ଭୋଗ ଖାଇ ୫ ପିଲା ସମେତ ୭୦ରୁ ଅଧିକ ଅସୁସ୍ଥ, ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

ଜଳେଶ୍ଵର : ପୂଜା ଭୋଗ ଖାଇ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ଗୋପିମୋହନପୁର ପଞ୍ଚାୟତ ବାଶୁଳିଆ ଗ୍ରାମରେ ୭୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫ ଜଣ ଶିଶୁ ରହିଥିବା ବେଳେ ୧୫ ଜଣଙ୍କୁ ଜଳେଶ୍ବର ଜିକେ ଭଟ୍ଟର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଗାଁ’କୁ ରାସ୍ତା ନଥିବାରୁ ଗୁରୁତରମାନଙ୍କୁ ଖଟିଆରେ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ବୋହି ଆମ୍ବୁଲାନ୍‌ସ ପାଖକୁ ନେବାକୁ ପଡ଼ିଥିଲା।

ଶନିବାର ରାତିରେ ବାଶୁଳିଆ ଆଦିବାସୀ ସାହିରେ ବାଶୁଳି ଠାକୁରାଣୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜା ସରିବା ପରେ ସାହିର ପ୍ରାୟ ୧୮୦ରୁ ଅଧିକ ଲୋକ ଠାକୁରାଣୀଙ୍କ ଭୋଗ ଖାଇଥିଲେ। ରବିବାର ସକାଳେ ଭୋଗ ଖାଇଥିବା ଲୋକଙ୍କର ମୁଣ୍ଡ ବୁଲାଇବା ସହ ପ୍ରବଳ ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା। ଖବର ପାଇ ଜଳେଶ୍ଵରର ‘ହେଲ୍‌ପ ଫର୍‌ ୟୁ’ର କର୍ମକର୍ତ୍ତାମାନେ ଗାଁରେ ପହଞ୍ଚି ଆଶାକର୍ମୀ ସୁକାନ୍ତି ଦେ ଓ ଅଙ୍ଗନବାଡ଼ି କର୍ମୀ ବାସନ୍ତୀ କିସ୍କୁଙ୍କ ସହାୟତାରେ ପ୍ରାଥମିକ ଚିକିତ୍ସା କରିଥିଲେ। ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ସହ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଡାକ୍ତରଖାନାକୁ ଖବର ଦିଆଯାଇଥିଲା।

ତେବେ ଗାଁ ରାସ୍ତା ଅଣଓସାରିଆ ଥିବାରୁ ୧୦୮ ଆମ୍ବୁଲାନ୍‌ସ ସେଠାକୁ ଯାଇ ନପାରି ୨ କିଲୋମିଟର ଦୂରରେ ଅଟକିଥିଲା। ଦୀର୍ଘ ଏକ ଘଣ୍ଟା ପରେ ସ୍ବାସ୍ଥ୍ୟ ବିଭାଗର ଏକ ମୋବାଇଲ ଟିମ୍ ସାହିରେ ପହଞ୍ଚି ଅସୁସ୍ଥଙ୍କ ସ୍ବାସ୍ଥ୍ୟାବସ୍ଥା ଦେଖି ଜଳେଶ୍ଵରସ୍ଥିତ ଜିକେ ଭଟ୍ଟର ଡାକ୍ତରଖାନାକୁ ନେବା ପାଇଁ ବ୍ୟବସ୍ଥା କରିଥିଲେ। ଗୁରୁତର ୧୫ ଜଣଙ୍କୁ ୫ଟି ଖଟିଆରେ ବୋହି ଆମ୍ବୁଲାନ୍‌ସ ପାଖକୁ ନିଆଯାଇଥିଲା। ଏବେ ବି ଗାଁରେ ଦୁଇଟି ମେଡିକାଲ ଟିମ୍ ରହି ଅସୁସ୍ଥଙ୍କ ଚିକିତ୍ସା କରୁଛନ୍ତି। ଗ୍ରାମର ରାମି ହାଁସଦା (୩୫), ଜବା ହାଁସଦା (୫୦), ମୁମି ହାଁସଦା (୧୫), ସୋନାଲି ହାଁସଦା (୨୦), ସାବିତ୍ରୀ ହାଁସଦା (୩୦), ଝିଲି ହାଁସଦା(୨୩), ଭୀମ ହାଁସଦା (୨୦), ଭିଲୁ ହାଁସଦା (୫୫), ସୁମି ମୁର୍ମୁ (୨୦), ଜ୍ୟୋତ୍ସ୍ନା ହାଁସଦା (୨୮), ଶ୍ୟାମ ମୁର୍ମୁ (୨୫), ସୁମତି ହାଁସଦା (୨୮), ରାହୁଲ ହେମ୍ବ୍ରମ୍‌ (୨୪), ସାକ୍ରା ଟୁଡୁ (୩୦), ମାଇନ ହାଁସଦା (୨୧) ପ୍ରମୁଖ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସମସ୍ତଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର ଦିଲ୍ଲୀପ କୁମାର ପାତ୍ର କହିଛନ୍ତି। ପ୍ରକାଶଥାଉକି, ଏହି ଆଦିବାସୀ ସାହିରେ ୪୫ ପରିବାରର ୧୮୦ ଜଣ ଲୋକ ରହୁଥିଲେ ମଧ୍ୟ ଯାତାୟାତ ପାଇଁ ଏକ ଓସାରିଆ ରାସ୍ତା ନାହିଁ। ହଠାତ କୌଣସି ଅଘଟଣ ଘଟିଲେ ଗାଁ’କୁ ଆମ୍ବୁଲାନ୍‌ସ କିମ୍ବା ଦମକଳ ଗାଡ଼ି ଯାଇପାରୁନାହିଁ। ଗୁରୁତର ରୋଗୀଙ୍କୁ ପାଖାପାଖି ୨ କିଲୋମିଟର ଦୂର ମୁଖ୍ୟରାସ୍ତା ପର୍ଯ୍ୟନ୍ତ ଖଟିଆରେ ବୋହିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର