ଆଠମଲ୍ଲିକ/ପାଇକସାହି: ଗତକାଲି ଠାକୁରଗଡ଼ ଥାନା କରଡାବାହାଳୀ ଗ୍ରାମର ଯୁବକ ଗଙ୍ଗାଧର ବେହେରା (୨୬) ଗାଁ ପାଖ ପୋଖରୀରେ ବୁଡି ମୃତ୍ୟୁବରଣ କରିବା ଘଟଣା ଆଜି ଭିନ୍ନ ମୋଡ଼ ନେଇଛି। ଗ୍ରାମବାସୀ ତଥା ପରିବାର ଲୋକ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ଆଠମଲ୍ଲିକ – ବଇଣ୍ଡା ପୂର୍ତ୍ତ ରାସ୍ତାର ଗୁଣ୍ଡୁରି ଛକଠାରେ ଅପରାହ୍ଣ ସାଢ଼େ ଗୋଟାଏରୁ ୭ ଘଣ୍ଟା ଧରି ରାସ୍ତାରୋକ କରିଥିଲେ।
ପ୍ରକାଶ ଯେ, କରଡାବାହାଳୀ ଗ୍ରାମର ଗଙ୍ଗାଧର ବଢେଇ କାମ କରୁଥିଲେ। ସେ ଗତକାଲି ଘୋଡାବାନ୍ଧୁଣୀ ଗ୍ରାମ ବେଲବଣିଆ ସାହିର ଜଣେ ବ୍ୟକ୍ତିଙ୍କ ପାଖକୁ ୩୦ ହଜାର ଟଙ୍କା ପାଉଣା ମାଗିବାକୁ ଯାଇଥିଲେ। ସେ ଫେରିବାରେ ବିଳମ୍ବ ହେବାରୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ। ଗାଁ ପାଖ ଏକ ପୋଖରୀ ନିକଟରେ ତାଙ୍କ ବାଇକ୍ ରଖାଯାଇଥିବା ଦେଖି ପୋଖରୀରେ ବୁଡିଯାଇଥିବା ସନ୍ଦେହ କରିଥିଲେ। ତାଙ୍କୁ ପୋଖରୀରୁ ଉଦ୍ଧାର କରି ଆଠମଲ୍ଲିକ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ହେଲେ ଘର ଲୋକଙ୍କ ମନ ବୁଝିନଥିଲା। ଗଙ୍ଗାଧରଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଟିକୁନ ବେହେରା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଆଜି ଅପରାହ୍ଣ ସାଢ଼େ ଗୋଟାଏରୁ ଶବକୁ ରାସ୍ତାରେ ରଖି କ୍ରାଇମ୍ ବ୍ରାଞ୍ଚ ତଦନ୍ତ ସହ ଦୋଷୀକୁ ଗିରଫ କରିବା, ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଗୁଣ୍ଡୁରି ଛକଠାରେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଘଟଣାସ୍ଥଳରେ ପୁଲିସ ଏବଂ ମାଜିଷ୍ଟେଟ ଭାବରେ ଆଠମଲ୍ଲିକ ସହକାରୀ ଜିଲ୍ଲାପାଳ ନାରାୟଣ ମହାପାତ୍ର, ବିଜେପି ଜିଲ୍ଲା ସଭାପତି ଭାଗୀରଥି ପ୍ରଧାନ ଓ ଠାକୁରଗଡ଼ ଆଇଆଇସି ଗବାକ୍ଷ ନାୟକ ପହଞ୍ଚ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଦାବିପୂରଣ ପାଇଁ ପ୍ରତିଶ୍ରୁତି ଦେବା ପରେ ରାତି ୮ଟା ୪୫ ମିନିଟରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର