ଅନୁଗୁଳ : ପ୍ୟାସେଞ୍ଜର ଟ୍ରେନ ବନ୍ଦ ଯୋଗୁଁ ରୋଜଗାର ହରାଇଲେଣି ବହୁ ଯାତ୍ରୀ

ସ୍ବଳ୍ପ ରୋଜଗାରିଆଙ୍କ ପିଠିକୁ ମାଡ଼

ଅନୁଗୁଳ : ବନ୍ଦ ହୋଇଯାଇଛି ପ୍ୟାସେଞ୍ଜର ଟ୍ରେନ। ଇଣ୍ଟରସିଟି ବି ଗଡ଼ୁନି। ଫଳରେ ଟ୍ରେନ ଉପରେ ଭରସା କରି ନିତି କଟକ-ଭୁବନେଶ୍ବର ଯାଉଥିବା ଲୋକମାନେ ଅଡ଼ୁଆରେ ପଡିଯାଇଛନ୍ତି। ଅଳ୍ପ ରୋଜଗାରରେ ଚାକିରି କରିଥିବା ଲୋକମାନେ ବସ୍ ଭଡ଼ା କରି ନିୟମିତ ଯିବା ଆସିବା କରି ସମ୍ଭବ ହେଉ ନ ଥିଲାବେଳେ ଏକ୍ସପ୍ରେସ ଟ୍ରେନ୍‌ରେ ବି ଟିକେଟ କାଟିଲେ ପକେଟକୁ ବାଧୁଛି। ଫଳରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଳାରୁ ବହୁ ଲୋକ ଚାକିରି ହରାଇଥିଲାବେଳେ ନିୟମିତ ଯିବା ଆସିବା କରୁଥିବା ଲୋକମାନେ ଅଠାକାଠିରେ ପଡ଼ିଯାଇଛନ୍ତି।

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାକୁ ଭୁବନେଶ୍ବର ଓ କଟକ ସହ ଯୋଡ଼ିବା ପାଇଁ ରେଳ ଯୋଗାଯୋଗ ବେଶ୍ ଭଲ ରହିଛି। ଏଠାରୁ ବହୁ ଏକ୍ସପ୍ରେସ ଓ ପ୍ୟାସେଞ୍ଜର ଟ୍ରେନ ଚାଲୁଥିବାରୁ ଲୋକମାନେ ନିତି ସକାଳେ ସେଠାକୁ ଯାଇ ସନ୍ଧ୍ୟାରେ ଫେରି ଆସନ୍ତି। ଅଳ୍ପ ଖର୍ଚ୍ଚରେ ଓ ବେଶ ସୁବିଧାରେ ଯିବାଆସିବା କରିବାର ସୁଯୋଗ ମିଳୁଥିବାରୁ କିଛି ଲୋକ ଅଳ୍ପ ଦରମାରେ ମଧ୍ୟ ଭୁବନେଶ୍ବର ଓ କଟକରେ କାମ କରୁଥିଲେ। ପ୍ରାୟ ୪ଶହ ଟଙ୍କାର ଟିକେଟ କରିଦେଲେ ମାସ ସାରା ଯିବା, ଆସିବା କରି ହେଉଥିବାରୁ ଟ୍ରେନ୍ ଏହି ଗୋଷ୍ଠୀର ଜୀବନରେଖା ପାଲଟି ଯାଇଥିଲା। କିନ୍ତୁ ସବୁ କିଛି ଓଲଟପାଲଟ କରିଦେଇଥିଲା କରୋନା। କଟକଣା ପାଇଁ ଟ୍ରେନ ଚଳାଚଳ ଉପରେ ରୋକ ଲାଗିବାରୁ ପ୍ରାୟ ସବୁ ଟ୍ରେନ ବନ୍ଦ ହୋଇଗଲା। କିନ୍ତୁ କଟକଣା ହଟିବା ପରେ କିଛି ଟ୍ରେନର ଚଳାଚଳ ସ୍ବାଭାବିକ ହେଉଥିଲେ ମଧ୍ୟ ପ୍ୟାସେଞ୍ଜର ଟ୍ରେନଗୁଡିକ ଚାଲିନି।

ଅନୁଗୁଳରୁ ସକାଳୁ ଛାଡୁଥିବା ଅନୁଗୁଳ-ପୁରୀ ମେମୁ, ତାଳଚେରରୁ ଛାଡୁଥିବା ତାଳଚେର-ପୁରୀ ପ୍ୟାସେଞ୍ଜର ଟ୍ରେନ କରୋନା ପରଠାରୁ ବନ୍ଦ ରହିଛି। ଏପଟେ ସମ୍ବଲପୁର-ପୁରୀ ପ୍ୟାସେଞ୍ଜର ଓ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ମଧ୍ୟ ଚାଲିନି। ଆଉ ଅନୁଗୁଳ ଓ ଢେଙ୍କାନାଳର ଲୋକମାନେ ଏହି ୪ଟି ଟ୍ରେନ ଉପରେ ଅଧିକ ନିର୍ଭର କରିଥାନ୍ତି। ସକାଳୁ ଯାଇ ସନ୍ଧ୍ୟାରେ ଫେରିବା ପାଇଁ ଏହି ଟ୍ରେନ ସବୁଠାରୁ ଉତ୍ତମ ମାଧ୍ୟମ। ଅନୁଗୁଳ-ପୁରୀ ମେମୁ, ତାଳଚେରରୁ ଛାଡୁଥିବା ତାଳଚେର-ପୁରୀ ପ୍ୟାସେଞ୍ଜର ଟ୍ରେନ୍ରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରୁ ଶହ ଶହ ଲୋକ ନିତି ଭୁବନେଶ୍ବର ଓ କଟକ ଯାଇଥାନ୍ତି। ଏଥିରୁ କିଛି ସରକାରୀ କର୍ମଚାରୀ ରହିଥିଲାବେଳେ କିଛି ଲୋକ ଘରୋଇ ସଂସ୍ଥାୟରେ କାମ କରନ୍ତି। ସକାଳେ ଏହି ଟ୍ରେନ ଯାଇ ସନ୍ଧ୍ୟାରେ ଫେରୁଥିବାରୁ ସେମାନଙ୍କୁ ସୁବିଧା ହୁଏ। ମାସିକିଆ ଟିକେଟ କରି ଦେଉଥିବାରୁ ଖର୍ଚ୍ଚାନ୍ତ ହେବାକୁ ମଧ୍ୟ ପଡେନି। କିନ୍ତୁ ଏବେ ଏହି ସେବା ବନ୍ଦ ହେବାର ଲୋକଙ୍କ ଦୁଃଖ ବଢି ଯାଇଛି।

ସମ୍ବନ୍ଧିତ ଖବର