ମାଓ ସହଯୋଗୀ କାଳିଆ ଘରୁ ମିଳିଲା ୯୪ ଜିଲୋଟିନ

ବୌଦ୍ଧ/କଣ୍ଟାମାଳ : ମାଓମୁକ୍ତ ଜିଲ୍ଲା ଘୋଷଣା କରାଯାଇଥିବା ବୌଦ୍ଧ ଜିଲ୍ଲାରେ ପୁଣି ମାଓବାଦୀ ସକ୍ରିୟ ଥିବା ସୂଚନା ମିଳିଛି। ଗତବର୍ଷ ଜୁଲାଇ ୧୦ ତାରିଖରେ ବୌଦ୍ଧ ଜିଲ୍ଲା ସଂଲଗ୍ନ କନ୍ଧମାଳ ଜିଲ୍ଲାର ଗୋଛାପଡ଼ାରେ ପୁଲିସ ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଆହତ ହୋଇଥିଲେ। ତତ୍କାଳୀନ ପୁଲିସ ଡିଜି ଅଭୟ କୋରାପୁଟ ଗସ୍ତକୁ ବାତିଲ କରିଥିଲେ। ଘଣ୍ଟାପଡ଼ା ହାଇସ୍କୁଲ ପଡ଼ିଆରେ ହେଲିକପ୍ଟରକୁ ଜରୁରୀ ଅବତରଣ କରାଇ ଗୁରୁତର ଆହତ ଯବାନଙ୍କୁ ଏୟାରଲିଫ୍‌ଟ କରି ଭୁବନେଶ୍ବର ନେଇଥିଲେ। ଘଟଣାର ସାତ ମାସ ପରେ ପୁଲିସ ଜଣେ ମିଲିସିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ପୁଲିସ ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅନ୍ତର୍ଗତ ଚାଞ୍ଚେର ଗ୍ରାମର କାଳିଆ କହଁର(୫୫) ମାଓବାଦୀଙ୍କୁ ସହଯୋଗ କରୁଥିବା ସନ୍ଦେହ କରିଥିଲେ। ତାଙ୍କ ଉପରେ ଗୁଇନ୍ଦା ବିଭାଗର ନଜର ରହିଥିଲା। ରବିବାର କନ୍ଧମାଳ ଏସ୍‌ଓଜି ସ୍ଥାନୀୟ ପୁଲିସ ସହାୟତାରେ କାଳିଆଙ୍କ ଘରେ ଚଢ଼ଉ କରିଥିଲେ। ତାଙ୍କ ଘରୁ ୯୪ଟି ଜିଲୋଟିନ ଜବତ କରାଯାଇଛି। ମନମୁଣ୍ଡା ଥାନାରେ କେସ୍‌ ନଂ୨୪/୨୦୨୨ରେ ମାମଲା ରୁଜୁ କରି ଅଭି‌ଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ କାଳିଆକୁ ବୌଦ୍ଧ ଜେଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି କାଳିଆ ସହିତ ଆଉ ଜଣେ ବ୍ୟକ୍ତିଙ୍କୁ ପୁଲିସ ସନ୍ଦେହରେ ଆଣିଥିଲା। ହେଲେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନପାଇବାରୁ ତାଙ୍କୁ ଛାଡ଼ି ଦେଇଥିଲା। ଏହି ମାମଲାର ତଦନ୍ତ ଭାର ଏସ୍‌ଡିପିଓ ଆନନ୍ଦବର୍ଦ୍ଧନ ଗୁରୁ ନେଇଛନ୍ତି।

ସମ୍ବନ୍ଧିତ ଖବର