିବା ସହ ସଦର ଥାନାରେ ସେମାନଙ୍କୁ ଖାଦ୍ୟ ପାନୀୟ ଦେଇଥିଲେ । ଏହା ପରେ ଆରକ୍ଷୀ ଅଧିକ୍ଷକ ଅଜୟ ପ୍ରତାପ ସ୍ୱାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ରାଜ୍ୟ ସରକାରଙ୍କ ପରିବହନ ନିଗମର ଏକ ବସ୍‌ରେ ସେମାନଙ୍କୁ ପଂଶ୍ଚିମବଙ୍ଗ ପଠାଇଥିଲେ ।

ଏନେଇ ଏସ୍‌ପି ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଶ୍ରମିକମାନେ ପଶ୍ଚିମବଙ୍ଗର ମାଲଦା, ମୁର୍ଶିଦାବାଦ ଓ କୋଲକାତାର । ସେମାନଙ୍କୁ ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ଅପରାହ୍‌ଣ ଗୋଟା ୪୫ରେ ବସ୍ ଯୋଗେ ପଠାଯିବା ବ୍ୟବସ୍ଥା କରାଯାଇଛି । ବସ୍‌ଟି ସେମାନଙ୍କୁ ନେଇ ପଶ୍ଚିମବଙ୍ଗ ସୀମାରେ ଛାଡ଼ିଦେଇ ଆସିବ । ଏହି କାର୍ଯ୍ୟକ୍ରମରେ ଏସ୍‌ପିଙ୍କ ସମେତ ଖୋର୍ଦ୍ଧା ଏସ୍‌ଡିପିଓ, ସଦର ଥାନା ଅଧିକାରୀ ଓ ଅନ୍ୟ ପୁଲିସ୍ କର୍ମଚାରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର