ଆଠମଲ୍ଲିକ:ମାଗଣାରେ ଆମ୍ବ ଗଛ ଦେଲେ। ତିନି ବର୍ଷ ପାଇଁ ସାର, ବାଡ଼ ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରିବାର ଲୋଭ ବି ଦେଖାଇଲେ। ଉଦ୍ୟାନ ବିଭାଗ ଅଧିକାରୀଙ୍କଠାରୁ ଏଭଳି ପ୍ରତିଶ୍ରୁତି ଆଉ ପ୍ରୋତ୍ସାହନ ମିଳିବା ପରେ ଚାଷୀ ଆମ୍ବ ଚାଷ କଲେ। କିନ୍ତୁ ଇତିମଧ୍ୟରେ ତିନି ବର୍ଷ ପୂରିିଲାଣି, ଚାଷୀଙ୍କୁ ପ୍ରୋତ୍ସାହନ ରାଶି ମିଳୁନାହିଁ। ପ୍ରୋତ୍ସାହନ ଆଳରେ ଆଠମଲ୍ଲିକ୍ ବ୍ଲକ୍ ନଅଗାଁ ପଞ୍ଚାୟତ ଯୁଦୁପୁର ଗ୍ରାମର ଚାଷୀଙ୍କ ପେଟକୁ ଏଭଳି ନାତ ମାରିଛନ୍ତୁ ଉଦ୍ୟାନ ଅଧିକାରୀ। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉଦାସୀନ ମନୋଭବ ଯୋଗୁ ୧୨ଜଣ ଆମ୍ବ ଚାଷୀ ପ୍ରୋତ୍ସାହନ ରାଶି ନପାଇ ହତାଶ ହୋଇପଡ଼ିଛନ୍ତି। କେବଳ ଚାଷୀ ନୁହେଁ, ମନରେଗା ଯୋଜନାରେ କାମ କରିଥିବା ଶ୍ରମିକଙ୍କୁ ବି ପାରିଶ୍ରମିକ ନଦେଇ ଠିକିଛି ଉଦ୍ୟାନ ବିଭାଗ।
ଉଲ୍ଲେଖଯୋଗ୍ୟ, ୨୦୧୩-୧୪ରେ ଜାତୀୟ ଉଦ୍ୟାନ ମିସନ୍ ଯୋଜନାରେ ଆମ୍ବଚାଷକୁ ପୋତ୍ସାହନ ଦେବାପାଇଁ ସରକାରଙ୍କ ନିଷ୍ପତ୍ତି ନେଇଥିଲେ। ତଦନୁଯାୟୀ ଚାଷୀଙ୍କୁ ମାଗଣାରେ ଆମ୍ବ ଗଛ ଦେବା ସହ ତିନି ବର୍ଷ ପର୍ଯ୍ୟନ୍ତ ସାର ଦେବା ଏବଂ ଆମ୍ବଗଛ ଗୁଡିକର ସୁରକ୍ଷା ପାଇଁ ବାଡାବନ୍ଦି ନିମନ୍ତେ ଚାଷୀଙ୍କୁ ପୋତ୍ସାହନ ରାଶି ଦେବାକୁ ଘୋଷଣା କରିଥିଲେ। ଏହି କ୍ରମରେ ଯଦୁପୁର ଗ୍ରାମର ୧୨ ଜଣ ଚାଷୀ ଆଠମଲ୍ଲିକ ଉଦ୍ୟାନ ବିଭାଗ ନିକଟରେ ଆବେଦନ କରି ଆମ୍ବ ଗଛ ରୋପଣ କରିଥିଲେ। ସେମାନେ ହେଉଛନ୍ତି ଆଦିତ୍ୟ ବାଘ, ଚିତ୍ତରଞ୍ଜନ ଗାଇଗରିଆ, ଗଜେନ୍ଦ୍ର ପ୍ରଧାନ, ପୁର୍ଣ୍ଣ ପ୍ରଧାନ, ସନ୍ତୋଷ ଗାଇଗରିଆ, ପରମେଶ୍ୱର ବେହେରା, ସରୋଜ ଗାଇଗରିଆ, ସୁଧାଂଶୁ ଗାଇଗରିଆ, ସୁବାଷ ଚନ୍ଦ୍ର ଗାଇଗରିଆ, ପ୍ରଫୁଲ୍ଲ ଗାଇଗରିଆ, ବିଷ୍ଣୁ ଜାଲ ଏବଂ ସିଧେଶ୍ୱର ନାଗ। ଏମାନେ ଆମ୍ବ ଗଛ ନେବା ପରେ ନିଜ ଖର୍ଚ୍ଚରେ ଶ୍ରମିକ ଲଗାଇ ଗାତ ଖୋଳି ଖତସାର ଦେଇ ଗଛ ରୋପଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରମିକ ପାଉଣା ପାଇଁ ମନରେଗା ଯୋଜନାରେ ଆବେଦନ କରାଯାଇଥିଲା। ଆବେଦନର ଦୀର୍ଘ ଦିନ ପରେ ଆଠମଲ୍ଲିକ ଉଦ୍ୟାନ ବିଭାଗ ଶ୍ରମିକଙ୍କୁ ପାଉଣା ବାବଦରେ ୬୮,୬୪୦ ଟଙ୍କାର ଏକ ଚେକ୍(ନଂ୧୨୪୩୪୦/୧୬.୦୧.୨୦୧୪ରେ) ଆଠମଲ୍ଲିକ ପୋଷ୍ଟ ଅଫିସ୍କୁ ଦେଇଥିଲା। ବ୍ୟବସ୍ଥା ଅନୁଯାୟୀ, ପୋଷ୍ଟ ଅଫିସ୍ରୁ ଉକ୍ତ ଚେକ୍ ଆଠମଲ୍ଲିକ ଇଣ୍ଡିଆନ ବ୍ୟାଙ୍କରେ ପହଞ୍ଚିଲା ବେଳକୁ ଆକାଉଣ୍ଟରେ ମନରେଗା ବାବଦରେ ଟଙ୍କା ନଥିବା ଜଣାପଡ଼ିଥିଲା। ଏଣୁ ବ୍ୟାଙ୍କ କର୍ତୁପକ୍ଷ ଚେକ୍କୁ ଆଠମଲ୍ଲିକ ପୋଷ୍ଟ ଅଫିସକୁ ଫେରାଇ ଦେଇଥିଲେ। ତେବେ ପୋଷ୍ଟ ଅଫିସରେ ଏହି ଚେକ୍ ଦୀର୍ଘ ମାସ ପଡିରହିଲା। ଏପଟେ ଚାଷୀ ଓ ଶ୍ରମିକ ମାନେ ପାଉଣା ପାଇଁ ବାରମ୍ବାର ଆଠମଲ୍ଲିକ ଉଦ୍ୟାନ ବିଭାଗ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ଅଧିକାରୀଙ୍କୁ ଗୁହାରି କରି ନିରାଶ ହୋଇଥିଲେ। ତେବେ ପରବର୍ତୀ ସମୟରେ ମନରେଗା ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଆସିଥିବା ବେଳେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ଦିଆଯାଉନାହିଁ। ପାଉଣା କଥା କହିଲେ ଅଧିକାରୀ ଶୁଣୁନଥିବା ଚାଷୀ ଓ ଶ୍ରମିକ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଏ ସମ୍ପର୍କରେ ଉଦ୍ୟାନ ବିଭାଗ ଅଧିକାରୀ ରମେଶ ଚନ୍ଦ୍ର ଖଟୁଆଙ୍କୁ ପଚରାବାରୁ ସେ ଏଭଳି ଅଭିଯୋଗ ସଂପର୍କ ଅବଗତ ଥିବା କହିଛନ୍ତି। ଖୁବ୍ଶୀଘ୍ର ଏ ଦିଗରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଖଟୁଆ ପ୍ରତିଶ୍ରୁତି ଦେଇଛନ୍ତି।