ଦୁର୍ଘଟଣାରେ ଗୋଡ଼ କଟି ଚାରି ବର୍ଷ ବିତିଲା; ମିଳିଲାନି ସରକାରୀ ସହାୟତା

ଜୟପୁର: ୪ବର୍ଷ ତଳେ ପାରାବେଢ଼ାରେ ରହୁଥିବା ଦେବ ପ୍ରସାଦ ପରିଚ୍ଛାଙ୍କର ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ଆଉ ଗୋଟିଏ ଗୋଡ଼ର ଅବସ୍ଥା ଖରାଫ ହୋଇଯାଇଥିଲା। ଏହା ପରେ ବି ଦେବ ସରକାରୀ ସହାୟତା କିମ୍ବା ତାଙ୍କୁ କଟା ଗୋଡ଼ ସ୍ଥାନରେ କୃତ୍ରିମ ଅଙ୍ଗ ଲଗାଯିବା ପାଇଁ ପ୍ରଶାସନ ପକ୍ଷରୁ ସେଭଳି ପ୍ରୟାସ କରାଯାଇନି। ଅନ୍ୟ ପକ୍ଷରେ ଗତ ବର୍ଷକ ହେବ ତାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। କୋରନା ସମୟରେ ନାହିଁ ନଥିବା ଅଭାବ ଓ ଅସୁବିଧା ମଧ୍ୟରେ ପରିବାର ନେଇ ବଂଚିଛନ୍ତି ଦେବ। ଓଏସ୍ଆ‌ରଟିସିର ଲିଜ୍ ବସରେ ଘରୋଇ କଣ୍ଡକଟର ଭାବେ କାମ କରୁଥିଲେ ଦେବ। ଗତ ଜୁନ ୨୦୧୭ ମସିହା ୩୦ତାରିଖ ଦିନ ତାଙ୍କ  ଜୀବନରେ କଳାବାଦଳ ଆସିଥିଲା। ସବୁ ଦିନ ଭଳି ସେ ଡ୍ୟୁଟିରେ ଯାଇଥିଲେ। ରାଜମହେନ୍ଦ୍ରୀ ନବରଙ୍ଗପୁର ବସରେ ସେ ଡ୍ୟୁଟି କରି ବିଶାଖାପାଟଣାରୁ ପେରୁଥିଲେ। କିଛି ଯାତ୍ରୀ ଏମଭି-୭୯ ଯିବାର ଥିଲା। ବିଶାଖାପାଟଣା ଏମଭି-୭୯ ବସରେ ଏହି ଯାତ୍ରୀ ମାନଙ୍କୁ ବସାଇବାକୁ ଦେବ ଯାଇଥିଲେ। ବସରୁ ଓହ୍ଲାଉଥିବା ବଳେ ତଳେ ପଡିଯାଇଥିଲେ ଦେବ। ତାଙ୍କ ଦୁଇ ଗୋଡ ଉପରେ ଚକ ଚଢ଼ିଯାଇଥିଲା। ଏଥିରେ ତାଙ୍କର ଡାହାଣ ଗୋଡଟି ସଂପୂର୍ଣ୍ଣ ରୁପେ ନଷ୍ଟ ହୋଇଯିବା ଫଳରେ ଜଙ୍ଗରୁ ଅସ୍ତ୍ରପ୍ରଚାର କରି କାଟି ଦିଆଯାଇଛି।

ଡାହାଣ ଗୋଡର ବୁଢ଼ା  ଅଙ୍ଗୁଳି କଟି ଯାଇଥିବା ବେଳେ ଆଣ୍ଟୁରୁ ତଳକୁ ସଂପୂର୍ଣ୍ଣ ରୁପେ ଗୋଡ଼ ନଷ୍ଟ ହୋଇଯାଇଛି। ଚିକିତ୍ସା ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ତାଙ୍କ ପତ୍ନୀ ପୂଜା ପରିଚ୍ଛା, ୧୨ ବର୍ଷର ପୁଅ, ୫ ବର୍ଷର ଝିଅକୁ ନେଇ ତାଙ୍କ ପରିବାର ବହୁତ ଖୁସିରେ ଥିଲେ। ଘରର ମୁଖିଆ ଭାବେ ଦେବର ଏହି ଅବସ୍ଥା ପରେ ଘର ଚଳାଇବାକୁ ପାଦ କାଡି ବାହାରିଛନ୍ତି ପୂଜା। ପତ୍ନୀ ଏବେ ପରିବାରର ବୋଝ ଉଠାଉଥିବା ବେଳେ ଆର୍ଥିକ ସ୍ଥିତି ବି ଖରାପ। ଏହା ସାଙ୍ଗକୁ କରୋନା ଯୋଗୁଁ ଗତ ବର୍ଷକ ହେବ ଭୋକ ଉପବାସରେ ଦିନ କଟିଛି। ଏବେ ଦେବ ପରିବାରର ସାମାନ୍ୟ ସହଯୋଗ କରିବା ପାଇଁ ପଇଡ଼ ବିକ୍ରି ଦୋକାନ ଖଣ୍ଡିକ କରିଛନ୍ତି। ସ୍କୁଲ ଛୁଟିଥିବାରୁ ତାଙ୍କ ପୁଅ ଝିଅ ବାପାଙ୍କୁ ସାମାନ୍ୟ ସହଯୋଗ କରି ଆସୁଛନ୍ତି। ଗୋଡ଼ କଟିବାର ଚାରି ବର୍ଷ ମଧ୍ୟରେ ବହୁ ବାର ପ୍ରଶାସନ ନିକଟରେ ଆବେଦନ ଦେବା ସତ୍ବେ ତାଙ୍କ ଦୁଃଖ କେହି ବୁଝୁ ନଥିବା କହିଛନ୍ତି ଦେବ। ଓଏସ୍ଆ‌ରଟିସିର ଲିଜ୍ ବସରେ କଣ୍ଡକ୍ଟର ଥିବାରୁ ବିଭାଗ ବି ତାଙ୍କ ପ୍ରତି ଆଡ଼ ନଜର ବି ପକାଇନି। ପ୍ରଶାସନ, ବଦାନ୍ୟ ବ୍ୟକ୍ତି କିମ୍ବା ସଂସ୍ଥା କୃତ୍ରିମ ଅଙ୍ଗ ଦେବା ପାଇଁ ଅନୁରୋଧ କରିଛନ୍ତି ଦେବ। ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତକୁ ଅଣାଯିବ ବୋଲି କହୁଥିବା ପ୍ରଶାସନର ନଜର ଦେବଙ୍କ ଉପରେ କେବେ ପଡ଼ୁଛି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର