ଜାମଯୋଡି ନଦୀ କୂଳରେ ଶବ ମିଳିବା ଘଟଣା: ତିନିବର୍ଷ ପରେ ଅଭିଯୁକ୍ତର ସହଯୋଗୀ ଗିରଫ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମିଝୀଗୁଡା ନିକଟସ୍ଥ ଜାମଯୋଡି ନଦୀ କୂଳରେ ଶବ ମିଳିବା ଘଟଣାର ତିନିବର୍ଷ ପରେ ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୋଗରେ ଆଜି ଜଣକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ହତ୍ୟାକାଣ୍ଡର ଦୁଇବର୍ଷ ପରେ ମୁଖ୍ୟ ଆସାମୀ କୁହାଯାଉଥିବା ଚନ୍ଦ୍ର ଖୋସଲାକୁ ପୁଲିସ ଗିରଫ କରିଥିବା ବେଳେ ଆଜି ସହଯୋଗୀ ମାନୁଏଲ କନ୍ଦପାନ (୨୭)କୁ ଗିରଫ କରିଛି। ସୂଚନାଯୋଗ୍ୟ, ତିନିବର୍ଷ ତଳେ ମାଝୀଗୁଡା ନିକଟସ୍ଥ ଜାମଯୋଡି ନଦୀ କୂଳରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ଶବ ଦେଖିବାକୁ ମିଳିବା ପରେ ବୈପାରିଗୁଡା ପୁଲିସ ଶବଟିକୁ ଜବତ କରିବା ସହ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ତେବେ ଅଚିହ୍ନା ବ୍ୟକ୍ତି ସମ୍ପର୍କରେ କୌଣସି ସଠିକ ସୂଚନା ପାଇନଥିବାରୁ ଏହାକୁ ଅପମୃତ୍ୟୁ ମାମଲା ରୂପେ କେସ ଦରଜ କରିବା ସହ ଶବ ବ୍ୟବଚ୍ଛେଦ କରାଇଥିଲା। ତେବେ ପରବର୍ତ୍ତୀ ସମୟରେ ଉତ୍ତରପ୍ରଦେଶର ଜଣେ ମହିଳା ନିଜ ସ୍ବାମୀ ନିଖୋଜ ଥିବା ନେଇ ବୈପାରିଗୁଡା ଥାନାରେ ଏତଲା ଦେଇଥିଲେ ଏବଂ ନିଜ ସ୍ବାମୀଙ୍କ ନାମ ଶିବ ପ୍ରକାଶ ବୋଲି କହିଥିଲେ।

ପୁଲିସ ଡିଏନଏ ଟେଷ୍ଟ କରିବା ପରେ ଶବଟି ଶିବ ପ୍ରକାଶଙ୍କର ବୋଲି ଜାଣିବାକୁ ପାଇଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ଵାମୀଙ୍କର ଭାଟିପଡା ଗ୍ରାମର ଚନ୍ଦ୍ର ଖୋସଲାଙ୍କ ସହ ଯୋଗାଯୋଗ ରହିଥିଲା। ଅଭିଯୋଗ ଅନୁଯାୟୀ ଚନ୍ଦ୍ରକୁ ଅଟକ ରଖି ପଚରାଉଚରା କରିବା ପରେ ଚନ୍ଦ୍ର ହତ୍ୟା କରିଥିବା ସ୍ବୀକାର କରିବାରୁ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହତ୍ୟାକାଣ୍ଡର ତିନିବର୍ଷ ପରେ ଆଜି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରାଙ୍କ ନେତୃତ୍ବରେ ପୁଲିସ ବାହିନୀ ମାନୁଏଲର ଗ୍ରାମ ଝଡିଆଗୁଡାରୁ ଚନ୍ଦର ସହଯୋଗୀକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛନ୍ତି।

ସମ୍ବନ୍ଧିତ ଖବର